ଭୁବନେଶ୍ବର:ରାଜ୍ୟରେ ପାଣିପାଗର ପରିବର୍ତ୍ତନ । ବିଭିନ୍ନ ଅଞ୍ଚଳରେ କୋହଲା ପାଗକୁ ଝିପିଝିପି ବର୍ଷା ହୋଇଛି । ଗତକାଲି ଠାରୁ ଆରମ୍ଭ ହୋଇଛି ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗି ରହିଛି ବର୍ଷା । ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ରହିବ ।
ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଏହା ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ କ୍ରମାଗତ ରାଜ୍ୟକୁ ପ୍ରବେଶ କରିଛି । ଏହା ପ୍ରଭାବରେ ଗତ କିଛି ଦିନ ଧରି ରାଜ୍ୟର କେତେକ ଅଞ୍ଚଳରେ ସାମାନ୍ୟରୁ ହାଲୁକା ଧରଣର ବର୍ଷା ରେକର୍ଡ କରାଯାଇଛି । ତେବେ ଆସନ୍ତା 23 ଓ 24 ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳବର୍ତ୍ତୀ ଜିଲ୍ଲା ସହ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ଅଧିକ ରହିବ । ସେହିପରି ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିବାଗ କେନ୍ଦ୍ର ।
ତେବେ ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବ । ଆସନ୍ତା ୨୬ ତାରିଖରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ଟ୍ବିନ ସିଟି କଟକ ଏବଂ ଭୁବନେଶ୍ବରରେ କୋହଲା ପାଗ ସହ ଲାଗି ରହିଛି ଝିପିଝିପି ବର୍ଷା । ଯାହା ଜନଜୀବନକୁ କିଛି ମାତ୍ରାରେ ପ୍ରଭାବିତ କରିଛି । ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଘନ କୁହୁଡ଼ିର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଢେଙ୍କାନାଳ ,ବାଲେଶ୍ଵର, ଭଦ୍ରକ,ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁରରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।