ରାୟଗଡା:ରାୟଗଡାରେ ଶିକାରୀଙ୍କ ଉତ୍ପାତ । ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରୁ ଦୁଇଟି କଲରାପତରିଆ ବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି ‘ଏସଟିଏଫ’ । ଏହି ଦାନ୍ତ ଓ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ମାଡି ବସିଲା ବନ ବିଭାଗ । ଚଢାଉ ସମୟର ବନ ବିଭାଗ ଟିମ ଉପରକୁ ମାଫିଆ ଗୁଳି ଚଳାଇବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡିଛି । ହାତୀ ଦାନ୍ତ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିବା ସହ 5 ଜଣଙ୍କୁ ଅଟକ ରଖାଯାଇଛି ।
- ହାତୀ ଦାନ୍ତ ଚାଲାଣ ବେଳେ ଚଢାଉ:
ସୂଚନା ଅନୁସାରେ, ହାତୀଦାନ୍ତ ଡିଲ୍ ପାଇଁ ୩ ଦିନ ହେଲା ଯୋଗାଯୋଗରେ ରହିଥିଲେ ମାଫିଆ । କୌଣସି ସୂତ୍ରରୁ ଏହି ସୂଚନା ଏସ୍ଟିଏଫ୍ ଏବଂ ମୁନିଗୁଡ଼ା ବନ ବିଭାଗକୁ ମିଳିଥିଲା । ମାଫିଆଙ୍କୁ ଟ୍ରାକିଂ କରି ରବିବାର ମୁନିଗୁଡ଼ା ବ୍ଲକ୍ର କରଡ଼ାବନ୍ଧ ଗାଁ ନିକଟରୁ 2 ସନ୍ଦିଗ୍ଧଙ୍କୁ ଉଠାଇ ଆଣିଥିଲା ଏସଟିଏଫ ଟିମ । ପଚରାଉଚରା ପରେ ହାତୀ ଦାନ୍ତ କାରବାର ପଛର ମାଫିଆଙ୍କ ସୁରାକ ମିଳିଥିଲା । ଏହାପରେ ନିୟମଗିରି ଅଞ୍ଚଳର ଗୋଟିଏ ଗାଁରେ ଅତର୍କିତ ଚଢ଼ାଉ କରି ଦୁଇଟି ଟ୍ରଲି ବ୍ୟାଗ୍ରେ ହାତୀଦାନ୍ତ ଚାଲାଣ ପାଇଁ ରଖାଯାଇଥିଲା ବେଳେ ତାହାକୁ ଜବତ କରିଥିଲା ବନ ବିଭାଗ ।
- ବନ ଟିମ ଉପରେ 4 ରାଉଣ୍ଡରୁ ଅଧିକ ଫାଏରିଂ କଲେ ମାଫିଆ
ଏହି ସମୟରେ ବନ ବିଭାଗ ଟିମ୍ ଉପରକୁ ମାଫିଆଙ୍କ ଗୁଳିମାଡ଼ ହୋଇଥିବା ବେଳେ ଜଣକୁ ଗିରଫ କରାଯିବା ସହ 5 ଜଣକୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ । ବନ ବିଭାଗର ଗୋଟିଏ ଗାଡ଼ିରେ 4ଟି ଗୁଳି ବାଜିଛି । ସୌଭାଗ୍ୟବଶତଃ କାହାର କିଛି ହୋଇନଥିଲା। ସେହିପରି ଅନ୍ୟ ଗୋଟିଏ ଗାଡ଼ିକୁ ମାଫିଆ ଭଙ୍ଗାରୁଜା କରିଛନ୍ତି । ଏ ନେଇ ମୁନିଗୁଡ଼ା ଥାନାରେ ବନ ବିଭାଗ ଏତଲା ଦେଇଛି । କେଉଁ ଅଞ୍ଚଳରେ ହାତୀ ଶିକାର କରି ମାଫିଆ ଦାନ୍ତ ସଂଗ୍ରହ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନି ।