ଓଡିଶା

odisha

ETV Bharat / state

ରାଜ୍ୟରେ କଲରାପତରିଆ ଓ ହାତୀ ଗଣନା; କଲରାପତରିଆ ପାଇଁ ୩୩୧୨ ଟ୍ରାପ୍ କ୍ୟାମେରା ଓ ହାତୀ ପାଇଁ ୧୧୩୬ ଟ୍ରୀ-ହାଉସ - Leopard And Elephant Census - LEOPARD AND ELEPHANT CENSUS

Leopard And Elephant Census In Odisha: ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା । ୫୧ଟି ଡିଭିଜନରେ ୩ ହଜାର ୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି । ମେ' ୨୨ ତାରିଖରୁ ହାତୀ ଗଣନା । ଅଧିକ ପଢ଼ନ୍ତୁ

ରାଜ୍ୟରେ କଲରାପତରିଆ ବାଘ ଓ ହାତୀ ଗଣନା
ରାଜ୍ୟରେ କଲରାପତରିଆ ବାଘ ଓ ହାତୀ ଗଣନା (ETV Bharat Odisha)

By ETV Bharat Odisha Team

Published : May 4, 2024, 7:28 AM IST

ଭୁବନେଶ୍ବର: ଚଳିତ ବର୍ଷରୁ ରାଜ୍ୟରେ ଆରମ୍ଭ ହୋଇଛି ନିଜସ୍ଵ କଲରାପତରିଆ ବାଘ ଏବଂ ହାତୀ ଗଣନା । ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘ ଗଣନା କରାଯାଉଛି । ଏହାସହ ୪୩ଟି ଡିଭିଜନରେ ହାତୀ ଗଣନା କରାଯିବ । କଲରାପତରିଆ ବାଘ ଗଣନା ମେ' ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ୪୦ ଦିନ ପର୍ଯ୍ୟନ୍ତ ଚାଲିବ । ଏହାସହ ହାତୀ ଗଣନା ମେ' ୨୨ ତାରିଖରୁ ୨୪ ତାରିଖ ୩ ଦିନ ଧରି କରାଯିବ ।

ତେବେ କଲରାପତରିଆ ବାଘ ଗଣନା ପାଇଁ ଟ୍ରାପ କ୍ୟାମେରାକୁ ବ୍ୟବହାର କରାଯାଇଛି । ରାଜ୍ୟର ପ୍ରାୟ ୫୧ଟି ଡିଭିଜନରେ ୩ ହଜାର ୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି । ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗକିଲୋମିଟରରେ ୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପୂର୍ବ ବର୍ଷ ବାଘ ଗଣନା ସମୟରେ ଟ୍ରାପ୍ କ୍ୟାମେରାରୁ ମିଳିଥିବା କଲରାପତରିଆ ଚିତ୍ରକୁ ଚଳିତ ବର୍ଷ ଚିହ୍ନଟ ପାଇଁ ବ୍ୟବହାର କରାଯିବ । ତେବେ ସମସ୍ତ କଲରାପତରିଆ ଉପରେ କଡାକଡି ଭାବରେ ମନିଟରିଂ କରାଯାଉଛି ।

ଅନ୍ୟପଟେ ରାଜ୍ୟର ଥିବା ୪୩ଟି ଡିଭିଜନରେ ହାତୀଙ୍କର ସିଧାସଳଖ ଭାବରେ ଗଣନା କରାଯିବ । ଏହି ଡିଭିଜନ ମଧ୍ୟରେ ଥିବା ୧ ହଜାର ୧୩୬ଟି ଟ୍ରି-ହାଉସ ନିର୍ମାଣ କରାଯିବ । ଗଣନାକାରୀ ଟିମ ପାଇଁ ଏହାର ବ୍ୟବହାର କରାଯିବାର ବ୍ୟବସ୍ଥା କରାଯାଇଛି । ଏହାସହ ଟ୍ରି-ହାଉସ ମଧ୍ୟରେ ବ୍ୟାରେକ, ୱାଚ୍ ଟାୱାର ମଧ୍ୟ ବ୍ୟବହାର କରାଯିବ । ଏନେଇ ବିଶେଷ ଭାବରେ ବନ କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି । ମେ' ୧୫ ତାରିଖ ସୁଦ୍ଧା ଏହି ତାଲିମ ଶେଷ ହେବ । ସେହିଭଳି ଭାବରେ ମେ' ୨୧ ତାରିଖ ସୁଦ୍ଧା ବନ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର କିଟ୍ ଦିଆଯିବ । ଶେଷରେ ମେ' ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହାତୀଙ୍କ ଗଣନା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଥମୁନି ହାତୀ ଆତଙ୍କ, 3 ଦିନରେ ଗଲାଣି 3 ଜଣଙ୍କ ଜୀବନ - Elephant Attack

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଚିତାବାଘ ଜନସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ୨୦୨୨ ମସିହାରେ ଓଡ଼ିଶାର ଚିତାବାଘ ସଂଖ୍ୟା ୫୬୮ରେ ପହଞ୍ଚିଛି । ୨୦୧୮ରେ ରାଜ୍ୟରେ ୭୬୦ଟି ଚିତାବାଘ ଥିଲେ, ଚାରି ବର୍ଷରେ ଏହି ସଂଖ୍ୟା ୧୯୨ ହ୍ରାସ ପାଇଛି । ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ରହିଥିଲେ । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବାବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଥିଲା ।

ଗତବର୍ଷ ରାଜ୍ୟରେ ବାଘ ଗଣନା ସମୟରେ ୧୪୩୨ଟି ଟ୍ରାପ କ୍ୟାମେରା ଜଙ୍ଗଲ ମଧ୍ୟରେ ଲଗାଯାଇଥିଲା । ରାଜ୍ୟରେ ଥିବା ୪୭ଟି ଡିଭିଜନରେ ବାଘ ଗଣନା କରାଯାଇଥିଲା । କେବଳ ଭଦ୍ରକ, ରାଜନଗର, ପୁରୀ ଏବଂ ଚିଲିକାକୁ ଛାଡି ବାକି ଅନ୍ୟ ଡିଭିଜନରେ ଟ୍ରାପ କ୍ୟାମେରା ଲଗାଯାଇଥିଲା । ଏଥିରେ ୫୬୭ଟି ବାଘଙ୍କର ବିଭିନ୍ନ ଦିଗରୁ ଫଟୋ ଉଠାଯାଇଥିଲା । ତା' ଭିତରେ କଳାବାଘ ୪୦ ପ୍ରତିଶତ ରହିଥିବା ଜଣାପଡିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details