ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଜଣେ ମହିଳା ମାଓବାଦୀକୁ ଗିରଫ କରିଛି ପୋଲିସ । ମହିଳା ମାଓବାଦୀ ଜଣଙ୍କୁ ମାଲକାନଗିରି ଜିଲ୍ଲାର ଏମଭି ୭୯ ଥାନା ଅଧିନସ୍ଥ କୁର୍ତୀ ଜଙ୍ଗଲରୁ ଗିରଫ କରାଯାଇଛି । ମାଓବାଦୀ ଜଣକ ଜଙ୍ଗଲ ଭିତରେ ଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଏକ ଅପରେସନ ଲଞ୍ଚ୍ କରିଥିଲା । ଯେଉଁଥିରେ ଏହି ସଫଳତା ପୋଲିସକୁ ମିଳିପାରିଛି । ମହିଳା ମାଓବାଦୀଙ୍କର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ଜଙ୍ଗଲା ପୋଲିସ ଷ୍ଟେସନ ଅଧିନସ୍ଥ ପୁଲହାର ଗ୍ରାମର ହୋଇଥିବା ଜଣାପଡ଼ିଛି । ଓଡିଶାସୀମା ଭିତରୁ ପୋଲିସ ତାଙ୍କୁ ଗିରଫ କରିଛି ।
ମହିଳା ମାଓବାଦୀ ଗିରଫ:
SWR କୋରାପୁଟ ଡିଆଇଜିପି ନିତି ଶେଖରଙ୍କ ସୂଚନା ଅନୁସାରେ, କୁର୍ତୀ ଜଙ୍ଗଲରେ ମହିଳା ମାଓବାଦୀ ଜଣଙ୍କ ବୁଲୁଥିବାର ଖବର ମିଳିଥିଲା । ପୋଲିସ ପକ୍ଷରୁ ମହିଳାଙ୍କୁ ଧରାଯିବା ପରେ ଅଧିକ ପଚରାଉଚରା କରିବାରୁ ସେ ଜଣେ ମାଓବାଦୀ ବୋଲି ଜଣାପଡିଥିଲା । ବହୁ ମାଓ ହିଂସା କାଣ୍ଡରେ ସେ ସାମିଲ ରହିଥିବା ସ୍ବୀକାର କରିଛନ୍ତି । ତାଙ୍କର ନାମ ଆଣ୍ଟି ମାଡବି ଓରଫ ଲକି । ସେ ଛତିଶଗଡ଼ର ଦୁର୍ଦ୍ଦାନ୍ତ ମାଓନେତା ଉଦୟଙ୍କ ପ୍ରୋଟେକ୍ସନ ଟିମ୍ ସଦସ୍ୟା ଭାବରେ ରହି ଦୀର୍ଘ ବର୍ଷ କାମ କରିଛନ୍ତି । ଲାକେ ଛତିଶଗଡ଼ ପଶ୍ଚିମ ବସ୍ତର ଡିଭିଜନର ମାଓ ଡିଭିସିଏମ ସୁକ୍ରାମଙ୍କ ନେତୃତ୍ୱରେ ମାଓବାଦୀଙ୍କ ପ୍ଲାଟୁନ ନମ୍ବର ୧୨ରେ ୨୦୧୭ ମସିହାରେ ଯୋଗ ଦେଇଥିଲେ । ୯ଟି ଏନକାଉଣ୍ଟର ଘଟଣାରେ ସାମିଲ ସେ ଥିଲେ । ମାଲକାନଗିରି ଜିଲ୍ଲାର ତୁଳସୀ ଓ ଦୁଲଦୁଲି ଏନକାଉଣ୍ଟରରେ ମଧ୍ୟ ସେ ସାମିଲ ଥିବା ପ୍ରକାଶ କରିଛନ୍ତି । ଆଣ୍ଟି ମାଡବି ମାଲକାନଗିରି ଜିଲ୍ଲାରେ ୨ଟି ଛତିଶଗଡ଼ରେ ୪ଟି ଏବଂ ଆନ୍ଧ୍ରପ୍ରଦେଶରେ ୨ଟି ବଡ଼ ବଡ଼ ମାଓ ହିଂସାରେ ଜଡ଼ିତ ରହିଛନ୍ତି । ଆଜି ମାଲକାନଗିରି ପୋଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ମାଓ କ୍ୟାଡ଼ର ଟିକେସର ଆତ୍ମସମର୍ପଣ |