ଓଡିଶା

odisha

ETV Bharat / state

କୋଶଳକୁ ନେଇ ରାଜନୀତି ଚଳିବ ନାହିଁ: ପ୍ରମୋଦ ମିଶ୍ର

Pramod Mishra on Koshal Politics: କୋଶଳ ରାଜ୍ୟ ଦାବି ନେଇ ଜୋର ଧରିଛି ଆନ୍ଦୋଳନ । କୋଶଳ ନାଁରେ ରାଜନୀତି କିମ୍ବା ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ନେତାଙ୍କୁ ସିଧାସଳଖ ଚେତାବନୀ ଦେଇଛି କୋଶଳ ସମନ୍ୱୟ ସମିତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 22, 2024, 10:26 AM IST

କୋଶଳ ରାଜ୍ୟ ଦାବି
କୋଶଳ ରାଜ୍ୟ ଦାବି

କୋଶଳ ରାଜ୍ୟ ଦାବି

ବଲାଙ୍ଗୀର:ଅଲଗା କୋଶଳ ରାଜ୍ୟ ଦାବି ନେଇ ଜୋର ଧରିଛି ଆନ୍ଦୋଳନ । ଆଗକୁ ନିର୍ବାଚନ ଥିବା ବେଳେ କିଛି ନେତା ଏହାକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି । ସେପଟେ ଏଭଳି ସ୍ଥଳେ କୋଶଳ ନାଁରେ ରାଜନୀତି କିମ୍ବା ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ନେତାଙ୍କୁ ସିଧାସଳଖ ଚେତାବନୀ ଦେଇଛି କୋଶଳ ସମନ୍ୱୟ ସମିତି।

ବଲାଙ୍ଗୀରରେ ଗତକାଲି(ବୁଧବାର) କୋଶଳ ସମନ୍ୱୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ କୋଶଳ ନାଁରେ କିଛି ସ୍ୱାର୍ଥବାଦୀ ନେତା ତାଙ୍କର ସ୍ୱାର୍ଥ ହାସଲ କରିବା ପାଇଁ ରାଜନୀତି କରୁଥିବାର ସିଧାସଳଖ ଅଭିଯୋଗ ଆଣିଛନ୍ତି କୋଶଳବାଦୀ ନେତା ତଥା କୋଶଳ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର । ତେବେ କୋଶଳକୁ ସିଧାସଳଖ କୌଣସି ରାଜନୈତିକ ଦଳ ଆଜି ଯାଏଁ ସମର୍ଥନ ଦେଇନାହାନ୍ତି । ହେଲେ ଅନେକ ବରିଷ୍ଠ ନେତା ଓ ସୁବିଧାବାଦୀ ନେତା ତାଙ୍କର ଅନ୍ୟପଟେ ସ୍ୱାର୍ଥ ହାସଲ ନ ହେବାରୁ ଏବେ କୋଶଳକୁ ଲାଞ୍ଚ ପେଡ କରିବାକୁ ପଛାଇ ନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

ପ୍ରମୋଦ ମିଶ୍ର କହିଛନ୍ତି, ' ବଲାଙ୍ଗୀରର ବରିଷ୍ଠ ନେତା ବିଜେଡିରୁ ତାଙ୍କ ପୁଅ ପାଇଁ ଟିକେଟ ନ ପାଇବାରୁ ଓଡ଼ିଶା ଭାଗ କରିବା ନାଁରେ କୋଶଳକୁ ସମର୍ଥନ କରୁଛନ୍ତି । ସେହିପରି ଜଣେ ପରଦେଶୀ କୋଶଳକୁ ଆସି କୋଶଳକୁ ଶୋଷଣ କରାଯାଉଥିବାର କଥାକହି ଏବେ ବଲାଂଗୀରରୁ ଅନ୍ୟଦଳରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।' ତେବେ ସେ ସିଧାସଳଖ ନାଁ ନେଇ ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ସିନେ ଅଭିନେତା ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କୋଶଳ ଅଞ୍ଚଳରେ ଆଗରୁ ମଧ୍ୟ ଅନେକ ନେତା କୋଶଳକୁ ଲଞ୍ଚ୍ ପେଡ୍ କରି ନିର୍ବାଚନ ଜିତିବା ପରେ କୋଶଳକୁ ଅବହେଳା କରିଛନ୍ତି । ତେଣୁ ଏଥର ଏମିତି ଆଉ ହେବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କୋଶଳ ରାଜ୍ୟ ଦାବି ଆନ୍ଦୋଳ ଜୋରଦାର ହେବ: କୋଶଳବାଦୀ ନେତା ପ୍ରମୋଦ ମିଶ୍ର

ପ୍ରମୋଦ ମିଶ୍ର ଆହୁରି କହିଛନ୍ତି ଯେ, 'ଯଦି କୋଶଳ ପାଇଁ ତାଙ୍କର ସତରେ ଦରଜ ଅଛି ତାହା ହେଲେ କୋଶଳର ନେତା ହୁଅନ୍ତୁ ଓ ନିର୍ବାଚନ ଲଢ଼ି କୋଶଳ ରାଜ୍ୟ ପାଇଁ ଲଢେଇ କରନ୍ତୁ । ଯଦିଓ ଏବେ କୌଣସି ଦଳ ଟିକେଟ କାହାରିକୁ ଦେଇ ନାହିଁ, ତେବେ କିଛି ନେତା ନିଜକୁ ପ୍ରାର୍ଥୀ ଭାବି କୋଶଳକୁ ଢାଲ କରି ନିର୍ବାଚନରେ ପାରି ହେବାକୁ ଯୋଜନା କରୁଛନ୍ତି।' ତେଣୁ ସେମାନେ ଆଗକୁ ଟିକେଟ ପାଇଲେ କୋଶଳ ସମନ୍ୱୟ ସମିତି ଆଗକୁ ଗାଁ ଗାଁ ବୁଲି ତାଙ୍କ ବିରୋଧରେ ପ୍ରଚାର କରିବ ବୋଲି ସେ କହିଛନ୍ତି।

ସୂଚନା ଥାଉ କି, ନରସିଂହ ମିଶ୍ର ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ଅବହେଳା ପ୍ରସଙ୍ଗ ଉଠାଇ ଓଡିଶା ଭାଗ ଭାଗ ହେବା କଥା କହି ଆସିଛନ୍ତି । ସେହିପରି ସିନେ ଅଭିନେତା ମନୋଜ ମିଶ୍ର ତାଙ୍କ ମାଇଣ୍ଡ ଗେମ ସିନେମା ବିବାଦ ପରେ ସେ କୋଶଳ ଆନ୍ଦୋଳନ ନାଁରେ ଆଗକୁ ଆସି ତୀବ୍ର ସମାଲୋଚନାର ଶିକାର ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ନରସିଂହ ମିଶ୍ରଙ୍କ ହାତ ଧରି କଂଗ୍ରେସରେ ସାମିଲ ହେବା ଓ ବଲାଙ୍ଗୀରରୁ ସାଂସଦ ପ୍ରାର୍ଥୀ ହେବା ସୂଚନା ପରେ କୋଶଳ ସଂଗଠନ ତାଙ୍କୁ ସୁବିଧାବାଦୀ ନେତା ବୋଲି ଏବେ ଆଖ୍ୟା ଦେଇ ସମାଲୋଚନା କରିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details