ବଲାଙ୍ଗୀର:ଭାଗ ଭାଗ ହେବ କି ଓଡ଼ିଶା ? କୋଶଳ ରାଜ୍ୟ ସୁନିଶ୍ଚିତ କି ? ପଶ୍ଚିମ ଓଡ଼ିଶାକୁ ବୈମାତୃକ ମନୋଭାବ, ଆଞ୍ଚଳିକ ବୈଷମ୍ୟ ଓ ଅହେତୁକ ଅବହେଳା ଅଭିଯୋଗ ଆଣି ପୁଣି ଅଲଗା କୋଶଳ ରାଜ୍ୟ ଦାବି ଧରିଲା ଜୋର । ଆଗ ଧାଡ଼ିର ନେତା ମଧ୍ୟ ଉଠାଇଲେ କୋଶଳ ରାଜ୍ୟ ଦାବି । ଅଲଗା କୋଶଳ ରାଜ୍ୟ ନେଇ ଆନ୍ଦୋଳନ ଦାବି ଦୀର୍ଘ ଦଶନ୍ଧିରୁ ହୋଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପୁଣି ଜୋର ଧରିଛି । ପୂର୍ବରୁ କେବଳ କୋଶଳ ସଂଗଠନ ମାନେ ଏହି ଦାବି କରି ଆସୁଥିବା ବେଳେ ଏବେ ବଲାଙ୍ଗୀରର ଆଗ ଧାଡ଼ିର ନେତା ମଧ୍ୟ ଏହି ଦାବି କରିଛନ୍ତି । ଏବଂ ଆଗକୁ ଏହା ପାଇଁ ଆନ୍ଦୋଳନ ତେଜ ହେବ ବୋଲି ଦେଇଛନ୍ତି ଚେତାବନୀ ।
ପୁଣି ଉଠିଲା ପଶ୍ଚିମ ଅବହେଳା ପ୍ରସଙ୍ଗ:
ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା, ବୈମାତୃକ ମନୋଭାବ ଓ ଆଞ୍ଚଳିକ ବୈଷମ୍ୟତା ଅଭିଯୋଗ ପୁଣି ଆସିଛି । ଓଡ଼ିଶାର ସବୁ ସରକାର ସବୁ ବେଳେ ଏ ଅଞ୍ଚଳକୁ ଅବହେଳା କରି ଆସୁଥିବା ବେଳେ ଏବେ ବି ଗରିବୀ, ଦାଦନ, ବେରୋଜଗାରୀ ଭଳି ସମସ୍ୟା ଏଠି ଗୁରୁତର ହୋଇଥିବାର ଆସିଛି ଅଭିଯୋଗ । ଓଡ଼ିଶାର ବଜେଟରେ ସିଂହଭାଗ ପୂର୍ବ ଓଡ଼ିଶା ପାଇ ଆସୁଥିବା ବେଳେ ଆଜି ବି ପଶ୍ଚିମ ଓଡ଼ିଶାର ଅଢେଇ କୋଟି ଲୋକ ବିକାଶ ଦେଖି ନ ଥିବାର ଅଭିଯୋଗ । ଜଳ ସେଚନ ସୁବିଧା, ରାସ୍ତା ଘାଟ ସମସ୍ୟା, କଳକାରଖାନା ବିହୀନ ଅଞ୍ଚଳ, ଶିକ୍ଷା ଓ ସ୍ବାସ୍ଥ୍ୟରେ ଅବହେଳା ଭଳି ମାଳ ମାଳ ଅଭିଯୋଗ ନେଇ ଦୀର୍ଘ ଦଶନ୍ଧିରୁ ଅଲଗା କୋଶଳ ରାଜ୍ୟ ଦାବି ହୋଇ ଆସୁଛି ।
ଏପଟେ ନୂଆ ବିଜେପି ସରକାର ଏସବୁ ଉପରେ ଧ୍ୟାନ ଦେବେ ବୋଲି ସମସ୍ତଙ୍କର ଆଶା ଥିବା ବେଳେ ଏବେ ତାହା ମଉଳି ଯାଇଛି ବୋଲି କହିଛନ୍ତି ଲୋକେ । ଏବେ ଏହି ଆନ୍ଦୋଳନରେ ଆଗ ଧାଡ଼ିର ନେତା ମଧ୍ୟ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି । ସେହିପରି ଏଥର ନିର୍ବାଚନରେ ମଧ୍ୟ ଏହାକୁ କଂଗ୍ରେସ ଦଳ ଏଠିକାର ମୁଖ୍ୟ ମୁଦ୍ଦା କରି ନିର୍ବାଚନ ଲଢିଥିଲା ଏବଂ ଏବେ ପୁଣି କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର ଓଡ଼ିଶା ଭାଗ ହେବ ବୋଲି କହିଛନ୍ତି । ପୁଣି ପଶ୍ଚିମ ଓଡ଼ିଶାକୁ ଅବହେଳା କରାଯାଉଥିବାର ଅଭିଯୋଗ ଆଣି ସେ ଅଲଗା କୋଶଳ ରାଜ୍ୟ ନିଶ୍ଚିତ ବୋଲି କହିଛନ୍ତି ।
କେବେଠୁ ହେଉଛି ଦାବି ?
ତେବେ ଭାରତ ସ୍ଵାଧୀନ ହେବା ପରେ ପାଟଣା ରାଜ୍ୟ ଓଡ଼ିଶାରେ ମିଶିଥିଲା ଏବଂ ସେହି ସମୟରେ ଏଠି ହାଇକୋର୍ଟ ଟ୍ରାନ୍ସପୋର୍ଟଠୁ ନେଇ ସବୁ ସୁବିଧା ଥିଲା । ତେବେ ଓଡ଼ିଶା ରାଜ୍ୟରେ ମିଶିବା ପରେ ତାହା ସବୁ ଏଠି ଉଠାଇ ନିଆଯାଇଥିଲା । ସେ ସମୟରେ ପାଟନା ରାଜ୍ୟ ମିଶ୍ରଣ ସମୟର ମର୍ଜର ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଯେଉଁଥିରେ ଯାହା ସବୁ ସୁବିଧା ଏଠି ଥିଲା ତାହା ପରବର୍ତ୍ତୀ ସମୟରେ ମଧ୍ୟ ଏଠି ଯୋଗାଇ ଦିଆ ଯିବା କଥା । ହେଲେ ତାହା ଓଡ଼ିଶା ରାଜ୍ୟ ସରକାର ସବୁ ବେଳେ ଅଣଦେଖା କରି ଓ ପାଳନ କଲେ ନାହିଁ ବୋଲି ଅଭିଯୋଗ ରହିଛି । ଏପରିକି ଏଠି ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି, କୃଷି ବିଶ୍ଵବିଦ୍ୟାଳୟ ଦାବି, କଳକାରଖାନା ଦାବି ଏଥର ନିର୍ବାଚନରେ ହୋଇଥିଲା । ହେଲେ ଏବେକାର ସରକାର ବିଧାନ ସଭାରେ ହାଇକୋର୍ଟ ବେଞ୍ଚ ନହେବା ନେଇ ଦେଇଥିବା ମନ୍ତବ୍ୟ ପୁଣି ଏହି ଆନ୍ଦୋଳନରେ ତେଲ ଦେଇଛି ।
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା:
ତେବେ ପୂର୍ବତନ ଆଇନ ମନ୍ତ୍ରୀ ତଥା କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, "ପଶ୍ଚିମ ଓଡ଼ିଶାକୁ ଜାଣି ଶୁଣି ପୂର୍ବ ସରକାର ଅବହେଳା କରି ଆସୁଥିବା ବେଳେ ଏବେ ନୂଆ ସରକାର ମଧ୍ୟ ସମାନ ନୀତି ଧରିଛନ୍ତି । ଓଡ଼ିଶା ରାଜ୍ୟ ଗଠନ ହେବା ସମୟରେ ପାଟଣା ଗଡ ଜାତ ରାଜ୍ୟକୁ ଓଡ଼ିଶାରେ ମିଶା ଯାଇଥିଲା ଏବଂ ସେତେବେଳେ ଏକ ମର୍ଜର ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଯେଉଁଥିରେ ମିଶ୍ରଣ ହୋଇଥିବା ରାଜ୍ୟକୁ ଆଗରୁ ଥିବା ସବୁ ସୁବିଧା ଯୋଗାଇ ଦିଆଯିବାର ଉଲ୍ଲେଖ ହୋଇଛି । ହେଲେ ଏଠିକାର ସରକାର ସେ ସବୁର ଖିଲାପି କରି ଆସୁଛନ୍ତି ଏବଂ ଅହେତୁକ ବୈମାତୃକ ମନୋଭାବ ଏ ଅଞ୍ଚଳ ପ୍ରତି ପୋଷଣ କରି ଆସୁଛନ୍ତି । ଏଭଳି କାରଣ ଯୋଗୁ ଛତିଶଗଡ ରାଜ୍ୟ ଗଠିତ ହୋଇଥିଲା ଏବଂ ଆଗକୁ ଏଠି ମଧ୍ୟ ହେବ ।
ପୁଣି ଉଠାଇଲେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ:
ନରସିଂହ ମିଶ୍ର ଆହୁରି କହିଛନ୍ତି, ‘ତେବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ ଦାବି ହୋଇ ଆସୁଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲା ଏକ ମାତ୍ର ଜିଲ୍ଲା ଭାବରେ ଏହାର ଯୋଗ୍ୟତା ରଖିଛି । ଯାହାକୁ ପୂର୍ବ ସରକାରଙ୍କ ପାଲ କମିଶନ ଓ ଜଶୱନ୍ତ ସିଂହ କମିଶନ ତାଙ୍କ ରିପୋର୍ଟରେ କହି ସାରିଛନ୍ତି । ସେହିପରି ବଲାଙ୍ଗୀରରେ ପୂର୍ବରୁ ହାଇକୋର୍ଟ ଥିଲା, ଏ ଅଞ୍ଚଳର ଲୋକେ ଏବେ ବି ଗରିବ ଥିବା ବେଳେ ଦୂରକୁ ଯାଇ ନ୍ୟାୟ ପାଇଁ ଯାଇ ହଇରାଣ ହେଉଛନ୍ତି । ଏବଂ ଅନ୍ୟ ସବୁ କାରଣ ଯୋଗୁଁ ବଲାଙ୍ଗୀରରେ ହିଁ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବା ଜରୁରୀ । ହେଲେ ପୂର୍ବ ସରକାର ଏହାକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦି ଚୁପ୍ ବାସି ଥିଲେ । ଅନ୍ୟପଟେ ଏବେ ନୂଆ ସରକାର କଠୋର ମନୋଭାବ ଗ୍ରହଣ କରି ହାଇକୋର୍ଟ ବେଞ୍ଚ ଆବଶ୍ୟକ ନାହିଁ ବୋଲି ସଫା ମନା କରିବା ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଛି । ’