ଭୁବନେଶ୍ବର:ଟ୍ରେଡିଂ ମୋହରେ ଏବେର ଯୁବପିଢି । ମୋବାଇଲ କିମ୍ବା ଲାପଟପ ହାତ ପାଖରେ ରହିଛି ମାନେ ଟ୍ରେଡିଂ ଆରମ୍ଭ କରୁଛନ୍ତି ଯୁବକ ଯୁବତୀ । ଦେଖାଯାଉଛି ଅନେକ ଯୁବକ ଯୁବତୀ କଲେଜ ସରିଲା ପରେ ବିଶେଷ ଭାବରେ ଚାକିରି ପଛରେ ନ ପଡ଼ି ଟ୍ରେଡିଂ ମାଧ୍ୟମରେ ରୋଜଗାର କରିବାକୁ ବେଶ ପସନ୍ଦ କରୁଛନ୍ତି । ଚାକିରି ବଦଳରେ ଟ୍ରେଡିଂ ଦ୍ବାରା ଯୁବପିଢି ରୋଜଗାରର ବିକଳ୍ପ ପନ୍ଥା ଆପଣାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଗାଁଠାରୁ ସହରର ଯୁବକ ଯୁବତୀ ଏବେ ଟ୍ରେଡିଂ ମୋହରେ । ଏଥିରେ ବିଭିନ୍ନ ବୟସର ଲୋକମାନେ ଟ୍ରେଡିଂ କରୁଛନ୍ତି। କଲେଜର ଯୁବକ ଯୁବତୀ, ଚାକିରି କରୁଥିବା ଲୋକମାନେ ଏବଂ ବୟସ୍କ ଲୋକମାନେ ଏଥିରେ ରୋଜଗାର କରିବା ଆରମ୍ଭ କଲେଣି। ଅନେକ ପିଲା ଅଛନ୍ତି, ଯେଉଁମାନେ କି କଲେଜରେ ଏବେବି ପାଠ ପଢୁଛନ୍ତି । ରାଜ୍ୟର ଅନେକ ଜିଲ୍ଲାରୁ ଆସି ଭୁବନେଶ୍ବରରେ ଟ୍ରେଡିଂ ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏବଂ ଅନେକ ପିଲାମାନେ ମଧ୍ୟ କିଛି ମାତ୍ରାରେ ରୋଜଗାର କରୁଥିବା ଜଣାପଡିଛି ।
ଟ୍ରେଡିଂକୁ ନେଇ ଯୁବପିଢି ଶ୍ରୀବଲ୍ଲଭ ଭୋଳ କହିଛନ୍ତି, "ଏହା ହେଉଛି ଏକ ରୋଜଗାରର ଏକ ମାଧ୍ୟମ । ଯାହା ଫଳରେ ଚାକିରି ଅପେକ୍ଷା ଅଧିକରୁ ଅଧିକ ରୋଜଗାର କରିପାରୁଛୁ । ଏଥିରେ ପୂର୍ବରୁ ଜ୍ଞାନ ରହିଥିବା ବେଳେ ଅଧିକରୁ ଅଧିକ ଜ୍ଞାନ ଆରୋହଣ ପାଇଁ ପ୍ରଶିକ୍ଷଣ ମଧ୍ୟ ନେଉଛି । ଯାହା ଫଳରେ ଆଗକୁ ଆହୁରି ସଠିକ ଭାବରେ ରୋଜଗାର କରିପାରିବୁ ।" ଏପଟେ ସାଙ୍କେତିକ ତ୍ରିପାଠୀ କହିଛନ୍ତି ଯେ, ସେ ଜଣେ ବାଣିଜ୍ୟ ଛାତ୍ରୀ । ପୂର୍ବରୁ ଟ୍ରେଡିଂକୁ ନେଇ ଆଗ୍ରହ ରହିଥିଲା । ଏହାଦ୍ବାରା କିଛି ରୋଜଗାର କରିପାରିବେ ଏବଂ ନିଜେ ସ୍ଵାଧୀନ ଭାବରେ କାମ କରିପାରିବେ । ଆଜିକା ଦିନରେ ଚାକିରି କରିବା ସହ ଅନ୍ୟ ବିକଳ୍ପ ରୋଜଗାର ପନ୍ଥା ଆପଣାଇବାକୁ ପଡୁଛି । ତେଣୁ ଟ୍ରେଡିଂ ମଧ୍ୟରେ ନିଜର ଆବଶ୍ୟକତାକୁ ପୂରଣ ମଧ୍ୟ କରିପାରୁଛୁ । ଜଣେ ବନ୍ଧୁଙ୍କ କହିବା ଅନୁସାରେ ଏଥିରେ ଅଂଶଗ୍ରହଣ କରିଥିବା କହିଛନ୍ତି ସାଙ୍କେତିକ।
ଏପଟେ ସୁନିତା ପ୍ରଧାନ କହିଛନ୍ତି, "ଘରେ ଆର୍ଥିକ ସମସ୍ୟା ଅଧିକ ମାତ୍ରାରେ ରହିଛି । ଶିକ୍ଷକତା କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଶିକ୍ଷକତା ହରାଇ ଏବେ ସେ ଘରେ ଅଛି । କିନ୍ତୁ ଏପଟେ ଏବେ ଆରମ୍ଭ କରିଛି ଟ୍ରେଡିଂ । ଏଥିରେ ସଫଳ ହେବି ବୋଲି ଆଶା ।" ଅନ୍ୟପଟେ ଛାତ୍ର ରାକେଶ ପ୍ରଧାନ କହିଛନ୍ତି, " ସୋସିଆଲ ମିଡିଆରେ ଦେଖିବା ପରେ ଟ୍ରେଡିଂକୁ ଆପଣାଇଛି।"