ଓଡିଶା

odisha

ETV Bharat / state

ଗୋଟିଏ ଲିଙ୍ଗରେ ପୂଜା ପାଉଛନ୍ତି ଉମା ଓ ଶଙ୍କର, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ଦାବି - MAHASHIVRATRI 2025

ପ୍ରଭୁଙ୍କ ଯୋଗରେ ଯେଭଳି କୌଣସି ବିଘ୍ନ ନଆସୁ ସେଥିପାଇଁ ଜାଗ୍ରତ ପ୍ରହରୀରେ ଅଛନ୍ତି ଉମା । ଏମିତି ବିରଳ ଠାକୁର ହେଉଛନ୍ତି ଉମାକାନ୍ତେଶ୍ବର ।

ଗୋଟିଏ ଲିଙ୍ଗରେ ପୂଜା ପାଉଛନ୍ତି ଉମା ଓ ଶଙ୍କର
ଗୋଟିଏ ଲିଙ୍ଗରେ ପୂଜା ପାଉଛନ୍ତି ଉମା ଓ ଶଙ୍କର (ETV Bharat)

By ETV Bharat Odisha Team

Published : Feb 26, 2025, 5:20 PM IST

କେନ୍ଦ୍ରାପଡା: ଉମାଙ୍କ କୋଳରେ ଶଙ୍କର । ଗୋଟିଏ ଅଙ୍ଗରେ ପୂଜା ପାଆନ୍ତି ଶିବ ପାର୍ବତୀ । ଉମାଙ୍କ କୋଳରେ ମହାଦେବ ଯୋଗରେ ଅଛନ୍ତି । ଶିବଙ୍କ ଜାଗ୍ରତ ପ୍ରହରୀ ହେଉଛନ୍ତି ଶଙ୍କର । ପ୍ରଭୁଙ୍କ ଯୋଗରେ ଯେଭଳି କୌଣସି ବିଘ୍ନ ନଆସୁ ସେଥିପାଇଁ ଜାଗ୍ରତ ପ୍ରହରୀରେ ଅଛନ୍ତି ଉମା । ଲିଙ୍ଗର ସାମ୍ନା ପାର୍ଶ୍ବରେ ମା' ପାର୍ବତୀଙ୍କ ମୁଖ ମଣ୍ଡଳ ଦୃଶ୍ୟମାନ ହେଉଥିବା ବେଳେ ଲିଙ୍ଗର ଅନ୍ୟ ଏକ ପାର୍ଶ୍ଵରେ ରହିଛି ମହାଦେବଙ୍କ ମୂର୍ତ୍ତି। ଏମିତି ବିରଳ ଠାକୁର ହେଉଛନ୍ତି ଉମାକାନ୍ତେଶ୍ବର । ଯିଏ ଯେତେବେଳେ ଯାହା ମାଗିଛି ତା ପାଇଛି । ଶୀତଳ ଷଷ୍ଠୀ ଠୁ ମହାଶିବରାତ୍ରି ସବୁ ଏଠି ଧୂମଧାମ୍‌ରେ ଚାଲେ । ମହାଶିବରାତ୍ରି ଉପଲକ୍ଷେ ଜାଣନ୍ତୁ ଏଭଳି ବିରଳ ମନ୍ଦିରର ମାହାତ୍ମ୍ୟ ।

ଗୋଟିଏ ଲିଙ୍ଗରେ ପୂଜା ପାଉଛନ୍ତି ଉମା ଓ ଶଙ୍କର (ETV Bharat)

ପବିତ୍ର ମହାଶିବରାତ୍ରିରେ ଭକ୍ତଟିଏ ନିଜର ମନୋବାଞ୍ଛା ପୂରଣ ପାଇଁ ଦେବାଧିଦେଵ ମହାଦେବଙ୍କ ପାଖରେ ମାନସିକ କରିଥାଏ। ସାରା ବିଶ୍ୱରେ ପ୍ରଭୁ ଭୋଳାନାଥ "ଲିଙ୍ଗ" ରୂପରେ ପୂଜା ପାଇଥାନ୍ତି। ପାର୍ଶ୍ୱ ଦେବୀ ଭାବେ ମା' ପାର୍ବତୀ ରହିଥାନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ୍ ବ୍ଲକ ଅଧିନରେ ଏମିତି ଏକ ଶୈବପୀଠ ରହିଛି ଯେଉଁଠାରେ ମହାଦେଵ ଏବଂ ମା ପାର୍ବତୀ ଗୋଟିଏ ଲିଙ୍ଗରେ ଆବିର୍ଭୂତ ହୋଇ ପୂଜା ପାଇ ଆସୁଛନ୍ତି। ଏହି ବିରଳ "ଉମାକାନ୍ତେଶ୍ୱର" ମନ୍ଦିର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ ରଘୁଦେଇପୁର ପଞ୍ଚାୟତର ରାଜନଗର ଗ୍ରାମରେ ଅବସ୍ଥିତ।

  • ମାନସିକ କଲେ ମନସ୍କାମନା ପୂରଣ

ଉମାକାନ୍ତେଶ୍ୱରଙ୍କ ନିକଟରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ସେଥିପାଇଁ ତ ବର୍ଷକ ୩୬୫ ଦିନ ବିଭିନ୍ନ ମାନସିକଧାରୀଙ୍କ ପୂଜା ପାଠ ସହିତ ଏହି ଯୁଗଳ ମୂର୍ତ୍ତିଙ୍କ ନିକଟରେ ପିତଳ ନାଗ ମୂର୍ତ୍ତି ଦାନ କରାଯାଇଥାଏ। ଏହି ଉମାକାନ୍ତେଶ୍ୱର ମନ୍ଦିରରେ ମହାଶିବରାତ୍ରି,ବଡ଼ଓଷା,ଶିବ ବିବାହ ଆଦି ପର୍ବପର୍ବାଣୀ ବେଶ ଧୁମଧାମରେ ପାଳନ କରାଯାଏ। ଯେଉଁଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବି ଶ୍ରଦ୍ଧାଳୁଙ୍କ ଏଠାକୁ ସୁଅ ଛୁଟିଥାଏ ।

‘‘ଆମେ ଶୁଣିଆସୁଛୁ 200 ବର୍ଷ ଧରି ଏଠାରେ ଉମାକାନ୍ତେଶ୍ବର ପୂଜା ପାଉଛନ୍ତି । ଏଠି ଭକ୍ତକୁ କେବେ ଖାଲିହାତରେ ଫେରାନ୍ତିନି ବାବା । ବହୁ ଜାକଜମକରେ ଆମେ ତାଙ୍କର ସବୁ ପର୍ବ ପାଳନ କରୁଛୁ’’ ବୋଲି କୁହନ୍ତି ଭକ୍ତ ଭାରତୀ ମଲ୍ଲିକ ।

ଗୋଟିଏ ଲିଙ୍ଗରେ ପୂଜା ପାଉଛନ୍ତି ଉମା ଓ ଶଙ୍କର (ETV Bharat)
  • ନେପାଳ ରାଜା ମନ୍ଦିର ପ୍ରତିଷ୍ଠା କରିଥିଲେ

‘‘ ମନ୍ଦିର ଅବସ୍ଥିତ ଥିବା ସ୍ଥାନର ଠିକ ତଳେ "ମଧୁସାଗର" ରହିଥିବା ବେଳେ ଏହି ମନ୍ଦିରର ଚତୁଃପାର୍ଶ୍ୱ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ ରହିଥିଲା । ଏହି ମନ୍ଦିରର ପ୍ରତିଷ୍ଠା ନେପାଳର ତତ୍କାଳୀନ ରାଜାମାନଙ୍କ ଦ୍ୱାରା କରାଯାଇଥିଲା। ପରେ ଆଳି ରାଜା ଏହି ଅଞ୍ଚଳକୁ ଜୟ କରିବା ପରେ ଏହି ମନ୍ଦିରର ଚତୁଃପାର୍ଶ୍ବକୁ ସୁଉଚ୍ଚ ପ୍ରାଚୀର ଦ୍ୱାରା ଆବଦ୍ଧ କରିଦେଇଥିଲେ। କାଳକ୍ରମେ ଏହି ପ୍ରାଚୀର ଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ଏହାର ଭଗ୍ନାବଶେଷ ଏବେ ମାଟିତଳେ ପୋତି ହୋଇରହିଛି। ଏହି ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଠାରେ ପୂଜା ପାଉଥିବା "ଉମାକାନ୍ତେଶ୍ବର" ମୂର୍ତ୍ତି ପାତାଳରୁ ବାହାରିଥିବା ବିଶ୍ୱାସ ରହିଛି । କାରଣ ସମୁଦ୍ରରେ ଜୁଆର ଆସିବା(ପୂର୍ଣ୍ଣିମା ରୁ ଅମାବାସ୍ୟା)ସମୟରେ ମନ୍ଦିରରେ ପୂଜା ପାଉଥିବା ଉମାକାନ୍ତଙ୍କ ନିକଟରେ ପାଣି ବଢୁଥିବା ବେଳେ ଜୁଆର ଛାଡ଼ିଗଲେ (ଅମାବାସ୍ୟା ଠାରୁ ପୂର୍ଣ୍ଣିମା) ଏଠାରେ ଯେତେ ଜଳ ଅଭିଷେକ କଲେ ମଧ୍ୟ ପାଣି କୁଆଡେ ଉଭେଇଯାଏ’’ ବୋଲି କହିଛନ୍ତି ମନ୍ଦିରର ଟ୍ରଷ୍ଟ ସଦସ୍ୟ ମହେନ୍ଦ୍ର ମଲ୍ଲିକ ।

ଗୋଟିଏ ଲିଙ୍ଗରେ ପୂଜା ପାଉଛନ୍ତି ଉମା ଓ ଶଙ୍କର (ETV Bharat)

ସେ ଆହୁରି ମଧ୍ୟ କହିଛନ୍ତି ‘‘ଏହି ମନ୍ଦିରର ଦୀର୍ଘ 50 ବର୍ଷ ତଳେ କୌଣସି ଉଦ୍ଧାର ହୋଇନଥିଲା । ଏହି 20 ବର୍ଷ ଧରି ମନ୍ଦିରର ପୁନଃଉଦ୍ଧାର କାମ ଏବେ ପର୍ଯ୍ୟନ୍ତ ଚାଲିଛି । ନେପାଳର ରାଜା ଏଠାକୁ ଆସି ଯୋଗ ଆଦି କରୁଥିଲେ । ଏଥିଯୋଗୁଁ ଶିବ ଉପାସକଙ୍କ ଏଠାକୁ ଆସୁଥିଲେ । ସେମାନେ ତାଙ୍କ ରଙ୍ଗଢଙ୍ଗର କଛି ଇଟା ଏଠି ରଖିଥିଲେ । ଏହି ଇଟାରେ ନେପାଳୀ ଭାଷାରେ ଭାଷାଲିପିର ଆମେ ସନ୍ଧାନ ପାଇଛୁ’’ ।

ଏହା ମଧ୍ୟ ପଢନ୍ତୁଭୋଳାନାଥଙ୍କ ଭୁଲ ଭୁଲୈୟାଁ ମନ୍ଦିର, ମହାଶିବରାତ୍ରିରେ ଖିରୀ ପ୍ରସାଦ ସେବନ କଲେ ହୁଏ ସନ୍ତାନପ୍ରାପ୍ତି

ଏହା ମଧ୍ୟ ପଢନ୍ତୁମହାଶିବରାତ୍ରିରେ ଚଳଚଞ୍ଚଳ ଶୈବପୀଠ, ଲିଙ୍ଗରାଜଙ୍କ ଦର୍ଶନ କରି ସାରିଲେଣି ୫୦ ହଜାର ଭକ୍ତ

  • ଏବେବି ଶୈବପୀଠର ସରୁନି ବିକାଶ କାମ

ଜିଲ୍ଲା ଓ ରାଜ୍ୟ ପ୍ରଶାସନ ପକ୍ଷରୁ ଏହି ପୀଠର ଉନ୍ନତିକରଣ ସାଙ୍ଗକୁ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅନ୍ୟପଟେ ପ୍ରଶାସନ ଦ୍ୱାରା ଏହି ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସମ୍ଭବ ନହେବାରୁ ଗାଁର କିଛି ଉତ୍ସାହୀ ଯୁବକ ନିଜ ଖର୍ଚ୍ଚରେ ମନ୍ଦିରର ସାମୟିକ ଉନ୍ନତି କରି ପାରିଛନ୍ତି।

‘‘ଏହା ଏକ ଐତିହାସିକ ପୀଠ । ଏହି ମନ୍ଦିର ବହୁ ଦୟନୀୟ ଅବସ୍ଥାରେ ପଡିଥିଲା । ଏହି ମନ୍ଦିରରେ ଗୋଟିଏ ଲିଙ୍ଗରେ ଉଭୟ ଶିବ ପାର୍ବତୀ ପୂଜା ପାଉଛନ୍ତି । କିନ୍ତୁ ସରକାରୀ ସହାୟତା ଏଠି ଅପହଞ୍ଚ । ସରକାର ଚାହିଁଲେ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳନ୍ତା । ଯେଉଁ ଭଳି ଭାବେ ଭକ୍ତ ଏଠାକୁ ଆସୁଛନ୍ତି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ମିଳିଲେ ନିଶ୍ଚିତ ଭାବେ ପର୍ଯ୍ୟଟନ ଶିଳ୍ପର ବକାଶ ହୁଅନ୍ତା। ଏଠି କେବଳ ଭକ୍ତଙ୍କ ଅନୁଦାନରେ ମନ୍ଦିର ଚାଲିଛି । ଏ ମନ୍ଦିର କେବଳ କେନ୍ଦ୍ରାପଡା ନୁହେଁ ଆଖପାଖ ଜିଲ୍ଲାରେ ମଧ୍ୟ ବିରଳ’’ ବୋଲି କହିଛନ୍ତି ରାମଚନ୍ଦ୍ର ମଲିକ ।

‘‘ପ୍ରତ୍ୟେକ ବର୍ଷ ଗ୍ରାମବାସୀଙ୍କ ସହଯୋଗରେ ଯଜ୍ଞ ହେଉଛି । ଯଦି ସରକାର ଆମକୁ ସାହାଯ୍ୟ କରନ୍ତେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରନ୍ତା ବୋଲି କୁହନ୍ତି ରଘୁଦେଇପୁର ବାସିନ୍ଦା ସୁବାଷ ଚନ୍ଦ୍ର ସିଂହ ।

ABOUT THE AUTHOR

...view details