ଭୁବନେଶ୍ବର:ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ସେ କହିଛନ୍ତି, "୪ ସଂସଦୀୟ କ୍ଷେତ୍ର କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ନିର୍ବାଚନ ମଣ୍ଡଳୀରେ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪ ହଜାର ୧୫୮ ମତଦାତା । ପ୍ରଥମ ଥର ପାଇଁ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ମତଦାତା ଏବଂ ୪୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗ ଘରୁ ମତଦାନର ବ୍ୟବସ୍ଥା କରିଛନ୍ତି । ଏଭଳି ମତଦାତାମାନେ ଚାହିଁଲେ ସେମାନଙ୍କୁ ମତଦାନ କେନ୍ଦ୍ରକୁ ଆସି ମତଦାନ କରିବା ପାଇଁ ପ୍ରଶାସନ ତରଫରୁ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ । ଅନ୍ୟଥା ସେମାନେ ଘରୁ ମତଦାନ କରିବାର ବିକଳ୍ପକୁ ମଧ୍ୟ ବାଛିପାରିବେ ।
ସେ ଆହୁରି କହିଛନ୍ତି, "ପ୍ରତିଟି ଭୋଟ ମୂଲ୍ୟବାନ । ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତିଟି ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯେଉଁ ମତଦାତା ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ ଘରୁ ମତଦାନର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪ହଜାର ୧୫୮ ଜଣ ମତାଦାତା ଘରୁ ମତଦାନ ବିକଳ୍ପକୁ ବାଛିଛନ୍ତି । ଏହା ମଧ୍ୟରେ ୨ ହଜାର ୧୯୬ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତି ହୋଇଥିବାବେଳେ ୧ହଜାର ୯୬୨ ଜଣ ୪୦ ପ୍ରତିଶତ ଊର୍ଦ୍ଧ୍ବ ଭିନ୍ନକ୍ଷମ ମତଦାତା ଅଟନ୍ତି । ଅନ୍ୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ତାରିଖ ଓ ସମୟ ଅବଧିରେ ଘରୁ ମତାଦାନ ବ୍ୟବସ୍ଥା କରାଯିବ।"