ନିଆଳି: ଖୋର୍ଦ୍ଧା ଜିଲ୍ଲା ବନମାଳୀପୁର ଅଞ୍ଚଳରେ ଅକ୍ଷୟ ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇକୁ ୨ ଦିନିଆ ରିମାଣ୍ଡରେ ନେଲା ବାଲିପାଟଣା ପୋଲିସ । ଏଥିସହ ଗୁରୁବାର ଦିନ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ନେଇ ସିନ ରିକ୍ରିଏସନ କରିବା ସହ ତଥ୍ୟ ସଂଗ୍ରହ କରିଛି ପୋଲିସ । ତେବେ ଏହି ଘଟଣାରେ ଏବେସୁଦ୍ଧା 10 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ଅଛନ୍ତି ।
ସୂଚନା ଯୋଗ୍ୟ, ଗତ ମାସ 17 ତାରିଖ ରାତିରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ନୂଆସାହି ବଜାରରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମଝିହରା ପଞ୍ଚାୟତ ମହଲା ସାହିର ଅକ୍ଷୟ ମାଝୀ (42)ଙ୍କୁ ଦଣ୍ଡାସାହି ଅଞ୍ଚଳର ଦିଲ୍ଲୀପ (ଦିଲୁ) ଭୋଇ ଏବଂ ତାଙ୍କ ବାପା କାଳନ୍ଦୀ ଭୋଇ ମାରଣାସ୍ତ୍ର ଏବଂ ପଥରରେ ଛେଚି ହତ୍ୟା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା । ଦିଲ୍ଲୀପ ଭୋଇ, ଅକ୍ଷୟ ମାଝୀଙ୍କ ସ୍ତ୍ରୀଙ୍କୁ ମେସେଜ କରିବା ସହ କଥାବାର୍ତ୍ତା କରୁଥିଲା । ଏହି ଘଟଣାକୁ ନେଇ ଅକ୍ଷୟ ଓ ଦିଲ୍ଲୀପ ମଧ୍ୟରେ ଝଗଡା ହେବା ସହ ଦିଲ୍ଲୀପଙ୍କୁ ମାରପିଟ କରିଥିଲା ଅକ୍ଷୟ । ଏହାପରେ ଅକ୍ଷୟଙ୍କ ମାଆଙ୍କ ସହ ଦିଲ୍ଲୀପର ବଚସା ହୋଇଥିଲା । ଏହିସବୁ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢିଯାଇଥିଲା । ଗାଁ ପାଖ ଏକ ନିଛାଟିଆ ସ୍ଥାନରେ ଦିଲ୍ଲୀପ ତାର ପରିବାର ଏବଂ ସମ୍ପର୍କୀୟଙ୍କ ସହ ମିଶି ଅକ୍ଷୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ।