କେନ୍ଦ୍ରାପଡା:ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପରେଡ଼ରେ ସାମିଲ ହେବେ ଜଣେ ସଂଖ୍ୟାଲଘୁ ମହିଳା । ନିଜେ ସ୍ୱାବଲମ୍ବୀ ହୋଇ ୭୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ରାସ୍ତା ଦେଖାଇଥିବା ଏହି ଲକ୍ଷପତି ଦିଦିଙ୍କୁ ଦିଲ୍ଲୀ ଦରବାରରୁ ଡାକରା ଆସିବା ପରେ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ।
ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ଲକ୍ଷପତି ଦିଦି:
ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ଲକ୍ଷପତି ଦିଦି ରେଶମା ବେଗମ । ଜାତୀୟ ରାଜଧାନୀ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆସିବେ ନଜର । ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷପତି ଦିଦିଙ୍କୁ ଆସିଛି ଡାକରା । ରେଶମ ବେଗମଙ୍କୁ ଦିଲ୍ଲୀ ପଠାଇବାକୁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ କେନ୍ଦ୍ରାପଡା ମୁଖ୍ୟ ନିର୍ବାହୀ ଅଧିକାରୀ (CDO)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Kendrapara Lakhpati Didi Reshma Begam (ETV Bharat Odisha) କିଏ ଏହି ଲକ୍ଷପତି ଦିଦି ?
କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଗୋଲରାହାଟ ପଞ୍ଚାୟତ ଗୋଲରାହାଟ ଗ୍ରାମର ରେଶମା ବେଗମ । ଯିଏ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ । ତାଙ୍କୁ ଲକ୍ଷପତି ଦିଦି ଭାବରେ ଚୟନ କରାଯାଇଥିବା ବେଳେ ଜିଲ୍ଲା ଜୀବିକା ମିଶନ ପକ୍ଷରୁ ଦିଲ୍ଲୀ ପଠାଯିବ ।
କେଉଁ କାମ କରି ହେଲେ ଲକ୍ଷପତି ଦିଦି ଓ କେମିତି ଥିଲା ଯାତ୍ରା:
ରେଶମା ବେଗମଙ୍କ କହିବାନୁଯାୟୀ, ବିବାହ ପରେ ସେ ଗୃହିଣୀ ଭାବେ ଘରର କାମ କରିବା ସହ ସିଲେଇ ଏବଂ ଏମରୋଡରି କାମ କରୁଥିଲେ । ନିଜର କଠିନ ପରିଶ୍ରମ, ନୂଆ ଉତ୍ପାଦନ ତିଆରି କରିବାର ଉପାୟ ଏବଂ ଆଶା ହିଁ ତାଙ୍କୁ ଲକ୍ଷପତି ଦିଦିର ପରିଚୟ ଦେଇଛି । ୧୦ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିବା ବେଳେ ଏବେ ତାଙ୍କ ପାଖରେ ୭୨ ଜଣ ଅଛନ୍ତି । ସମସ୍ତେ ମିଶି ବେଡସିଟ୍, ଟେବୁଲ କ୍ଲଥ୍, ବ୍ୟାଗ୍, ଚାନ୍ଦୁଆ, ଟସର ଜ୍ୟାକେଟ, ଟୋପି, ସ୍କୁଲ ୟୁନିଫର୍ମ, ରୁମାଲ, ରୋଷେଇ ଘର ସାମଗ୍ରୀ ତିଆରି କରିଥାନ୍ତି ।
Kendrapara Lakhpati Didi Reshma Begam (ETV Bharat Odisha) ବାର୍ଷିକ ରୋଜଗାର ୪-୫ ଲକ୍ଷ ଟଙ୍କା:
ସେ ଆଉ ମଧ୍ୟ କହିଛନ୍ତି," ୨୦୧୪ ମସିହାରେ SHGରେ ସାମିଲ ହେବା ପରେ ମୋର ବାହାର ଦୁନିଆ ସମ୍ପର୍କରେ ଜ୍ଞାନ ବଢ଼ିଲା ଓ ପରିଚୟ ମଧ୍ୟ ପାଇଲି । SHG ଗ୍ରୁପ କରି ବ୍ୟାଙ୍କରେ ପଇସା ରଖିବାର କିଛିଦିନ ପରେ ମୁଁ ୧ ଲକ୍ଷ ଟଙ୍କା ଋଣ ଆଣି କାମ କଲି । ମୁଁ ପ୍ରଥମେ ବ୍ୟାଗ ଓ ପେଟିକୋଟ ତିଆରି କରିବା ଆରମ୍ଭ କରିଥିଲି । ପ୍ରଥମେ ୧୦-୧୫ ହଜାର ଟଙ୍କା ବ୍ୟୟ କରିଥିଲି । ମୋ ପାଖରେ ଏବେ ୭୨ ଜଣ ମହିଳା ଅଛନ୍ତି ଏବଂ ମୋ ଗ୍ରୁପ ଏବେ ବାର୍ଷିକ ୮୦-୯୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଯେଉଁଥିରୁ ମୋର ବ୍ୟକ୍ତିଗତ ରୋଜଗାର ବାର୍ଷିକ ୪-୫ ଲକ୍ଷ ଟଙ୍କା ହେଉଛି ।"
ସେ ଆଉମଧ୍ୟ କହିଛନ୍ତି, " ଭଲ କାମ କରୁଥିବା କାରଣରୁ, ଅନ୍ୟ ମହିଳାଙ୍କୁ ରୋଜଗାର ଦେବା କାରଣରୁ ଓ ମାଗଣାରେ ଶିକ୍ଷା ଦେଉଥିବାରୁ ମୋତେ ଦିଲ୍ଲୀ ଦରବାରରୁ ଡାକରା ଆସିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପାଇଁ ଅବସର ମିଳିଛି ଓ ଜାନୁଆରୀ ୨୬ ପରେଡରେ ଭାଗ ନେବା ପାଇଁ ମଉକା ମିଳିଛି । ଓଡିଶାରୁ ଯେଉଁ ୮-୧୦ ଜଣ ଯିବାର ଅଛି ସେମାନଙ୍କ ମଧ୍ୟରୁ ମୁଁ ଜଣେ ମାତ୍ର ମହିଳା ଯାହାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପାଇଁ ସୁଯୋଗ ମିଳିବ । ମୁଁ କିପରି ଏକ ଛୋଟ ଗାଁରୁ ବାହାରି ଦିଲ୍ଲୀ ସହର ଯାଇଛି ସେନେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଣାଇବି । ମୁଁ ଏକ ଛୋଟିଆ ଗାଁର ବୋହୂ ହୋଇ ପରେଡରେ ଭାଗ ନେବା ପାଇଁ ଦିଲ୍ଲୀ ଯାଉଛି ସେଥିପାଇଁ ମୁଁ ବହୁତ ଖୁସି ।"
ରେଶମାଙ୍କ ପାଇଁ ଗର୍ବିତ:
୨୦୧୪ ମସିହାରୁ ଦଶ ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏକ SHG ଏବେ ୭୨ ଜଣ ମହିଳାଙ୍କୁ ନେଇ ଏକ ପ୍ରଡ୍ୟୁସର ଗ୍ରୁପରେ ପରିଣତ ହୋଇଛି । ଗ୍ରାମାଞ୍ଚଳର ୭୨ ଜଣ ମହିଳାଙ୍କୁ ନେଇ ଗଠିତ ଏହି ପିଜିର ନାଁ ରଖାଯାଇଛି "ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର୍ସ ଗ୍ରୁପ" ।ଏବେ ରେଶମା ବେଗମ ଦିଲ୍ଲୀ ଦରବାରକୁ ତାଙ୍କର ସଫଳତା କାହାଣୀ କହିବାକୁ ଯାଉଥିବା ବେଳେ ଏହାକୁ ନେଇ ଖୁବ ଖୁସି ଏହି ପିଜିର ଅନ୍ୟ ମହିଳାମାନେ । ଏନେଇ ପିଜିର ଜଣେ ମହିଳା ସଦସ୍ୟା ମୁସରତ ଜହାଂ ଅଖାତରି କୁହନ୍ତି,"ଏଠାରେ ଆମେ ବେଡ଼ସିଟ, ପିଲୋ କଭର, ଟେବୁଲ କ୍ଲଥ, ମାର୍କେଟ ବ୍ୟାଗ, ବ୍ଲାଉଜ, ସ୍କୁଲ ଡ୍ରେସ ଇତ୍ୟାଦି ତିଆରି କରୁ । ରେଶମା ମ୍ୟାଡମ ଆମକୁ ଟ୍ରେନିଂ ଦେଇଛନ୍ତି । ମୁଁ ମାସକୁ ୧୦-୧୨ ହଜାର ରୋଜଗାର କରୁଛି । ସେ ଆମକୁ କାମ ଶିଖାଇଛନ୍ତି, ଏହା ପୁର୍ବରୁ ଆମେ ଘରେ ରହୁଥିଲୁ । ଏବେ ଆମେ ସ୍ୱାବଲମ୍ବୀ ହୋଇ କିଛି ଆୟ କରିପାରୁଛୁ ଓ ଘରର ସହଯୋଗ ମଧ୍ୟ କରୁଛୁ । ଆମ ରେଶମା ମ୍ୟାଡମ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି ସେଥିପାଇଁ ଆମେ ବହୁତ ଖୁସି ।"
ରେଶମାଙ୍କ ସମ୍ପର୍କରେ କଣ କୁହନ୍ତି ତାଙ୍କ ପରିବାର:
ଯାଜପୁର ଜିଲ୍ଲା ଚାରିନଙ୍ଗଳ ଗାଁରେ ମାଟ୍ରିକ ପାସ କରିଥିଲେ ରେଶମା ବେଗମ । ରେଶମାଙ୍କ ଶ୍ୱଶୁର ଅବ୍ଦୁଲ ଉସମାନ ଖାଁ କୁହନ୍ତି," ବୁର୍ଖା ଭିତରେ ରହି କାମ କରୁଥିବା ଓ ଅନ୍ୟମାନଙ୍କୁ ରୋଜଗାର ଦେଉଥିବା ଆମ ଜାତିର ଜଣେ ମହିଳା ଦିଲ୍ଲୀ ଯାଉଛନ୍ତି ସେଥିପାଇଁ ଆମେ ବହୁତ ଖୁସି । ବ୍ୟାଚ ପରେ ବ୍ୟାଚ ମହିଳାମାନେ ଆସି ଏଠାରେ କାମ କରୁଛନ୍ତି ଓ ମହିଳାମାନଙ୍କୁ ସେ କାମ ଶିଖାନ୍ତି ଓ କାମ ପାଇଁ କିଛି କିଛି ପଇସା ମଧ୍ୟ ରୋଜଗାର ହେଉଛି । ମୋଦିଜୀଙ୍କର ଡାକରା ଆସିଛି ଏବଂ ଆମେ ବହୁତ ଖୁସି କାରଣ ୨୬ ଜାନୁଆରୀରେ ଯେଉଁ ପରେଡ଼ ହେବ ବାହାର ଦେଶ ଓ ରାଜ୍ୟରୁ ବହୁତ ଅତିଥି ଆସିବେ ସେଠାରେ ଆମ ବୋହୂ ରହିବ । ଆମେ ଏହାକୁ ଟିଭିରେ ଦେଖିଲେ ଆମ ଖୁସିର ସୀମା ରହିବ ନାହିଁ ।"
ଇଟିଭି ଭାରତ, କେନ୍ଦ୍ରାପଡା