ଓଡିଶା

odisha

ETV Bharat / state

ବର୍ଜ୍ୟବସ୍ତୁ ସଂଗ୍ରହରୁ ମନ କି ବାତ, କେନ୍ଦ୍ରାପଡାର କମଳା ଯିବେ ଦିଲ୍ଲୀ - KAMALA MOHARANA

ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାକୁ କେନ୍ଦ୍ରାପଡାର କମଳା ମହାରଣାଙ୍କୁ ଦିଲ୍ଲୀ ଡାକରା । ଦିନେ ତାଙ୍କ କାମ ପାଇଁ ମନ କି ବାତରେ ପ୍ରଶଂସା କରିଥିଲେ ମୋଦି ।

କମଳା ଯିବେ ଦିଲ୍ଲୀ
କମଳା ଯିବେ ଦିଲ୍ଲୀ (ETV Bharat Odisha)

By ETV Bharat Odisha Team

Published : Jan 3, 2025, 9:37 PM IST

କେନ୍ଦ୍ରାପଡା:ମନ କି ବାତରେ ପ୍ରଥମେ ପ୍ରଶଂସା । ଆଉ ଏବେ ଦିଲ୍ଲୀ ଡାକରା । 75ତମ ସାଧାରଣତନ୍ତ୍ର ଦିବସର ଅତିଥି ହେବେ କେନ୍ଦ୍ରାପଡାର କମଳା ମହରଣା । ଅଦରକାରୀ ବର୍ଜ୍ୟବସ୍ତୁରୁ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିତିଥିଲେ କେନ୍ଦ୍ରାପଡାର କମଳା ମାଉସୀ । ମୋଦି ମନ କି ବାତରେ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଆଉ ଏବେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଅତିଥି ହେବାକୁ ତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଯାହାକୁ ନେଇ ବେଶ ଖୁସି କମଳା ମହାରଣା । ବଡ ବଡ ଅତିଥୀଙ୍କ ଗ୍ରହଣରେ ନିଜକୁ ସାମିଲ କରିବାକୁ ଯାଉଥିବାରୁ ବହୁତ ଖୁସି ଅଛନ୍ତି ସେ । ‘ଇଟିଭି ଭାରତ’କୁ ଜଣାଇଛନ୍ତି ତାଙ୍କୁ କାହିଁକି ଆସିଛି ଡାକରା ।

କିଏ ଏହି କମଳା ?

କମଳା ଯିବେ ଦିଲ୍ଲୀ (ETV Bharat Odisha)

କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତ ଖଇରାବାଦ ଗାଁର 65 ବର୍ଷୀୟା କମଳା ମହାରଣା । ଯିଏକି ଅଦରକାରୀ ଜରି ଜିନିଷରୁ ସୁନ୍ଦର ସୁନ୍ଦର କଳାକୃତ୍ତି କରନ୍ତି । ତାଙ୍କ ଲୁକ୍କାୟିତ ପ୍ରତିଭାକୁ ଜାଣିପାରିଥିଲେ ପ୍ରଧାନମନ୍ତ୍ରୀ । ମନ କି ବାତରେ ତାଙ୍କ ନାଁ ଆସିବା ପରେ ତାଙ୍କୁ ନେଇ ବେଶ ଚର୍ଚ୍ଚା ସାଉଁଟିଥିଲା । ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାଇ ବୋଲି ଭାବନ୍ତି । ପ୍ରତିବର୍ଷ ତାଙ୍କ ପାଇଁ ରାକ୍ଷୀ ପଠାନ୍ତି ।

କାହିଁକି ଯିବେ ଦିଲ୍ଲୀ:

75ତମ ସାଧାରଣତନ୍ତ୍ର ଦିବସର ଅତିଥି ହେବେ କମଳା ମହାରଣା । ଜାନୁଆରୀ 26ରେ ନୂଆଦିଲ୍ଲୀରେ ଅତିଥି ହେବା ପାଇଁ ତାଙ୍କୁ ଦିଲ୍ଲୀରୁ ଫୋନ ଆସିଛି । ସେଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମର ମୁକସାକ୍ଷୀ ପାଲଟିବେ । ପରେଡ ଦେଖିବେ ।

କମଳା ଯିବେ ଦିଲ୍ଲୀ (ETV Bharat Odisha)

କେନ୍ଦ୍ରାପଡା ଆସିଥିବା ବେଳେ ମୁଣ୍ଡିଆ ମାରିଥିଲେ ମୋଦି:

ଗତବର୍ଷ ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ରାପଡା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ନିର୍ବାଚନ ସଭାରେ ପ୍ରଚାର ବେଳେ କମଳା ମହାରଣାଙ୍କୁ ଦେଖି ମୁଣ୍ଡିଆ ମାରିଥିଲେ ମୋଦି । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ମୋଦିଙ୍କୁ ଭେଟି ବେଶ୍‌ ଖୁସି ହୋଇଥିଲେ କମଳା । ଆଉ ଏବେ ଦିଲ୍ଲୀ ଯିବା ପାଇଁ ଡାକରା ଆସିଛି ।

ଫୋନ କଲ୍‌ ପାଇ ETV Bharatକୁ ଦେଲେ ପ୍ରତିକ୍ରିୟା:

ଦିଲ୍ଲୀରୁ ଫୋନ କଲ୍‌ ପାଇବା ପରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି କମଳା ମହାରଣା । ସେ କହିଛନ୍ତି,"ଆଗ କଟକ ଇଣ୍ଡିଆ ଅଫିସରୁ ଫୋନ ଆସିଲା ଯେ ତାଙ୍କ ପାଖକୁ ଚିଠି ଆସିଛି ଯେ ତମେ ଜାନୁଆରୀ 26ରେ ଦିଲ୍ଲୀ ଯିବ ସେଠାରେ ପ୍ୟାରେଡ଼ ହବ । ତା ପରେ ଦିଲ୍ଲୀରୁ ଫୋନ ଆସିଲା ଯିବା ପାଇଁ ଆମେ ହିନ୍ଦୀ ଜାଣିପାରୁନା ତେଣୁ ଜଣେ ପେପରଵାଲାକୁ ଡାକି କଥା କରାଇଲୁ ସେ ଆମକୁ ଦିଲ୍ଲୀ ଯିବା କଥା କହିଲେ ଓ ସେଠାରେ ପ୍ୟାରେଡ଼ ହେବ ଦେଖିକି ଆସିବ ବୋଲି ବୁଝିକି କହିଲେ । ମୁଁ ଜରିରେ ବିଭିନ୍ନ ରକମର କାମ କରିବାରୁ ମୋଦିଜୀ ମୋତେ ମନ କି ବାତରେ ଧନ୍ୟବାଦ ଜଣାଇଛନ୍ତି । ଅଳିଆ ଜରିରୁ କାମ କରିବାରୁ ସେଥିପାଇଁ ଧନ୍ୟବାଦ ଦେଇଛନ୍ତି ।’

କମଳା ଯିବେ ଦିଲ୍ଲୀ (ETV Bharat Odisha)

କାମ କରିବାକୁ ଭଲ ଲାଗେ:

ସେ ଆହୁରି କହିଛନ୍ତି, ‘ଜରି ଏମିତି ମାଟିକୁ ନଷ୍ଟ କରୁଛି ବୋଲି ସେକଥା ମୁଁ ଜାଣେନାହିଁ, ମୋତେ ଭଲ ଲାଗେ ମୁଁ କାମ କରେ । ବସିବାକୁ ମୁଁ ଭଲପାଏ ନାହିଁ, ଗାଈଗୋରୁ ଦୁଇଟା ରଖିଥିଲି ସେଥିରେ ଚାଲିଥିଲି । ଗାଈ ବିକ୍ରି କରିବା ପରେ ହେଁସ ମସିଣା ବୁଣେ ଏମିତି କାମ କରି କରି ମୁଁ ଚାଲିଥିଲି । ମୁଁ କର୍ମକୁ ଭଲପାଏ, ବଡକାମ ନହେଲେ ବି ଛୋଟ କାମ କରିବାକୁ ମୁଁ ଭଲଲାଗେ ୟା ତା ପାଖରେ ବସି ଲାଭ କଣ ଅଛି ? ମୁଁ ଜରି ଗୋଟାଇ ଆଣେ କିନ୍ତୁ କେହି ଜାଣନ୍ତିନି,ଆମ ଲୋକ ଟିକେ ଆମ ଉପରେ ବିଗିଡେ ।’

ଅଦରକାରୀ ଜରିରୁ କଣ ପ୍ରସ୍ତୁତ କରନ୍ତି କମଳା:

କମଳା ଯିବେ ଦିଲ୍ଲୀ (ETV Bharat Odisha)

ସେ ଆହୁରି କହିଛନ୍ତି, ‘ଏହି ଅଦରକାରୀ ଜରିରୁ ପେଡି,ଡାଲା,ବର ନିମନ୍ତ୍ରଣ ଡାଲା, ଆସନ, ବିଚଣା ଆଉ ଏବେ ମୁଁ ଟୋପି କରୁଛି । ମୁଁ ଆଗରୁ ଏକଲା ତିଆରି କରୁଥିଲି । ପରେ ଗାଁରେ ସମସ୍ତେ କହିଲେ ଆମେ ମଧ୍ୟ କରିବୁ । ନାଁ ହେବା ପରେ 23 ଜଣଙ୍କୁ ନେଇ ଗୋଷ୍ଠୀ କରିଛି । ସରକାର ତରଫରୁ 2 ଲକ୍ଷ 4 ହଜାର ଟଙ୍କା ମିଳିଛି । କେନ୍ଦ୍ରାପଡା ଜିଲ୍ଲାରେ ଏହି ଜରି ତିଆରି ଜିନିଷର ଏତେ ବେପାର ନାହିଁ । କଟକ ଯାଇଥିଲୁ ସେଠାରେ 4-5 ହଜାର ଟଙ୍କା ବେପାର ହୋଇଛି ଆଉ ବାହାର ଜିଲ୍ଲାକୁ ଗଲେ ବେପାର ହେବ ବୋଲି ଲାଗୁଛି । ମୋତେ କଣ ପାଇଁ ଦିଲ୍ଲୀ ଡକାଯାଇଛି ମୁଁ ଜାଣିନି, ମୋ କାମ ପାଇଁ କି ମୋ ନାଁ ପାଇଁ ଡକାଯାଇଛି ସେକଥା ମୁଁ ଜାଣିନି କିନ୍ତୁ ମୁଁ ଦୁଇବର୍ଷ ହେବ ରାକ୍ଷୀ ପଠାଉଛି । ଫ୍ଲାଇଟରେ ଯାଇଥାନ୍ତୁ କିନ୍ତୁ ମୋ ସ୍ୱାମୀଙ୍କର ହାର୍ଟ ପ୍ରୋବ୍ଲେମ ଅଛି ତେଣୁ କାଳେ କଣ ହେବ ସେନେଇ ମୁଁ ମନା କଲି ଟ୍ରେନରେ ଗଲେ ଭଲ ହେବ ବୋଲି ମୁଁ ଭାବୁଛି ।’

ଏହା ମଧ୍ୟ ପଢନ୍ତୁ:

ବାଲିଯାତ୍ରାରେ ଆକର୍ଷଣ ସାଜିଛି କମଳା ମାଉସୀଙ୍କ ଷ୍ଟଲ, ଦିନେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ

କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି - Kamala send Rakhi to Modi

କମଳା ମହାରଣାଙ୍କୁ ଆଣ୍ଠୁ ମାଡି ନମସ୍କାର କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କିଏ ଏହି ମହିଳା - Modi touches feet of women

ଭଉଣୀ ବୋଲି ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡ଼ାରୁ ମୋଦିଙ୍କ ପାଇଁ ଗଲା ଜରିରେ ତିଆରି ରାକ୍ଷୀ



କମଳାଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ ପରେ କଣ କୁହନ୍ତି ପରିବାର ଲୋକେ:

କମଳା ମହାରଣାଙ୍କୁ ଦିଲ୍ଲୀ ଦରବାରରୁ ଡାକରା ଆସିବା ପରେ କମଳାଙ୍କ ଘରେ ଖୁସିର ଲହରୀ । କମଳାଙ୍କ ପୁଅ ମହେନ୍ଦ୍ର ମହାରଣା କୁହନ୍ତି,"ଦିଲ୍ଲୀ ଅଫିସରୁ ଫୋନ ଆସିଥିଲା, ଜାନୁଆରୀ 26 ପାଇଁ ସେମାନେ ଡକାଇଛନ୍ତି । ଆମେ ସବୁ କର୍ମଜୀବୀ । ବାପା, ମୁଁ କାଠ କାମ କରି କୌଳିକ ବୃତ୍ତିକୁ ଆଗକୁ ନେଉ ଆଉ ବୋଉ ବୁଣାବୁଣି କରନ୍ତି । ପ୍ରଥମେ ତାଳପତ୍ରରେ ବିଭିନ୍ନ ଜିନିଷ ତିଆରି କରୁଥିଲେ,ତା ପରେ ଅଦରକାରୀ ଜରିରେ ଜିନିଷ ତିଆରି କଲେ । ସେ ବସିବାକୁ ଭଲ ପାଆନ୍ତି ନାହିଁ ତେଣୁ ସବୁବେଳେ ହାତଗୋଡ଼ ଚାଲିବା ଭଳି କାମ କରନ୍ତି ।

ସମ୍ମାନଜନକ ନେତା ଆସିଥିବେ ସେଠି ବୋଉ ବସିବ ଖୁସି ଲାଗୁଛି:

ତାଙ୍କ ପୁଅ ଆହୁରି କହିଛନ୍ତି, ‘ଜରିରୁ ସେ ପାଛିଆ, ଡାଲା ଇତ୍ୟାଦି କାମ କରନ୍ତି । ବିଭିନ୍ନ ଜରିରେ କାଦୁଅ, ଗୋବର ଇତ୍ୟାଦି ଲାଗିଥାଏ ସେଗୁଡିକୁ ଆଣି ଘର ଆଗରେ ଗଦା କରିବା ବେଳେ ସେଗୁଡ଼ିକ ଅସନା ଲାଗେ ତେଣୁ ବାପା ବୋଉ ଉପରେ ବିରକ୍ତ ହୁଅନ୍ତି । ଯେଉଁ ଜରି ଗୁଡିକ ଦେଖିଲେ ଆମକୁ ଘୃଣା ଲାଗେ ସେ ଜରିକୁ ସେ କଟାକଟି କରି ସେଥିରୁ ଜିନିଷ ତିଆରି କରେ । ଆମକୁ ବହୁତ ଗର୍ବ ଲାଗୁଛି ଯେ ସେ ଦିଲ୍ଲୀ ଭଳି ସ୍ଥାନ ଯେଉଁଠାରେ ବିଶ୍ୱର ବହୁ ସମ୍ମାନଜନକ ନେତା ଆସିଥିବେ ସେ ସ୍ଥାନରେ ବୋଉ ବସିବ ସେଥିପାଇଁ ଆମକୁ ଖୁବ ଖୁସି ଲାଗୁଛି ।’

ସେହିପରି କମଳାଙ୍କ ଝିଆରୀ ଜ୍ୟୋତ୍ସାରାଣୀ ମହାରଣା କୁହନ୍ତି,"ଅଦରକାରୀ ଜରି ଗୁଡିକୁ ଆଣି ସେ ଡାଲା, ବିଚଣା, ଆସନ,ଘରକରଣା ଜିନିଷ ସବୁ ବନାନ୍ତି । ଆମେ ଯେଉଁ ଗୁଡ଼ିକ ୟୁଜ କରି ଫୋପାଡ଼ି ଦେଉସେ ଗୋଟାଇ ଆଣି ଭଲ ଭଲ ଜିନିଷ ତିଆରି କରନ୍ତି’ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details