ପୁରୀ: ସବୁ ଆଶା ଆଶଙ୍କାର ଜବନିକା ପଡିଲା । ଚଳିତବର୍ଷ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ସମ୍ପୂର୍ଣ୍ଣ ମାଗଣାରେ ହବିଷ୍ୟାଳୀ ମା’ମାନଙ୍କୁ ରଖିବା ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।
- ଚଳିତ ସପ୍ତାହରୁ ପଞ୍ଜୀକରଣ ଆରମ୍ଭ:-
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଚଳିତମାସ (ଅକ୍ଟୋବର) ପ୍ରଥମ ସପ୍ତାହରୁ ଅନଲାଇନ ଆବେଦନ ଆରମ୍ଭ ହେବ । ତେବେ ଆସନ୍ତା ଦୁଇ-ତିନିଦିନ ମଧ୍ୟରେ ଉଭୟ ଅଫଲାଇନ ଓ ଅନଲାଇନ ମୋଡରେ ଏହି ପଞ୍ଜୀକରଣ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି । ସେହିପରି ଚଳିତମାସ ୧୮ ତାରିଖରୁ ହବିଷ୍ୟାଳୀ ଶିବିର ଆରମ୍ଭ ହେବ । ଚଳିତ ବର୍ଷ 25 ଶହ ହବିଷ୍ୟାଳୀ ମା’ମାନଙ୍କୁ ସ୍ବତନ୍ତ୍ର ହବିଷ୍ୟାଳୀ ଶିବିରରେ ରଖାଯିବାକୁ ଯୋଜନା କରାଯାଇଛି । ସେହିପରି ଏଥର ଅଧିକ ଓ ନୂତନ ହବିଷ୍ୟାଳୀ ଏହି ଯୋଜନାରେ ସାମିଲ କରିବା ପାଇଁ ମଧ୍ୟ ପ୍ରଶାସନ ଚିନ୍ତା କରୁଛି ।
- ହବିଷ୍ୟାଳୀ ଶିବିରରେ ଏଥର ଏକାଧିକ ସୁବିଧା
ପୂର୍ବ ଯୋଜନା ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀ ମା’ମାନଙ୍କ ରହଣୀ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ହବିଷ୍ୟାଳୀ ଶିବିରରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା, ସୁରକ୍ଷା ପାଇଁ ପୋଲିସ ମୁତୟନ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯିବ । ପାଲା, ଦାଶକାଠିଆ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ । କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀ ମା’ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରହିବା ସହିତ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହେବ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହବିଷ୍ୟାଳୀ ମା’ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ହବିଷ୍ୟାଳୀଙ୍କୁ ସହଯୋଗ କରିବା ପାଇଁ ସ୍ବେଛାସେବୀଙ୍କୁ ମୁତୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ହବିଷ୍ୟାଳୀ ଶିବିରରୁ ଶ୍ରୀମନ୍ଦିରକୁ ଯାତାୟତ ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯିବ । ନରେନ୍ଦ୍ର ପୁଷ୍କରିଣୀରେ ହବିଷ୍ୟାଳୀଙ୍କ ସୁରକ୍ଷିତ ସ୍ନାନ ଏବଂ କୌଣସି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବ ।