କଟକ: ସୁସ୍ଥ ହୋଇ ଘରକୁ ଫେରିଲେ ଟୁନି ମାଝୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣାରେ ସୁସ୍ଥ ହୋଇ କଟକ SCB ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଟୁନି । ଆମ୍ବ ଟାକୁଆ ଯାଉ ଖାଇ ଗୁରୁତର ଅସୁସ୍ଥ ହୋଇ ଗତ ନଭେମ୍ବର ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ ଟୁନି ମାଝୀ । ଅତି ଗୁରୁତର ଅସୁସ୍ତ ହେଇଥିବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତାଙ୍କର ଅନେକ ଅଙ୍ଗ ଖରାପ ହୋଇଥିଲା । ଏପିରିକି ୧୦ ଥର ଡାଏଲିସିସ ମଧ୍ୟ ହୋଇଥିଲେ ଟୁନି । ଧିରେ ଧିରେ ସୁସ୍ଥ ହେବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି କହିଛନ୍ତି ଏସସିବି ଭେଷଜ ବିଭାଗ ବରିଷ୍ଠ ଚିକିତ୍ସକ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ।
ସୁସ୍ଥ ହୋଇ ଘରକୁ ଫେରିଲେ ଟୁନି:
ସୂଚନା ଅନୁଯାୟୀ, ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣାରେ ବ୍ରହ୍ମପୁର MKCGରୁ ୨ ଅସୁସ୍ଥଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା । ୨ ଗୁରୁତରଙ୍କ ଭିତରୁ ଜିତା ମାଝୀଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏସସିବି ମେଡ଼ିସିନ ବିଭାଗ ଡାକ୍ତର ଜୟନ୍ତ ପଣ୍ଡା ଓ ହେପଟୋଲୋଜି ବିଭାଗ ଡାକ୍ତର ସୁଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଗଠିତ ସ୍ଵତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରୁଥିଲେ । ଆଜି ଟୁନି ମାଝୀ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଘରକୁ ଯିବା ସମୟରେ ଏପରି ଆମ୍ବ ଟାକୁଆ କେବେ ଖାଇବେନି ବୋଲି କହିଛନ୍ତି ଟୁନି । ଅନ୍ୟପଟେ ଏକ ମାସ ଧରି ଚିକିତ୍ସା କରିଥିବା ସମସ୍ତ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଟୁନିଙ୍କ ଭାଇ । ଯେତେବେଳେ ଏହି ଘଟଣା ଘଟିଥିଲା ମାଣ୍ଡିପଙ୍କା ଗାଁରେ କୋକୁଆ ଭୟ ଖେଳଯାଇଥିଲା । ଏହି ଘଟଣାରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ତେଣୁ ଯେତେବେଳେ ଭଉଣୀର ଏପରି ଅବସ୍ଥା ଦେଖିଥିଲି ବେଶ ଭୟଭୀତ ହୋଇଥିଲେ । କିନ୍ତୁ ଏସସିବିରେ ନିଶୁଳ୍କ ଚିକିତ୍ସା ଦ୍ୱାରା ନୂଆ ଜୀବନ ଟୁନି ମାଝୀ ପାଇଥିବା କହିଛନ୍ତି ତାଙ୍କ ଭାଇ କାଳନ୍ଦୀ ।
ଏହାମଧ୍ଯ ପଢ଼ନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: ନୀରବି ଯାଇଛି ମାଣ୍ଡିପଙ୍କା, ଗୁମୁରି କାନ୍ଦୁଛନ୍ତି ପରିବାର |