ଫୁଲବାଣୀ:ଗତଶନିବାର ମୁଖ୍ୟ ନିର୍ବାଚନ ଆୟୋଗ ୨୦୨୪ ସାଧାରଣ ନିର୍ବାଚନର ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିନ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ଜିଲ୍ଲାର ୩ଟି ବିଧାନସଭା ପାଇଁ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ଆସନ୍ତା ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୨୦ ତାରିଖରେ ବାଲିଗୁଡା, ଜି.ଉଦୟଗିରି ଓ ଫୁଲବାଣୀରେ ମତଦାନ ହେବ ।
ଜିଲାପାଳଙ୍କ ସୂଚନା ଅନୁଯାୟୀ, ମେ ୩ ତାରିଖ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ ରହିଥିବା ବେଳେ ୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୬ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଜନସଂଖ୍ୟା ୮ ଲକ୍ଷ ୪୦୨୮ ଥିବା ୫,୬୮,୯୬୧ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨,୭୪,୮୩୮ ଥିବାବେଳେ ମହିଳାଙ୍କ ସଂଖ୍ୟା ୨,୯୪,୦୫୦ ରହିଛି । ସେହିଭଳି ୧୧,୨୪୮ ଭିନ୍ନକ୍ଷମ ଭୋଟର ଥିବା ବେଳେ ୭୩ ଜଣ ତୃତୀୟ ଲିଙ୍କ ଭୋଟର ଅଛନ୍ତି ।
ସେହିପରି ୧୮ରୁ ୩୫ ବର୍ଷ ବୟସର ୧୪,୩୩୦ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଥିବା ବେଳେ ଜିଲ୍ଲାରେ ୩୮୫୨ ଜଣ ୮୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଭୋଟର ଚଳିତ ଥର ନିଜର ମତାଧିକାର ସାବ୍ୟସ୍ତ କରିବେ । ମତଦାନ ପାଇଁ ଜିଲ୍ଲାରେ ସମୂଦାୟ ୬୫୯ଟି ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ବାଲିଗୁଡାରେ ୧୭୮, ଜି ଉଦୟଗିରିରେ ୨୫୧ ଓ ଫୁଲବାଣୀରେ ୨୩୦ଟି ବୁଥ ରହିଛି । ଚଳିତ ନିର୍ବାଚନରେ ୭୫ଟି ସଖୀ ବୁଥ ଖୋଲାଯିବ, ଯେଉଁ ଗୁଡିକ କେବଳ ମହିଳା କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ସେଭଳି ୧୫ଟି ବୁଥକୁ ୧୮ରୁ ୩୫ ବର୍ଷର ଯୁବ ଅଧିକାରୀ ପରିଚାଳନା କରିବେ । ମତଦାନ ପରିଚାଳନା ପାଇଁ ୪,୭୪୦ ଜଣ ସରକାରୀ କର୍ମଚାରୀ ନିୟୋଜିତ ହେବେ । ସେମାନଙ୍କ ମଧ୍ୟରେ ୫୪୬ ମହିଳା କର୍ମଚାରୀ ଅଛନ୍ତି । ଜିଲ୍ଲାର ୪ଟି ସ୍ଥାନରେ ଏହି କର୍ମଚାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।