ଭବାନୀପାଟଣା:ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସମଗ୍ର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ପ୍ରଚଣ୍ଡ ତାତିରେ ସିଝୁଛି କଳାହାଣ୍ଡି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ଜିଲ୍ଲାର ତାପମାତ୍ରା ଏବେ ୪୦ ଡିଗ୍ରୀରୁ ଅଧିକ ରହୁଥିବାବେଳେ ସତେ ଯେପରି ତତଲା କଡେଇରେ ଭାଜି ହେଉଥିବା ଭଳି ମନେ ହେଉଛି । ସେପଟେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ଭୟଭୀତ ରହିଛନ୍ତି ଲୋକେ । ତେବେ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜରୁରୀକାଳିନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପର୍ଣ୍ଣ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।
ଗତ ସପ୍ତାହେ ଧରି କଳାହାଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଲୋକେ ବେଶ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିହାରେନ୍ଦ୍ର ପଣ୍ଡା ।
ସକାଳୁ ସକାଳୁ ପ୍ରବଳ ଖରା ହେତୁ ଲୋକଙ୍କ ଚିନ୍ତା ବଢିଯାଉଛି । ଦିନ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବାବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଜିଲ୍ଲାର ବିଭିନ୍ନ ନାଳ ପୋଖରୀରେ ପାଣି ଶୁଖିଯିବା କାରଣରୁ ଗୃହପାଳିତ ପଶୁପକ୍ଷୀମାନଙ୍କ ସହିତ ଜଙ୍ଗଲର ବନ୍ୟଜନ୍ତୁମାନଙ୍କୁ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁଛି ।