ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ହେବେ ୧୦ ହଜାର କନିଷ୍ଠ ଶିକ୍ଷକ । ପୂରଣ ହେବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ । ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଅଦ୍ୟାବଧି ଚାଲୁ ରହିଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ୨୦୨୩ର ସମସ୍ତ ନିୟୋଜନ ପ୍ରକ୍ରିୟା ଶେଷ ହେବା ପରେ ଯଥାଶୀଘ୍ର ନୂତନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି ।
ସୂଚନା ଅନୁଯାୟୀ, ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ବିଭିନ୍ନ ବିଭାଗରେ ଶିକ୍ଷକ ନିଯୁକ୍ତି କରୁଛନ୍ତି। କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ ରହିଛନ୍ତି। ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪ ହଜାର ୬୦୫ ନୂଆ କ୍ଲାସରୁମ, ୧୬ହଜାର ୯୨୦ ସ୍ମାର୍ଟ କ୍ଲାସରୁମ, ୭ ହଜାର ୮୬୩ ଆଧୁନିକ ଲାବ୍ରୋଟୋରୀ, ୭ହଜାର ୯୨୦ ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି। ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି । ମାଧ୍ୟମିକ ସ୍ତରରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୪ହଜାର ୭୪୨ ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି ।