ବ୍ରହ୍ମପୁର: ବଜାରରେ ବିକ୍ରି ହେଉଛି ଭାରତୀୟ ସେନାର ମାଳମାଳ ୟୁନିଫର୍ମ । ଚଢାଉ ପରେ ଏଭଳି ସତ ସାମନାକୁ ଆସିଛି । ବ୍ରହ୍ମପୁର ପୋଲିସ ଓ ସେନା ଗୁଇନ୍ଦା ଟିମ୍ ମିଳିତ ଭାବେ ଚଢ଼ାଉ କରିଛନ୍ତି । ଏହି ଚଢାଉରେ ଭାରତୀୟ ସେନାର କମ୍ବାଟ ୟୁନିଫର୍ମ ଜବତ ହୋଇଛି । ମୋଟ୍ 488 ମିଟର କପଡ଼ା ଜବତ କରାଯାଇଛି । ସୂଚନା ଅନୁସାରେ, ଗଞ୍ଜାମ ଗ୍ୟାଲାକ୍ସି ନାମକ ଏକ ଦୋକାନରେ ଏହି ୟୁନିଫର୍ମ ବିକ୍ରି ହେଉଥିଲା । ଗୋଳବନ୍ଧ ଆର୍ମି ଏଡି କଲେଜରେ କାର୍ଯ୍ୟରତ ରାମବାବୁ ଡାଙ୍ଗି ନାମକ ଜଣେ କର୍ମଚାରୀ ଏହି ଦୋକାନରେ ୟୁନିଫର୍ମ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଖବର ଦେଇଥିବା ଜଣାପଡ଼ିଛି ।
15 ଜାନୁଆରୀ 2022 ମସିହାରେ ନୂଆ ଡିଜିଟାଲ କମ୍ବାଟ୍ ୟୁନିଫର୍ମକୁ ଆର୍ମି ପକ୍ଷରୁ ଅଚଳ କରାଯାଇ ପୁଣି ଥରେ ପୁରୁଣା ୟୁନିଫର୍ମ ଲାଗୁ କରାଯାଇଛି । ସୂଚନା ଅନୁସାରେ, ଏହି କପଡ଼ା କେବଳ ଆର୍ମି କ୍ୟାଣ୍ଟିନରେ ଉପଲବ୍ଧ ହୋଇଥାଏ। ଖୋଲା ବଜାରରେ ଏହାର ବିକ୍ରି ନିଷେଧ। ହେଲେ ସମସ୍ତଙ୍କ ଆଖିରେ ଧୂଳି ଦେଇ କିଭଳି ଏହାକୁ ଖୁଲମଖୁଲା ବିକ୍ରି କରାଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ କୋଲକାତା ଓ ଲୁଧିଆନାର ଏକ କମ୍ପାନୀରୁ ଏସବୁ ପ୍ରସ୍ତୁତ କରାଯାଇ ଅଣାଯାଇଥିବା ଜଣାପଡ଼ିଛି । ଏହି ଆନ୍ତଃରାଜ୍ୟ ରାକେଟ୍ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ।