ଓଡିଶା

odisha

ETV Bharat / state

ଜନତା ମଇଦାନରେ ଜନଜାତୀୟ ଗୌରବ ଦିବସ, ୧୫୩୫ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଜନତା ମଇଦାନରେ ପାଳନ ହେଲା ଜନଜାତୀୟ ଗୌରବ ଦିବସ । ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ । ବସିବ ଗ୍ରାମସଭା ।

ଜନଜାତୀୟ ଗୌରବ ଦିବସ
ଜନଜାତୀୟ ଗୌରବ ଦିବସ (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେବ ପେସା ଆଇନ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଏହି ଆଇନ ଲାଗୁ କରିବା ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର । ଏଥିପାଇଁ ସଭା କରାଯିବ । ଆଜି ଭୁବନେଶ୍ବରର ଜନତା ମଇଦାନରେ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମ ଜୟନ୍ତୀ ବା ଜନଜାତୀୟ ଗୌରବ ଦିବସ ପାଳନ ବେଳେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବିର୍ସା ମୁଣ୍ଡାଙ୍କ ଅବଦାନକୁ ଭୁଲିବନି ଦେଶ:

ଜନତା ମଇଦାନରେ ଜନଜାତୀୟ ଗୌରବ ଦିବସ (ETV Bharat Odisha)

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ସେ ମହାନ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ, ରତ୍ନା ନାୟକ, ଚକରା ବିଷୋଇ, ଦୋରା ବିଷୋଇ, ରେଣ୍ଡୋ ମାଝୀଙ୍କ ପରି ଦେଶ ଭକ୍ତଙ୍କ ବଳୀଦାନ ଓ ତ୍ୟାଗକୁ ମଧ୍ୟ ସ୍ମରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ମହାନ୍ ସଂଗ୍ରାମୀ ମାନେ ଆମ ଦେଶର ଇତିହାସ ଓ ସଂସ୍କୃତିକୁ ନୂତନ ରୂପ ଦେବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ ଆହୁରି କହିଛନ୍ତି, ‘ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ବୀର । ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ । ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ।’

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ଆମ ସରକାର ଜନଜାତି ସମ୍ପ୍ରଦାୟଙ୍କ ଉଚ୍ଚ ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି । ଜନଜାତି ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରାଯାଉଛି ।’

ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ:

ଜନଜାତୀୟ ଗୌରବ ଦିବସ ପାଳନ ବେଳେ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ନୂଆ ସରକାର ଆସିବା ପରେ ଜନଜାତି ସୁରକ୍ଷା, ଶିକ୍ଷା, ଜୀବନ ଜୀବିକା ପାଇଁ ଅନେକ ଯୋଜନା ଆଣିଛନ୍ତି ସେମାନଙ୍କର ବିକାଶ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅତୀତରେ ଜନଜାତିଙ୍କୁ ଅବହେଳିତ କରାଯାଉଥିଲା, ଗତ ସରକାର କହୁଥିଲେ ଆଦିବାସୀଙ୍କ ସାଙ୍ଗରେ ଅଛି । ଶିକ୍ଷା, ସ୍ୱାସ୍ଥ୍ୟରେ ଅବହେଳା ହୋଇଛି, ହଷ୍ଟେଲ ଗୁଡିକରେ ଖାଇବାକୁ ପାଉନଥିଲେ ଲୁଣ ସହ ଭାତ ଖାଉଥିଲେ । ସେମାନଙ୍କୁ ସ୍ୱତନ୍ତ୍ରତା ଦିଆଯାଉନଥିଲା । ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କୌଣସି ଠୋସ ପଦକ୍ଷେପ ନିଆଯାଉନଥିଲା ।’

ଗ୍ରାମସଭା ହେବ, ପେସା ଆଇନ ପାଇଁ ପ୍ରକ୍ରିୟା ଆରମ୍ଭ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ୨୭ଟି ଜିଲ୍ଲା ୨୩୪ ବ୍ଲକ ୭୬୬୭ ଗ୍ରାମରେ ଗ୍ରାମସଭା ହେବ । ପେସା ଆଇନ କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।’ ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ‘ଆଗକୁ ଗ୍ରାମସଭା କାର୍ଯ୍ୟକାରୀ କରାଯିବ । ପଲିସଭା ମାଧ୍ୟମରେ ସେମାନଙ୍କ ଅସୁବିଧାର ସମାଧାନ କରାଯିବ ।’

ଏହା ମଧ୍ୟ ପଢନ୍ତୁ:

ଜନଜାତୀୟ ଗୌରବ ଦିବସ, ମନ୍ତ୍ରୀ କହିଲେ ‘77 ବର୍ଷ ପରେ ଆଦିବାସୀଙ୍କୁ ମିଳିଛି ସମ୍ମାନ ଓ ସ୍ବାଭିମାନ’

ଲୋୟର ପିଏମଜିରେ ଗର୍ଜିଲେ ଆଦିବାସୀ, ‘ନୋ ପେସା ନୋ ଭୋଟ’ ଚେତାବନୀ

ଅନେକ ପ୍ରକଳ୍ପର ଶିଳାନ୍ୟାସ:

ଭୁବନେଶ୍ବରରେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ୧୬ ଆଶ୍ରମ ହାଇସ୍କୁଲ ଗୁଡିକର ଅପଗ୍ରେଡ଼ ପାଇଁ ୨୪୦କୋଟି ଖର୍ଚ୍ଚ କରିବେ ସରକାର, ୧୩ଟି ହାଇସ୍କୁଲକୁ ଅପଗ୍ରେଡ଼ କରି ଯୁକ୍ତ ୨ କରିବା ପାଇଁ ୨୨ କୋଟି ଲେଖାଏଁ ଦିଆଯିବ । ୪୨୬ଆବାସିକ ସ୍କୁଲ ପାଇଁ ୮୫୨ କୋଟି ଖର୍ଚ୍ଚ ହେବ । ଜନଜାତି ଐତିହ୍ୟ ଓ ସୁରକ୍ଷା ପାଇଁ ଜନଜାତି ଐତିହ ଏବଂ ସ୍ୱାଭିମାନ ଭବନ ୧୦୦ କୋଟିରେ ନିର୍ମାଣ ହେବ । ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ପାଇଁ ୫୦କୋଟି ବିନିଯୋଗ ହେବ । ୧୫୩୫କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details