ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେବା ପରେ ମୁହା ଖୋଲିଛନ୍ତି ଦଳର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ଟିକେଟରୁ ବଞ୍ଚିତ ସହ ନିର୍ବାଚନ ପରେ ଦଳରେ ଅଣଦେଖା ଅଭିଯୋଗ ଆଣିଥିବା ସୁନନ୍ଦା ଆଜି ଆଉ ଏକ ଅଭିଯୋଗ ସହ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି । ସୁନନ୍ଦା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକା ଥିଲେ । ମାତ୍ର ଏଥର ଦଳ ତାଙ୍କୁ ଟିକେଟ ଦେଇନଥିଲା । ତାଙ୍କ ବଦଳରେ ବିଶ୍ୱରଞ୍ଜନଙ୍କୁ ଟିକଟ ଦେଇଥିଲା ଦଳ । ବିଶ୍ୱରଞ୍ଜନ ମଧ୍ୟ ବିଜୟ ଲାଭ କରିଛନ୍ତି ।
ସାଧାରଣ ନିର୍ବାଚନରେ ଦଳର ବଡ଼ ବିପର୍ଯ୍ୟୟ ପରେ ବିଜେଡି ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା । ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ଛାଡି ବିଜେପିରେ ମିଶିବା ପରେ ଏବେ ଜଣେ ପୂର୍ବତନ ବିଧାୟକ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ସୁନନ୍ଦା ନିଜର ଇସ୍ତଫାପତ୍ର ବିଜେଡି ସଭାପତିଙ୍କୁ ପଠାଇଛନ୍ତି ।
ଦଳୀୟ କାର୍ଯ୍ୟକ୍ରମରେ କରାଯାଉଥିଲା ଅଣଦେଖା
ସୁନନ୍ଦା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, "୨୦୧୯ ନିର୍ବାଚନ ଦଳ ଟିକେଟରେ ନିର୍ବାଚନ ଲଢ଼ି ଜିତିଥିବାରୁ ଧନ୍ୟବାଦ । ଜାତୀୟ ସ୍ତରରେ ବେଷ୍ଟ ବିଧାୟକ ଭାବେ ପରିଚୟ ପାଇଥିଲେ ମଧ୍ୟ ଦଳ ମୋ ଟିକେଟ କାଟିଥିଲା । ନିର୍ବାଚନ ସରି ୫ ମାସ ବିତିଥିଲେ ମଧ୍ୟ ମୋତେ ଦଳୀୟ କାର୍ଯ୍ୟକ୍ରମରେ ଅଣଦେଖା ଓ କଣଠେସା କରି ରଖାଯାଇଛି । କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଉନାହିଁ । ତେଣୁ ବାଧ୍ୟ ହୋଇ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । "
ଦେବାଶିଷ ନାୟକଙ୍କ ସ୍ଥାନରେ ଟିକଟ ପାଇଥିଲେ ସୁନନ୍ଦା :
ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଟିକେଟ କାଟି ଦଳ ୨୦୧୯ରେ ସୁନନ୍ଦାଙ୍କୁ ଟିକେଟ ଦେଇଥିଲା । ସୁନନ୍ଦା ୨୦୧୯ ନିର୍ବାଚନରେ ବଡ଼ ବଡ଼ ବ୍ୟବଧାନରେ ବିଜୟୀ ହୋଇ ବରୀରୁ ବିଧାୟିକା ହୋଇଥିଲେ । ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ସୁନନ୍ଦା ହରାଇଥିଲେ । ଏକଦା ସୁନନ୍ଦାଙ୍କ ନିକଟତର ଓ ୨୦୧୯ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦୀ ଥିବା ବିଶ୍ୱରଞ୍ଜନଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳରେ ସାମିଲ କରିଥିଲା ବିଜେଡି ।