ଜଗତସିଂହପୁର:ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁର ଗ୍ରାମରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧା ମାଆଙ୍କ ମୃତ୍ୟୁ ଏବଂ ପୁଅ-ବୋହୂ ଗୁରୁତର ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଓଗରପୁର ଗାଁର ବିକ୍ରମ ବିଶ୍ୱାଳକୁ ଗିରଫ କରି ସ୍କ୍ରିନ ରିକ୍ରିଏସନ କରିବା ପରେ କୋର୍ଟ ଚାଲାଣ କରିଛି ବାଲିକୁଦା ପୋଲିସ । ତେବେ ଅଭିଯୁକ୍ତ ଚେନ୍ନାଇରେ ରହୁଥିବା ବେଳେ ସେଠାରୁ ବାଇକରେ ଆସି ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ପୁନର୍ବାର ବାଇକ ନେଇ ଚେନ୍ନାଇ ଚାଲି ଯାଇଥିଲା । ଜମିବାଡ଼ି ବିବାଦକୁ ନେଇ ଏଭଳି କାଣ୍ଡ ଘଟାଇ ଥିବାର ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ବିକ୍ରମ ।
ସୂଚନା ଅନୁସାରେ, ଜଗତସିଂହପୁର ବାଲିକୁଦା ଥାନା ଓଗରପୁର ଗାଁର ମାନିଆ ବିଶ୍ୱାଳ ଓ ସେହି ଗାଁର ବିକ୍ରମ ବିଶ୍ୱାଳଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ବିକ୍ରମ ବିଶ୍ୱାଳ ଚେନ୍ନାଇରେ କାମ କରୁଥିବା ବେଳେ ଘଟଣା ଦିନ ଅର୍ଥାତ ଫେବୃୟାରୀ 19 ତାରିଖ ରାତିରେ ବାଇକ ଯୋଗେ ଚେନ୍ନାଇରୁ ଆସିଥିଲା । ବିଳମ୍ବିତ ରାତିରେ ଓଗରପୁର ଗାଁରେ ପହଞ୍ଚିବା ସହ ମୁଁହରେ ଏକ କଳାମୁଖା ପିନ୍ଧି ମାନିଆ ବିଶ୍ୱାଳଙ୍କ ଘର କବାଟ ବାଡେଇଥିଲା । ତେବେ ବୃଦ୍ଧା ମାନିଆ ବିଶ୍ୱାଳ କବାଟ ଖୋଲିବା ପରେ ମୁଖାପିନ୍ଧି ଆସିଥିବା ବିକ୍ରମ ହଠାତ ଭୁଜାଲି ବାହାର କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ।