ନିଆଳି:ଓଡିଆରେ ଗୋଟିଏ ପ୍ରବାଦ ରହିଛି "ନୀତି ମୂଲିଆ ମୂଲକୁ ଯାଏ, ଦିନେ ନ ଗଲେ ଓପାସେ ରୁହେ" । ପ୍ରକୃତ ପକ୍ଷେ ଏହି ଉକ୍ତିର ଅର୍ଥ ରହିଛି । ସମୟ ଯେତେ ପରିବର୍ତ୍ତନ ହେଉଥିଲେ ବି ଶ୍ରମିକମାନଙ୍କ ଜୀବନରେ ପରିବର୍ତ୍ତନ ହେଉଥିବା ଭଳି ଦେଖାଯାଉନାହିଁ । ପ୍ରକୃତ ଶ୍ରମିକ ପାଖରେ ଏହି ବିଶ୍ୱ ଶ୍ରମିକ ଦିବସର କୌଣସି ଅର୍ଥ ନାହିଁ କିମ୍ବା ସ୍ୱତନ୍ତ୍ରତା ନାହିଁ । ନିତିଦିନ ଯେମିତି ବଞ୍ଚେ ଶ୍ରମିକ ଦିବସରେ ବି ସେମିତି ନିଜର କର୍ମମୟ ଜୀବନକୁ ଧରି ବଢିଚାଲିଥାଏ ଶ୍ରମିକଟିଏ । ଶ୍ରମିକ ଦିବସ କଣ ସେ ବୁଝେ ନାହିଁ, ଏହି ଦିନ ଓ ଅନ୍ୟ ଦିନଗୁଡିକରେ କଣ ଫରକ ରହିଛି ତାହା ମଧ୍ୟ ଜାଣେନାହିଁ ସେ ।
ଆଜି ସାରା ବିଶ୍ୱ ପାଳୁଛି ବିଶ୍ୱ ଶ୍ରମିକ ଦିବସ । ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡିକରେ କାର୍ଯ୍ୟ କରୁଥିବା ଚାକିରିଆମାନଙ୍କ ପାଇଁ ଛୁଟି ଦିନ । ହେଲେ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଡହ ଡହ ଖରାରେ ଚାଲିଛି ନିର୍ମାଣ କାର୍ଯ୍ୟ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଶ୍ରମିକମାନେ ନିଜର କାମ ଚଳାଇଛନ୍ତି । ସେମାନଙ୍କ କହିବାନୁଯାୟୀ, "ଏ ବିଶ୍ୱ ଶ୍ରମିକ ଦିବସ ବିଷୟରେ ଆମେ କିଛି ଜାଣିନାହୁଁ । ଆମେ କାମ କଲେ ଆମ ପରିବାର ଚଳିବ । ଦିନେ କାମକୁ ନଯାଇ ଯଦି ଶ୍ରମିକ ଦିବସ ପାଳନ କରିବୁ କି ଖରାରୁ ଦେଖି ଆମେ ଘରେ ବସିବୁ ଆମ ପରିବାର ଭାସିଯିବ । "
ଏହାମଧ୍ୟ ପଢନ୍ତୁ.. ବିଶ୍ବ ଶ୍ରମିକ ଦିବସ; ଆଜି ବି ସମ୍ମାନରୁ ଦୂରରେ, ହକ୍ରୁ ବଞ୍ଚିତ ଶ୍ରମିକ - Labour Day 2024