ଭୁବନେଶ୍ବର:କେବଳ ନିଜେ ରୋଜଗାରକ୍ଷମ ବା ଆତ୍ମନିର୍ଭରଶୀଳ ହେଲେ, ବେକାରୀ ସମସ୍ୟା ଦୂର ହେବ ନାହିଁ, ବରଂ ନିଜ ଭଳି ଅନ୍ୟମାନଙ୍କୁ ରୋଜଗାରକ୍ଷମ ହେବା ଦିଗରେ ସଚେତନ କରାଇବା ଏବଂ ଏଥିରେ ସଫଳତା ହାସଲ କରିପାରିଲେ, ସରକାରଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ସଫଳ ହୋଇପାରିବ । ଯାହା କି ସମାଜର ସାମୂହିକ ବିକାଶ ଦିଗରେ ଏକ ଉଦାହରଣ ସୃଷ୍ଟି କରିପାରିବ । ତେବେ ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନରେ ଓରମାସ ପକ୍ଷରୁ ଦକ୍ଷତା ବିକାଶ ତାଲିମ ପାଇ ନିଯୁକ୍ତି ପାଇଥିବା ପ୍ରଶିକ୍ଷାର୍ଥୀଙ୍କୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପରାମର୍ଶ ଦିଆଯାଇଛି ।
ଓରମାସ-ଓଏମସିର ମିଳିତ ଆନୁକୂଲ୍ୟରେ ରାଜ୍ୟର ଖଣି ଅଞ୍ଚଳରେ ବସବାସ କରୁଥିବା ଗରିବ ପରିବାରର ଅଳ୍ପ ଶିକ୍ଷିତ ବେରୋଜଗାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଯୋଗ ଦେଇଥିଲେ । ତେବେ ନିଷ୍ଠା ଏବଂ ଦୃଢ଼ ଆତ୍ମବିଶ୍ୱାସର ସହିତ କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ସମ୍ପାଦନ କରିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଏଥିସହ ନିଜର ବ୍ୟକ୍ତିଗତ ଦାୟିତ୍ୱ ସହ ପରିବାରର ଆର୍ଥିକ ବିକାଶ ଦିଗରେ ମଧ୍ୟ ସଚେତନ ହେବା ପାଇଁ କହିଥିଲେ । ସେହିପରି ଓଡ଼ିଶା ଖଣି ନିଗମର ମାନବ ସମ୍ୱଳ ବିଭାଗର ନିର୍ଦ୍ଦେଶକ ଆଲୋକ କୁମାର ପାଲ ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାବଲମ୍ୱୀ ହେବା ସହ ଆଗାମୀ ଦିନରେ ନିଜ ଅଞ୍ଚଳର ଅନ୍ୟ ବେରୋଜଗାର ଯୁବବର୍ଗଙ୍କୁ ଏହି ଯୋଜନାର ସୁଯୋଗ ହାସଲ କରିବା ପାଇଁ ସଚେତନ କରିବା ଦିଗରେ ପରାମର୍ଶ ଦେଇଥିଲେ ।