ପାରାଦ୍ବୀପ:ଭାରତୀୟ ଜଳସୀମାରୁ ୨ ବାଂଲାଦେଶୀ ଜାହାଜ ଜବତ । ଭାରତୀୟ ଜଳ ସୀମାରେ ବେଆଇନ ଭାବେ ମାଛ ଧରୁଥିବାବେଳେ ବାଂଲାଦେଶର ଦୁଇଟି ଛୋଟ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜବତ କରାଯିବା ସହିତ ପାରାଦ୍ୱୀପ ଅଣାଯାଇଛି । ଦୁଇଟି ଜାହାଜରେ ଥିବା 160 ଟନ ମାଛ ସହ ମୋଟ ୭୮ ଜଣ କ୍ରିଉ ମେମ୍ବରଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା କରାଯାଇଛି ।
78 ଜଣ କ୍ରିଉ ମେମ୍ବରଙ୍କୁ ପଚରାଉଚରା :ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦ୍ର ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ପଇଁତରା ମାରୁଥିବାବେଳେ ଅନ୍ତର୍ଜାତୀୟ ଜଳସୀମା ପାର କରି ଭାରତୀୟ ଜଳ ସୀମା ମଧ୍ୟରେ ପଶି ବାଂଲାଦେଶୀ ଛୋଟ ଜାହାଜ ଲୈଲା-2 ଓ FV ମେଘନା- 5 ବେଆଇନ ଭାବେ ମାଛ ମାରୁଥିବାର ଦେଖିବାକୁ ପାଇଥିଲେ । ତତକ୍ଷଣାତ୍ ତଟରକ୍ଷୀ ବାହିନୀ ଉଭୟ ଜାହାଜକୁ ଜବତ କରିବା ସହିତ ପାରାଦ୍ୱୀପକୁ ଆଣିଥିଲା । ସେହି ଦୁଇଟି ଜାହାଜରେ ଥିବା ମୋଟ 78 ଜଣ କ୍ରିଉ ମେମ୍ବରଙ୍କୁ ଅଧିକ ପଚରାଉଚରା ଜାରି ରଖିଛି ତଟରକ୍ଷୀ ବାହିନୀ । ଅନ୍ୟ ପକ୍ଷରେ ଜାହାଜ ମଧ୍ୟରେ ଅନ୍ୟ କିଛି ସାମଗ୍ରୀ ଅଛି କି ନାହିଁ ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ତଟରକ୍ଷୀ ବାହିନୀ କଷ୍ଟମ ବିଭାଗର ସହାୟତା ନେଇଥିବା ଜଣାପଡ଼ିଛି । ଏହି ଦୁଇଟି ଜାହାଜରେ ଥିବା ମୋଟ 160 ଟନ ମାଛକୁ ନିଲାମ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି ।