ଓଡିଶା

odisha

ETV Bharat / state

ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶା, ୧୮୧୭ ପାଇକ ବିଦ୍ରୋହରୁ ୧୯୪୨ ଭାରତ ଛାଡ଼ , ସ୍ବତନ୍ତ୍ରତା ଆନ୍ଦୋଳନରେ ନିର୍ଣ୍ଣାୟକ ଭୂମିକା - ROLE OF ODISHA IN INDEPENDENCE

Role of Odisha in National Freedom Struggle and India Independence: ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଓଡିଶାର ଅତୂଳନୀୟ ଭୂମିକା । ସିପାହୀ ବିଦ୍ରୋହ ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ । କଂଗ୍ରେସ ଓ ଗାନ୍ଧୀବାଦୀ ଆନ୍ଦୋଳନର ଆଗମନ ସହ ବ୍ୟାପକ ହୋଇଥିଲା ସ୍ବାଧୀନତା ପ୍ରାପ୍ତିର ଆଶା । ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଠାରୁ ରମାଦେବୀଙ୍କ ପର୍ଯ୍ୟନ୍ତ ନେଇଥିଲେ ନେତୃତ୍ବ । ଆସନ୍ତୁ ଜାଣିବା, ଜାତୀୟ ସ୍ବାଧିନତା ସଂଗ୍ରାମରେ ଓଡ଼ିଶା...

ଭାରତୀୟ ସ୍ବାଧିନତା ସଂଗ୍ରାମରେ ଓଡିଶାର ଭୂମିକା ଅତୂଳନୀୟ, ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କଠାରୁ ଭାରତଛାଡ ଆନ୍ଦୋଳନ ପର୍ଯ୍ୟନ୍ତ...
ଭାରତୀୟ ସ୍ବାଧିନତା ସଂଗ୍ରାମରେ ଓଡିଶାର ଭୂମିକା ଅତୂଳନୀୟ, ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କଠାରୁ ଭାରତଛାଡ ଆନ୍ଦୋଳନ ପର୍ଯ୍ୟନ୍ତ... (ETV Bharat Odisha)

By ETV Bharat Odisha Team

Published : Aug 13, 2024, 2:36 PM IST

Updated : Aug 13, 2024, 2:42 PM IST

ହାଇଦ୍ରାବାଦ:ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ଦେଶ ଭାରତ ଚଳିତବର୍ଷ 78ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି । ଆନ୍ଦୋଳନ, ସଂଘର୍ଷ ମାଧ୍ୟମରେ ପରାଧୀନତାରୁ ମୁକ୍ତ ହୋଇଥିବା ବିଶ୍ବର ଅସଂଖ୍ୟ ଦେଶ ମଧ୍ୟରେ ଭାରତର ଭିନ୍ନ ଏକ ପରିଚୟ ରହିଛି । କାରଣ ବିଭିନ୍ନ ସମ୍ପ୍ରଦାୟ, ଭାଷା, ସଂସ୍କୃତି, ଚଳଣିରେ ବ୍ୟାପକ ଭିନ୍ନତା ଥିବା ସତ୍ତ୍ବେ ମଧ୍ୟ ଶକ୍ତିଶାଳୀ ଇଂରେଜ ସରକାର ବିରୋଧରେ ଭାରତୀୟ ସମାଜର ଅଂହିସା ଆଧାରିତ ମିଳିତ ଲଢେଇ ଏକ ବିଶ୍ବକୁ ଏକ ଭିନ୍ନ ବାର୍ତ୍ତା ଦେଇଛି । ଏହି ଆନ୍ଦୋଳନରେ ପୂର୍ବ-ଭାରତୀୟ ରାଜ୍ୟ ଓଡିଶାର ମଧ୍ୟ ବଡ ଭୂମିକା ରହିଥିଲା । ଓଡିଆମାନେ ସ୍ବାଧୀନ ଚେତନାରେ ପ୍ରଭାବିତ ହୋଇଥିଲେ । ଜାତୀୟ ସ୍ତରରେ ଆହୁତ ପ୍ରାୟ ସମସ୍ତ ଆନ୍ଦୋଳନର ସୁଦୂରପ୍ରସାରୀ ପ୍ରଭାବ ଓଡିଶାରେ ସ୍ପଷ୍ଟ ଅନୁଭୂତ ହୋଇଥିଲା । ଏପରିକି ଦେଶରେ 1857ରେ ହୋଇଥିବା ସିପାହୀ ବିଦ୍ରୋହକୁ ସ୍ବାଧୀନତା ସଂଗ୍ରାମର ଅୟମାରମ୍ଭ କୁହାଯାଉଥିଲେ ସୁଦ୍ଧା ଓଡିଶାରେ ଏହାର ପ୍ରାୟ 4 ଦଶନ୍ଧି ପୂର୍ବରୁ ବ୍ରିଟିଶ ବିରୋଧୀ ଆନ୍ଦୋଳନର ମଳଦୁଆ ପଡିସାରିଥିବା ଇତିହାସରୁ ଜଣାପଡେ ।

ସ୍ବାଧିନତା ଆନ୍ଦୋଳନରେ ସତ୍ୟାଗ୍ରହ (ETV Bharat Odisha)
  • 1803ରେ ଓଡିଶା ଅଧିକାର କରିଥିଲେ ଇଂରେଜ :-

ଏହି ବର୍ଷ ଓଡିଶାରେ ଇଂରେଜ ରାଜତ୍ବ ଆରମ୍ଭ ହୋଇଥିଲା । ସେମାନେ ପଶ୍ଚିମବଙ୍ଗରୁ ଓଡିଶାରେ ପ୍ରବେଶ କରି ଶାସନ କ୍ଷମତା ଦଖଲ କରିଥିଲେ । ସେତେବେଳେ ଖୋର୍ଦ୍ଧାଗଡର ରାଜା ଦ୍ବିତୀୟ ମୁକୁନ୍ଦ ଦେବ ସେମାନଙ୍କୁ ବାଧା ଦେବାକୁ ପ୍ରୟାସ କରିଥିଲେ । ମୁକୁନ୍ଦ ଦେବଙ୍କ ମନ୍ତ୍ରୀ ଜୟୀ ରାଜଗୁରୁ ଇଂରେଜ ବିରୋଧୀ ଲଢେଇର କର୍ଣ୍ଣଧାର ସାଜିଥିଲେ । ଫଳରେ ତାଙ୍କୁ ଇଂରେଜମାନେ ଧରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ରାଜଗୁରୁଙ୍କୁ ଦେଶର ପ୍ରଥମ ଶହୀଦ ବୋଲି ମଧ୍ୟ କୁହାଯାଏ । ହେଲେ ସରକାରୀ ଭାବେ ଏହାକୁ ମାନ୍ୟତା ମିଳିନି । ଯାହା ବିଭିନ୍ନ ସମୟରେ ଓଡିଶା ସରକାର କେନ୍ଦ୍ର ନିକଟରେ ଦାବି କରିଆସୁଛି ।

ପାଇକ ବିଦ୍ରାହର ପ୍ରତୀକାତ୍ମକ ଚିତ୍ର (ETV Bharat Odisha)

1857 ସିପାହୀ ବିଦ୍ରୋହ ପୂର୍ବରୁ 1817 ପାଇକ ବିଦ୍ରୋହ :-

1857 ସିପାହୀ ବିଦ୍ରୋହର ପ୍ରାୟ 40ବର୍ଷ ପୂର୍ବରୁ ଓଡିଶାରେ 1817 ମସିହାରେ ‘ପାଇକ ବିଦ୍ରୋହ’ ଆରମ୍ଭ ହୋଇଥିଲା । ଓଡିଶା ଓ ଖୋର୍ଦ୍ଧାଗଡକୁ ଅକ୍ତିଆର କରିବା ପାଇଁ ଇଂରେଜଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା । ଇଂରେଜ ସେନା ଓ ପାଇକଙ୍କ ମଧ୍ୟରେ ଏହି ଗରିଲା ଯୁଦ୍ଧର ନେତୃତ୍ବ ନେଇଥିଲେ ବଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ମହାନ ଯୋଦ୍ଧା ବକ୍ସି ଜଗବନ୍ଧୁ । ଉପକୂଳ କିମ୍ବା ଖୋର୍ଦ୍ଧାଗଡକୁ ଛାଡିଦେଲେ, ପଶ୍ଚିମ ଓଡିଶାର ସମ୍ବଲପୁରରେ ମଧ୍ୟ 1857 ରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ବରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ବ୍ୟାପକ ହୋଇଥିଲା । ସେହିପରି 1835- 1836 ମଧ୍ୟରେ ଘୁମୁସର ଆନ୍ଦୋଳନର ନେତୃତ୍ବ ନେଇଥିଲେ ସଂଗ୍ରାମୀ ଡୋରା ବିଷୋୟୀ, ଚକରା ବିଷୋୟୀ ।

ଓଡିଶାରେ ମହାତ୍ମା ଗାନ୍ଧୀ (ETV Bharat Odisha)

ଭାରତୀୟ ସ୍ବାଧିନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅଭ୍ୟୁଦୟ ଓ ଓଡିଶାରେ ଏହାର ପ୍ରଭାବ:-

ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷ୍ଣବ ଆନ୍ଦୋଳନର ପୁରୋଧା ସାଜିଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀ ବିଲାତରୁ ଫେରିବା ପରେ ଭାରତୀୟ ସ୍ବାଧୀନତା ସଂଗ୍ରାମ ଏକ ସଂଗଠିତ ଓ ନୂଆ ରୂପ ପାଇଥିଲା । 1905 ମସିହାରେ ଗାନ୍ଧିଜୀ ଦେଶରେ ସ୍ବାଧିନତା ଆନ୍ଦୋଳନର ନେତୃତ୍ବ ନେବା ଆରମ୍ଭ କଲେ । ଏହା ଦୁଇଦଶନ୍ଧି ପୂର୍ବରୁ 1886 ମସିହାରେ ଭାଷାଭିତ୍ତିକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନର ମୁଳଦୁଆ ପଡିସାରିଥିଲା । କୁଳବୃଦ୍ଧ ମଧୁସୁଦନ ଦାସ ଏହାର ଅୟମାରମ୍ଭ କରିଥିଲେ । ପରେ ଏହା ଫଳପ୍ରଦ ମଧ୍ୟ ହୋଇଥିଲା । ପରାଧୀନ ଭାରତରେ ଓଡିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆତ୍ମପ୍ରକାଶ କରିଥିଲା । ଏହାର ନାମ ଥିଲା ଉତ୍କଳ ପ୍ରଦେଶ ।

1920 ମସିହାରେ ଗାନ୍ଧିଜୀଙ୍କ ସ୍ବାଧୀନତା ସଂଗ୍ରାମ ଡାକରାର ପ୍ରତ୍ୟକ୍ଷ ପ୍ରବାହ ଓଡିଶାକୁ ଆଗମନ କରିଥିଲା । ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ ସେତେବେଳେ ପ୍ରାଦେଶିକ ଓଡିଶା କଂଗ୍ରେସ କମିଟିର ପ୍ରଥମ ସଭାପତି ହୋଇଥିଲେ । 1920 ରେ ଉତ୍କଳମଣି ଗୋପବନ୍ଧୁ ଦାଶ ‘ଉତ୍କଳ ସମ୍ମିଳନୀ’କୁ ଭାରତୀୟ ଜାତୀୟ କଂଗ୍ରେସରେ ବିଲୟ କରିବା ସହ ସ୍ବାଧିନତା ସଂଗ୍ରାମକୁ ରାଜ୍ୟରେ ବ୍ୟାପକ କରିଥିଲେ । 1921 ସୁଦ୍ଧା ପ୍ରାୟ 52ହଜାର ଓଡିଆ ପ୍ରାଦେଶିକ କମିଟିର ସଦସ୍ୟତା ଗ୍ରହଣ କରିଥିଲା । ଯାହା କଂଗ୍ରେସକୁ ଓଡିଶାରେ ଶକ୍ତିଶାଳୀ କରିବା ସହ ସ୍ବାଧିନତା ଆନ୍ଦୋଳନର ଏକ ଶକ୍ତିଶାଳୀ ପୃଷ୍ଠଭୂମି ପ୍ରସ୍ତୁତ କରଥିଲା ।

  • ଜନଜାତି ଆନ୍ଦେଳନ :-
    ସ୍ବାଧିନତା ଆନ୍ଦୋଳନରେ ସତ୍ୟାଗ୍ରହ (ETV Bharat Odisha)

ଓଡିଶାରେ ସ୍ବାଧୀନତା ସଂଗ୍ରାମର ଏକ ବଡ ଭୂମିକା ବହନ କରିଥିଲେ ଜନଜାତି ସମ୍ପ୍ରଦାୟ । କୋରାପୁଟରେ ଲକ୍ଷ୍ମଣ ନାୟକ, କେନ୍ଦୁଝରରେ ରତନ ନାଏକ, ଘୁମୁସରର ଦୋରା ବିଷୋୟୀ ଓ ଚକରା ବିଷୋୟୀ, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ପ୍ରମୁଖ ବ୍ରିଟିଶ ବିରୋଧୀ ଆନ୍ଦୋଳନର ମଙ୍ଗ ସମ୍ଭାଳିଥିଲେ ।

  • ସ୍ବଦେଶୀ ଆନ୍ଦୋଳନର ପ୍ରଭାବ:-

ପାଶ୍ଚାତ୍ୟ ସାମଗ୍ରୀ ବର୍ଜନ କରିବା ପାଇଁ ଆରମ୍ଭ ହୋଇଥିବା ସ୍ବଦେଶୀ ଆନ୍ଦୋଳନର ସୁଦୂରପ୍ରସାରୀ ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଥିଲା । 1905 ରେ ପଶ୍ଚିମବଙ୍ଗରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉତ୍ତର ଓଡିଶା ଜିଲ୍ଲା ବାଲେଶ୍ବରରେ ପ୍ରବଳ ମାତ୍ରାରେ ଅନୁଭୂତ ହୋଇଥିଲା । ସେହିବର୍ଷ ସେପ୍ଟେମ୍ବର 3 ତାରିଖେ ବାଲେଶ୍ବର ଟାଉନ ହଲରେ ଆୟୋଜିତ ସଭାରେ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଲୋକେ ବିଦେଶୀ ବସ୍ତ୍ର ଓ ସାମଗ୍ରୀରେ ନିଆଁ ଲଗାଇଥିଲେ । ବିଶିଷ୍ଟ ଓଡିଆ କଥାକାର ତଥା ବ୍ୟାସକବି ଫକୀର ମୋହନ ସେନାପତି, ଦୈତାରୀ ଦାସ ଓ କରୁଣାକର ସାହୁ ପ୍ରମୁଖ ଏହି ଆନ୍ଦୋଳନର ପ୍ରମୁଖ ନେତୃମଣ୍ଡଳୀ ଥିଲେ ।

ଅସହଯୋଗ ଆନ୍ଦୋଳନର ପ୍ରଭାବ:-

କନିଷ୍ଠ ଶହୀଦ ବାଜି ରାଉତଙ୍କୁ ଇଂରେଜଙ୍କ ଗୁଳି (ETV Bharat Odisha)

1920 କଂଗ୍ରେସର ଲାହୋର ଅଧିବେଶନରେ ଇଂରେଜ ସରକାରଙ୍କୁ ଅସହଯୋଗ କରିବା ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା । ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ଧାଡିରେ ଓଡିଶା ମଧ୍ୟ ଆଗରେ ଥିଲା । ଏକାଧିକ ଓଡିଆ ନେତା ବ୍ରିଟିଶ ନେତତ୍ବଧୀନ ଓଡିଶା-ବିହାର ବିଧାନସଭା ଓ କେନ୍ଦ୍ରୀୟ ବିଧାନସଭାରୁ ଇସ୍ତଫା ଦେଇଥିଲେ । 1930 ମାର୍ଚ୍ଚ 12 ତାରିଖରେ ଓଡିଶା କଂଗ୍ରେସ ସ୍ବାଧୀନତା ଦିବସ ମଧ୍ୟ ପାଳନ କରିଥିଲା । ଗାନ୍ଧିଜୀ ଗୁଜୁରାଟର ଦାଣ୍ଡିରେ ଲୁଣ ମାରି ଏହି ଆନ୍ଦୋଳନର ଶୁଭାରମ୍ଭ କରିଥିଲେ ।

  • ଗାନ୍ଧିଜୀଙ୍କ ଓଡିଶା ଆଗମନ:-

ସାରା ଦେଶରେ ସ୍ବାଧିନତା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ମହାତ୍ମା ଗାନ୍ଧୀ ଭାରତ ଯାତ୍ରା ଆରମ୍ଭ କରିଥିଲେ । ଏହିକ୍ରମରେ ସେ 1921 ମାର୍ଚ୍ଚ ମାସରେ ପ୍ରଥମ ଥର ଓଡିଶାରେ ପହଞ୍ଚିଥିଲେ । ମାର୍ଚ୍ଚ 23 ତାରିଖରେ କଟକ ସହରର କାଠଯୋଡି ନଦୀପଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ଗାନ୍ଧିଜୀ । ଏଥିରେ ଲକ୍ଷାଧିକ ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଭାରତୀୟ ସ୍ବତନ୍ତ୍ରତା ଆନ୍ଦୋଳନ, ଅହିଂସା ମାର୍ଗ, ସାମ୍ପ୍ରଦାୟିକ ନିରପେକ୍ଷତା ଓ ଭାତୃଭାବ ଉପରେ ଗାନ୍ଧୀ ଦେଇଥିବା ଅଭିଭାଷଣ ଯାହା ପରବର୍ତ୍ତୀ ସମୟରେ ଓଡିଶାରେ ବ୍ରିଟିଶ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବାରେ ପ୍ରଭାବୀ ଭୂମିକା ଗ୍ରହଣ କରିଥିଲା ।

  • ଓଡିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପ୍ରଭାବ:-

ଗାନ୍ଧିଜୀଙ୍କ ନେତୃତ୍ବରେ ଜାତୀୟ କଂଗ୍ରେସ ଦ୍ବାରା ଆହୁତ ହୋଇଥିଲା ଆଇନ ଅମାନ୍ୟ ଆନ୍ଦୋଳନ ଆନ୍ଦୋଳନ । ଇଂରେଜ ସରକାରଙ୍କ ଦ୍ବାରା ପ୍ରଚଳିତ ଦମନମୂଳକ ଆଇନକୁ ବରଦାସ୍ତ କରାଯିବ ନାହିଁ ବୋଲି ଏଥିରେ ସଂକଳ୍ପ ପାରିତ ହୋଇଥିଲା । ବିଶେଷ ଭାବେ ଭାରତୀୟମାନେ ଲୁଣ ମାରିପାରିବେ ନାହିଁ ବୋଲି ଇଂରେଜ ସରକାର ଆଇନ ପ୍ରଣୟନ କରିବା ପରେ ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । ଓଡିଶାରେ ମଧ୍ୟ ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର ଦାସଙ୍କ ପରି ନେତାଙ୍କ ନେତୃତ୍ବରେ ଶତାଧିକ ଓଡିଆ ସତ୍ୟାଗ୍ରହୀ ବାଲେଶ୍ବର ଇଞ୍ଚୁଡିରେ ଲୁଣ ମାରି ବ୍ରିଟଶ ନିୟମ ଭଙ୍ଗ କରି ଅସହଯୋଗର ପ୍ରମାଣ ଦେଇଥିଲେ । ଏପ୍ରିଲ 6 ତାରିଖରେ ସେମାନେ କଟକର ସ୍ବରାଜ ଆଶ୍ରମରୁ ବାଲେଶ୍ବର ଇଞ୍ଚୁଡିକୁ ଯାତ୍ରା କରି 12 ତାରିଖରେ ବାଲେଶ୍ବର ଉପକୂଳରେ ଲୁଣ ମାରିଥିଲେ । ଏହା ପରେ ସମଗ୍ର ଓଡିଶାରେ ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ବ୍ୟାପକ ହୋଇଥିଲା । ପୁରୀ, ଗଞ୍ଜାମ, ସମ୍ବଲପୁର ଓ ବାରିପଦାରେ ଲୋକେ ବ୍ରିଟିଶରଙ୍କ ଲୁଣ କଟକଣାକୁ ବିରୋଧ କରିଥିଲେ । ଏପ୍ରିଲ 20 ତାରିଖରେ ବିଶିଷ୍ଟ ନାରୀ ସ୍ବାଧିନତା ସଂଗ୍ରାମୀ ରମାଦେବୀ, ମାଳତି ଚୌଧୁରୀଙ୍କ ନେତୃତ୍ବରେ ଶତାଧିକ ମହିଳା ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଇଞ୍ଚୁଡିରେ ପହଞ୍ଚିଥିଲେ । ଓଡିଶାର ଗାନ୍ଧିଜୀଙ୍କ ଡାକରାର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିବାରୁ ଏହାକୁ ଦେଶର ‘ଦ୍ବିତୀୟ ଦାଣ୍ଡି ଯାତ୍ରା’ ବୋଲି କୁହାଯାଏ ।

  • ଭାରତ ଛାଡ ଆନ୍ଦୋଳନ:-

1942 ଅଗଷ୍ଟ 8 ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ଏହି ସଙ୍କଳ୍ପ ପାରିତ ହୋଇଥିଲା । ଏହା ଥିଲା ଭାରତୀୟ ଅହିଂସାଧର୍ମୀ ସ୍ବାଧୀନତା ଆନ୍ଦୋଳନର ସର୍ବାଧିକ ପ୍ରଭାବଶାଳୀ ଘଟଣାକ୍ରମ । ଏହାକୁ ‘ଅଗଷ୍ଟ କ୍ରାନ୍ତି’ ବୋଲି ମଧ୍ୟ କୁହାଯାଏ । ସେତେବେଳେ ଅଧିବେଶନ ଶେଷ ହେବା ମାତ୍ରେ ଶୀର୍ଷ କଂଗ୍ରେସ ନେତାଙ୍କୁ ବ୍ରିଟିଶ ସରକାର ଗିରଫ କରିଥିଲେ । ଓଡିଶାରୁ ଏହି ଅଧିବେଶନରେ ପ୍ରତିନିଧିତ୍ବ କରିଥିବା ହରେକୃଷ୍ଣ ମହତାବଙ୍କୁ ମଧ୍ୟ ସେତେବେଳେ ଗିରଫ ହେବାକୁ ପଡିଥିଲା । ତାଙ୍କୁ ଅହମ୍ମଦନଗର ଜେଲରେ ରଖାଯାଇଥିଲା । ‘ଭାରତ ଛାଡ ଆନ୍ଦୋଳନ’ ପ୍ରଭାବ ମଧ୍ୟ ଓଡିଶାରେ ବହୁମାତ୍ରାରେ ସଫଳ ହୋଇଥିଲା ।

ଦକ୍ଷିଣ ଓଡ଼ିଶାାରେ ଭାରତ ଛାଡ଼ ଆନ୍ଦୋଳନ:-

1942 ରେ ଭାରତ ଛାଡ ଆନ୍ଦୋଳନର ପ୍ରଭାବ ସିଧା ଦକ୍ଷିଣ ଓଡିଶାରେ ମଧ୍ୟ ଅନଭୂତ ହୋଇଥିଲା । ଲକ୍ଷ୍ମଣ ନାୟକଙ୍କ ନେତୃତ୍ବରେ ହଜାର ହଜାର ଆନ୍ଦୋଳନକାରୀ ଏହି ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଘେରାଓ ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଲାଇଥିଲା । ଏଥିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ଏହି ଅଭିଯୋଗରେ ଲକ୍ଷ୍ମଣଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ସମୟରେ ଫାଶୀ ଦିଆଯାଇଥିଲା । ରାଜ୍ୟର ଅନ୍ୟତମ ଶହୀଦ ମଧ୍ୟରୁ ଜଣେ ଥିଲେ ଲକ୍ଷ୍ନଣ ନାୟକ ।

ରେଭେନ୍ସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜ ବର୍ଜନ କରିଥିଲେ । ବିଭିନ୍ନ ସ୍ଥାନରେ ‘ବ୍ରିଟଶର ତୁମେ ଫେରିଯାଓ ନାରା’ ଲାଗିଥିଲା । ବିଦେଶୀ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବର୍ଜନ କରାଯାଇଥିଲା । ସରକାରୀ ସଂସ୍ଥା ଓ ଅନୁଷ୍ଠାନରେ କାର୍ଯ୍ୟରତ ଥିବା କର୍ମଚାରୀ ଇସ୍ତଫା ଦେଇ ଆନ୍ଦୋଳନରେ ଝାସ ଦେଇଥିଲେ । ହଜାର ହଜାର ଆନ୍ଦୋଳନକାରୀଙ୍କୁ ସେତେବେଳେ ଗିରଫ କରିବାକୁ ପଡିଥିଲା । ଦିଲ୍ଲୀରେ ଭାରତୀୟ ଜାତୀୟ କଂଗ୍ରେସ ମହାତ୍ମା ଗାନ୍ଧୀ, ନେହୁରୁ, ପଟେଲଙ୍କ ପରି ଶୀର୍ଷ ନେତାଙ୍କ ଦ୍ବାରା ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ପ୍ରତ୍ୟକ ଥର ଓଡିଶାରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 13, 2024, 2:42 PM IST

ABOUT THE AUTHOR

...view details