ଭୁବନେଶ୍ବର: ଗତବର୍ଷ ତୁଳନାରେ ଏଥର ଶୀଘ୍ର ଆସିବ ମୌସୁମୀ । ଆସନ୍ତା 19 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିବାକୁ ଯାଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଥମେ ଆଣ୍ଡାମାନ ନିକୋବରକୁ ଛୁଇଁବାକୁ ଯାଉଛି । ଏହାପରେ ଦେଶର ଅନ୍ୟ ସ୍ଥାନରେ ମୌସୁମୀ ବର୍ଷା ହେବ ।
ପାଣିପାଗ ବିଭାଗ ଅନୁଯାୟୀ, ଦେଶରେ ଏଲ-ନିନୋ ସ୍ଥିତି ଦୁର୍ବଳ ହେବାକୁ ଯାଉଛି । ଏହାସହ ଲା-ନିନାର ସ୍ଥିତି ସକ୍ରିୟ ହେଉଛି । ଯାହା ଚଳିତ ବର୍ଷ ମୌସୁମୀ ପାଇଁ ଅନୁକୂଳ । ଏହି କାରଣରୁ ମୌସୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିପାରେ ।ଭାରତ ମହାସାଗର ଡାଇପୋଲ୍ (ଆଇଓଡି) ଏବଂ ଲା-ନିନା ପରିସ୍ଥିତି ଏକାସାଙ୍ଗରେ ସକ୍ରିୟ ରହିବ । ଯାହା ମୌସୁମୀ ପାଇଁ ଅନୁକୂଳ ।
ମୌସୁମୀକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, "ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ କ୍ଷେତ୍ର ଯୋଗୁଁ ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୋୖସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ଵୀପପୁଞ୍ଜ ଛୁଇଁବ ।"