ପୁରୀ: 4 ତାରିଖରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଶୃଙ୍ଖଳିତ ନୀତିକାନ୍ତି ଓ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବ୍ୟସ୍ଥା ପାଇଁ ଗତକାଲି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଦର୍ଶନ କରିବା ସମୟରେ ସାଧାରଣ ଦର୍ଶନ ବନ୍ଦ । କେବଳ ଅଧିକୃତ କର୍ମଚାରୀ ଓ ସେବାୟତମାନେ ସେହି ସମୟରେ ମନ୍ଦିର ମଧ୍ୟରେ ଉପସ୍ଥିତ ରହିବେ । ରାଷ୍ଟ୍ରପତି ଦର୍ଶନ ସାରି ମନ୍ଦିରରୁ ଫେରିବା ପରେ ପୁନର୍ବାର ସାଧାରଣ ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରବେଶ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଏକ ଦୁଇଜଣିଆ କମିଟି ମଧ୍ୟ ଗଠନ କରାଯାଇଛି ।
- ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା:-
ବୈଠକ ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,‘‘୪ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହୋଇପାରିବ, ସେନେଇ ଆମେ ଶ୍ରୀମନ୍ଦିର ଛତିଶା ନିଯୋଗ ସହିତ ଆଲୋଚନା କଲୁ । କିଭଳି ନୀତି ପରିଚାଳନା ହେବ ସେନେଇ ଆଲୋଚୋନା ହେଲା । ସେହିପରି ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ମଧ୍ୟ ଆଲୋଚୋନା ହେଲା । ମରାମତି ସମୟରେ କିଭଳି ମହାପ୍ରଭୁଙ୍କ ସେବା ପୂଜାରେ ବାଧା ନଉପୁଜିବ ଓ ଭକ୍ତଙ୍କ ଦର୍ଶନ ପ୍ରଭାବିତ ନହେବ ସେନେଇ ମଧ୍ୟ ଆଲୋଚୋନା ହେଲା ।’’
- ରତ୍ନଭଣ୍ଡାର ମରାମତି ପାଇଁ ଗଠନ ହେଲା କମିଟି:-
ଜିଲ୍ଲାପାଳ କହିଛନ୍ତି, ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଏକ ଦୁଇଜଣିଆ କମିଟି ଗଠନ ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର କମାଣ୍ଡରଙ୍କୁ ନେଇ ଏହି ଦୁଇ ଜଣିଆ କମିଟି ଗଠନ ହୋଇଛି । ଏହି କମିଟି ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ରତ୍ନଭଣ୍ଡାର ମରାମତି ସମୟରେ ପ୍ରଭାବିତ ନହେବ ତାହା କମିଟି ଧ୍ୟାନ ରଖିବ । ରତ୍ନଭଣ୍ଡାର ମରାମତି ନେଇ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବେ । ଏହାକୁ ନେଇ ‘ଏଏସଆଇ’ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବ ।
- ଏତିକି ବେଳେ ଦର୍ଶନ କରିବେ ରାଷ୍ଟ୍ରପତି
ରାଷ୍ଟ୍ରପତିଙ୍କ ଗସ୍ତ ଦିନ ସକାଳ ୮ଟା ୪୫ରେ ଶ୍ରୀମନ୍ଦିରକୁ ଶୋଦ୍ଧ କରାଯିବ । ପୂର୍ବାହ୍ନ ୧୦ଟା ୧୫ରୁ ୧୦ ଟା ୪୦ ଯାଏଁ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବା ନେଇ ସମୟ ନିର୍ଦ୍ଧାରିତ ହୋଇଛି । ରାଷ୍ଟ୍ରପତି ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ପରେ ସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବାର କିଛି ସମୟ ପୂର୍ବରୁ ସାଧାରଣ ଦର୍ଶନ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
- ୮ଟା ୪୫ରୁ ଖାଲି ହେବ ଶ୍ରୀମନ୍ଦିର
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି,‘‘ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବାରୁ ୪ତାରିଖ ସକାଳ ୮ଟା ୪୫ରୁ ଭକ୍ତଙ୍କୁ ମନ୍ଦିରରୁ ଖାଲି କରାଯାଇ ଶୋଦ୍ଧ ପ୍ରକ୍ରିୟା ଆରମ୍ଭ କରାଯିବ । ସକାଳ ୫ ଟାରୁ ଦ୍ଵାରଫିଟା ନୀତି ଅନୁଷ୍ଠିତ ହେବ । ତେବେ ପ୍ରଶାସନ ପକ୍ଷରୁ ଯେଉଁ ସେବାୟତଙ୍କୁ ପାସ ଦିଆଯାଇଥିବ, ସେହି ସେବାୟତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ରାଷ୍ଟ୍ରପତିଙ୍କ ସହ ତାଙ୍କ କୌଳିକ ପଣ୍ଡା ଉପସ୍ଥିତ ରହିବେ ।’’
ଏହା ମଧ୍ୟ ପଢନ୍ତୁ:- ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ 3 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି; ବାତ୍ୟା ‘ଦାନ’ କାରଣରୁ ସ୍ଥଗିତ ରହିଥିଲା ଗସ୍ତ |
- ପରିକ୍ରମା ପ୍ରକଳ୍ପରେ ଅନେକ କାମ ବାକି ଅଛି: ସେବାୟତ ଗୌରହରି
ସେହିପରି ଆହୁରି ମଧ୍ୟ ଗୌରହରି କହିଛନ୍ତି,‘‘ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ନେଇ ମଧ୍ୟ ଛତିଶା ନିଯୋଗରେ ସେବାୟତମାନେ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପରେ ଅନେକ କାର୍ଯ୍ୟ ବାକି ରହିଛି । ଶ୍ରୀମନ୍ଦିର ସିଂହଦ୍ଵାର ପଟେ ଶୌଚାଳୟ ନଥିବାରୁ ଭକ୍ତ ବେଶ୍ ଅସୁବିଧା ଭୋଗୁଛନ୍ତି । ତେବେ ଏହାକୁ ସରକାର ସମାଧାନ କରନ୍ତୁ ବୋଲି ଜିଲ୍ଲାପାଳଙ୍କ ନିକଟରେ ସେବାୟତମାନେ ଦାବି ଜଣାଇଥିଲେ । ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଉନ୍ନତି ଓ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟବସ୍ଥା କରିଥିବାରୁ ଆମେ ଏହାକୁ ସ୍ଵାଗତ କରୁଛୁ ।’’
ଇଟିଭି ଭାରତ, ପୁରୀ