ଭୁବନେଶ୍ବର:ଆସୁଛି ଲଘୁଚାପ । ୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଗତି ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ରହିବ । ଧୀରେ ଧୀରେ ଲଘୁଚାପ ଯେତେବେଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ୨୪ ତାରିଖ ବେଳକୁ ଏହା ଅବପାତ ରୂପନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଲଘୁଚାପ ଏହାର ଗତିପଥ ଓ ତୀବ୍ରତାକୁ ନେଇ କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ସୂଚନା ଦେଇଛି ।
ଆଜି ରାଜ୍ୟରେ ଏକ ପାଣିପାଗ ସ୍ଥିତି ରହୁଛି ଅର୍ଥାତ ଏକ ନିମ୍ନ ଚାପରେଖା ଦକ୍ଷିଣ ଛତିଶଗଡ଼ରୁ ନେଇ ଦକ୍ଷିଣ କର୍ଣ୍ଣାଟକ ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିମି ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ବାୟୁମଣ୍ଡଳର ନିମ୍ନ ଭାଗରେ ସମୁଦ୍ର ମଧ୍ୟରୁ ବାୟୁ ପ୍ରବାହ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମେଘୁଆ ଆକାଶ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, କଳାହାଣ୍ଡି ଓ ନୂଆପଡା ଏହି ୪ ଜିଲ୍ଲାରେ ଭାରି ବର୍ଷା ବା (୭ ରୁ ୧୧ ମିମି )ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ତେବେ ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ଅଧିକ ରହିବା ସହ ଆଦ୍ରତାର ପରିମାଣ ୫୦ ପ୍ରତିଶତରୁ ଅଧିକ ରହୁଥିବା ବେଳେ ଗରମ ସହ ଗୁଳୁଗୁଳି ଅନୁଭୂତି ସହ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଜାରି ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଜାରି ରହିଥିବା ମେଘାଚ୍ଛନ ହଟିବ ଓ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ ।