ଭୁବନେଶ୍ବର:ଆଜି ରାଜ୍ୟରେ ହୋଇଛି ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ । ବଦଳିଛନ୍ତି ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ଵରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ଆଶିଷ ଠାକରେ । ୨୦୧୧ ବ୍ୟାଚର ଏହି ଅଫିସର ନିକଟରେ ମୟୁରଭଞ୍ଜ ଜିଲ୍ଲାପାଳ ଭାବରେ ବଦଳି ହୋଇଥିଲେ । ତାହା ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାପାଳ ଭାବେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିଲେ । ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମ ବା ସିଏମସି କମିଶନର ଭାବେ ବଦଳି କରାଯାଇଛି । ଏହା ସହିତ ସେ କଟକ ଉନ୍ନୟନ ପରିଷଦ ବା ସିଡିଏର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ । ପୁରୀ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ପାଇଛନ୍ତି ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ୨୦୧୪ ବ୍ୟାଚର ଏହି ଅଫିସର କଟକ ମହାନଗର ନିଗମ ବା ସିଏମସି କମିଶନର ଥିବା କାର୍ଯ୍ୟ କରୁଥିଲେ ।
ସେହିଭଳି ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ପାଇଛନ୍ତି ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ୨୦୧୬ ବ୍ୟାଚର ଏହି ଅଫିସର ପୂର୍ବରୁ ବାଲେଶ୍ବର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାର ଛୋଟ ଅଦଳବଦଳ କରିଛନ୍ତି ସତ କିନ୍ତୁ ଏଥିରେ ପ୍ରଶାସନିକ ଓ ରାଜନୈତିକ ବାର୍ତ୍ତା ମଧ୍ୟ ରହିଛି । ନିକଟରେ ସରକାରୀ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଆସମ୍ମାନ ଅଭିଯୋଗରେ ବିବାଦୀୟ ହୋଇଥିଲେ ବାଲେଶ୍ବର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । କେଉଁ ପରିସ୍ଥିତିରେ କିଏ ଅପମାନିତ କରିଛନ୍ତି, ଆଗାମୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରତାପ ଅବଗତ କରିଥିଲେ । ବିଜେଡି ଶାସନରେ ବାରମ୍ବାର ଗଣତାନ୍ତ୍ରିକ ପଦ୍ଧତି ଉପରେ କୁଠାରାଘାତ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଏ ବାବଦରେ ସାଂସଦ କେନ୍ଦ୍ର ନିକଟରେ ଅଭିଯୋଗ କରିଥିବା ଜଣାପଡିଛି ।