ରାଇରଙ୍ଗପୁର: ସ୍ୱାମୀ ସାଜିଲା ସୈତାନ । ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ । ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଦୀର୍ଘ ଦିନ ହେବ କିଛି କାରଣ ପାଇଁ ଉଭୟଙ୍କ ମଧ୍ୟରେ କଳି ଲାଗି ରହିଥିଲା । ଆଜି(ଶନିବାର) ସକାଳୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାଗରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ବାମୀ ବାପି ବିନ୍ଧାଣୀ ।
ଦିନେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି କରିବ ବୋଲି ଯିଏ ହାତ ଧରିଥିଲା ସେହି ସ୍ବାମୀ ଆଜି ସୈତାନ ସାଜି ସ୍ତ୍ରୀକୁ ପିଟିପିଟି ମାରି ଦେଇଛି । ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିକାପୁର ମହାନ୍ତ ସାହିରେ ବାପି ବିନ୍ଧାଣୀ ଓ ତାଙ୍କ ସ୍ତ୍ରୀ ମାଇନା କିସ୍କୁ ଦୀର୍ଘ ଦିନ ହେବ ରହି ଆସୁଥିଲେ। ମାଇନା କିସ୍କୁ ବାପି ବିନ୍ଧାଣୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏବଂ ତାଙ୍କର ଗୋଟିଏ ୯ ବର୍ଷର ସନ୍ତାନ ଥିବା ଜଣାପଡିଛି । ତେବେ ଦୀର୍ଘ ଦିନ ହେବ କିଛି କାରଣ ପାଇଁ ଉଭୟଙ୍କ ମଧ୍ୟରେ ପ୍ରାୟ କଳି ଝଗଡ଼ା ହେଉଥିବା ପଡୋଶୀ ପ୍ରକାଶ କରିଛନ୍ତି । ଆଜି ମଧ୍ୟ ସକାଳୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସ୍ୱାମୀ ବାପି ବିନ୍ଧାଣୀ ରାଗରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ମାଇନା କିସ୍କୁକୁ ପିଟି ଚାଲିଥିଲା। ମାଡ଼ ସହ୍ୟ ନକରିପାରି ଚିତ୍କାର କରିଥିଲା ମାଇନା । ମାଡ କରଣରୁ ସଂଜ୍ଞାହୀନ ହୋଇ ପଡ଼ିଥିଲା ।