ଭୁବନେଶ୍ବର:ନିର୍ମମ, ବୀଭତ୍ସ ଓ ନୃଶଂସ ହତ୍ୟାକାଣ୍ଡ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ନିଜ ପତ୍ନୀକୁ ୩୩ ଥର ଛୁରୀ ଭୁସି ଓ ନିଜର ଜନ୍ମ କଲା ଝିଅକୁ ତଣ୍ଟି କାଟିବା ଭଳି ନୃଶଂସ ଘଟଣାରେ ଆଜି କୋର୍ଟ ଅଭିଯୁକ୍ତ ସ୍ବାମୀ ତଥା ବାପାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଭରତପୁର ଥାନା ଘାଟିକିଆ ସରସ୍ବତୀ ଦାସ ହତ୍ୟା ମାମଲାରେ ଖୋର୍ଦ୍ଧା ୨ୟ ଅତିରିକ୍ତ ଜିଲ୍ଲା ଦୋରାଜଜ କୋର୍ଟ ଜଜ୍ ବନ୍ଦନା କର ଏଭଳି ରାୟ ପ୍ରକାଶ କରିଛନ୍ତି । ଏନେଇ ସରକାରୀ ଓକିଲ ସଲିଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
ସରକାରୀ ଓକିଲ ସଲିଳ କୁମାରଙ୍କ କହିଛନ୍ତି, "ଏହି ଘଟଣା ଏକ ବିରଳରୁ ବିରଳତମ ଘଟଣା । ଯେଉଁଠି ଗୋଟିଏ ପରିବାରର ସ୍ବାମୀ ନିଜ ପତ୍ନୀ ଓ ସନ୍ତାନଙ୍କ ରକ୍ଷାକର୍ତ୍ତା ସାଜିଥାଏ, ଏଠି ସେହି ସାଜିଛି କାଳ । ଗତ ୯ଜୁନ ୨୦୨୨ରେ ସରସ୍ବତୀ ଦାସଙ୍କୁ ତାର ସ୍ବାମୀ ଅତି ନିର୍ମମ ଭାବେ ନିଜ ଦୁଇ ଛୁଆଙ୍କ ସାମ୍ନାରେ ୩୩ଥର ଛୁରି ଭୁସି ହତ୍ୟା କରିଥିଲା । ଏହାସହ ଗୋଟେ ଛୁଆକୁ ମଧ୍ୟ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା । ଏଭଳି ନୃଶଂସ ହତ୍ୟାକାଣ୍ଡ ମାମଲାରେ ୬ବର୍ଷ ଝିଅର ସାକ୍ଷ୍ୟ, ୧୫ଜଣଙ୍କ ସାକ୍ଷ୍ୟ ସହ ସାଇଣ୍ଟିଫିକ ପ୍ରମାଣ ଆଧାରରେ ୨ୟ ଅତିରିକ୍ତ ଜିଲ୍ଲା ଦୋରାରଜଜ କୋର୍ଟ ସ୍ବାମୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି ।"
ଘଟଣା କ୍ରମ ଏମିତି ଥିଲା:-
2022 ଜୁନ 9 ତାରିଖ । ଦିନ ପ୍ରାୟ ୧୧ଟାରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ଅଭିଯୁକ୍ତ ସଞ୍ଜିତ ଦାସ ନିଜ ପତ୍ନୀ ସରସ୍ବତୀ ଦାସଙ୍କୁ ଟଙ୍କା ମାଗିଥିଲା । ଟଙ୍କା ନ ଦେବାକୁ ମନା କରିବାରୁ ସ୍ବାମୀ ସଞ୍ଜିତ ପାଖରେ ଥିବା ଏକ ଛୁରୀରେ ପତ୍ନୀକୁ ଆକ୍ରମଣ କରିଥିଲା । ତାଙ୍କ ଶରୀରକୁ ୩୩ଥର ଆକ୍ରମଣ କରି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା । ଏପରିକି ପାଖରେ ୬ବର୍ଷର ଝିଅ ମଧ୍ୟ ଏସବୁ ଦେଖୁଥିଲା । ପରେ ଝିଅର ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ହେଲେ ପତ୍ନୀର ମୃତ୍ୟୁ ପରେ ଆକ୍ରମଣର ଶିକାର ଝିଅ ଛଟପଟ ହେଉଥିବା ବେଳେ ପାଖରେ ଖଟ ଉପରେ ତିନିଦିନର ଛୁଆ ମଧ୍ୟ ଥିଲା । ବଡ଼ ଝିଅ ପରେ ହସ୍ପିଟାଲକୁ ସ୍ଥାନାନ୍ତର ପରେ ଦୀର୍ଘ 3ମାସ ପରେ 6 ବର୍ଷର ଝିଅଟି ଜୀବନ ଫେରିପାଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସଞ୍ଜିତକୁ ଗିରଫ କରିଥିଲା । ପରେ ଏନେଇ ସାଇଣ୍ଟିଫିକ ପ୍ରମାଣ ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଚାର୍ଜସିଟ୍ ହୋଇଥିଲା ।
ବାପା ବିରୋଧରେ ଝିଅ ଦେଇଥିଲା ସାକ୍ଷୀ:-
ଏହି ବୀଭତ୍ସ ଘଟଣାର ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ ଥିଲେ ଅଭିଯୁକ୍ତର ଜନ୍ମ କଲା ବଡ଼ ଝିଅ । ଯିଏକି ନିଜର ଆଖି ସାମ୍ନାରେ ବାପାର ବୀଭତ୍ସ ରୂପ ଦେଖିଥିଲା । ଆଖି ସାମ୍ନାରେ ଗୋଟିଏ ପଟେ ତିନି ଦିନର ଭଉଣୀ କୁଆଁ କୁଆଁ କାନ୍ଦୁଥିଲା ଆଉ ଏପଟେ ବାପା ତାର ମା'କୁ ଆଖି ହତ୍ୟା କରିଥିଲା । ହତ୍ୟାକାରୀ ବାପା ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ 6ବର୍ଷର ଝିଅ ଏବେ ଯାହାକୁ ମାତ୍ର ୮ବର୍ଷ । ହତ୍ୟାକାରୀ ବାପାର କାରନାମା ଜଜଙ୍କ ସାମ୍ନାରେ ବଖାଣିଥିଲା କୁନି ଝିଅ ।