କଟକ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ମୈଦାନରେ ପ୍ରାର୍ଥୀଙ୍କ ଗହଳି ସେତିକି ବଢ଼ିବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ନିର୍ବାଚନୀ କ୍ଷେତ୍ର ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପ୍ରାର୍ଥୀପତ୍ର ଦାଖଲ କରିବା ଆଳରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ନାମାଙ୍କନ ଭରିବା ନିହାତି ଦରକାର । ଅଧିକାଂଶ ଲୋକ ଗୋଟିଏ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ଦାଖଲ କରିଥାନ୍ତି । କିନ୍ତୁ କିଛି ଲୋକ ଦୁଇଟି ସ୍ଥାନକୁ ବାଛି ଥାଆନ୍ତି । ହେଲେ କେହି ୮ଟି ସ୍ଥାନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଆପଣ ଶୁଣିଛନ୍ତି କି ?
କଟକର ଏକ ଦମ୍ପତିଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଦେଖା ଦେଇଛି । ଶ୍ରୀରାମ ପାଣ୍ଡେ ଓ ତାଙ୍କ ପତ୍ନୀ ଶୋଭା ପାଣ୍ଡେ ଚାରି ଚାରିଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଶ୍ରୀରାମଙ୍କ ପତ୍ନୀ ଶୋଭା ପାଣ୍ଡେ କଟକ ଓ ପୁରୀ ଲୋକସଭା ସହ ବାରବାଟୀ-କଟକ ଓ ଚୌଦ୍ବାର-କଟକ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ସ୍ବାମୀ ଶ୍ରୀରାମ ପାଣ୍ଡେ କେନ୍ଦ୍ରାପଡା ଓ ସମ୍ବଲପୁର ଲୋକସଭା ସହ ମାହାଙ୍ଗା ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା କହିଛନ୍ତି । ଏହି ୮ଟି ଯାକ ନିର୍ବାଚନମଣ୍ଡଳୀରେ ତାଙ୍କ ଦଖଲ ରହିଛି ଏବଂ ଉଭୟ ପତିପତ୍ନୀଙ୍କୁ ସେହି ସବୁ ଅଞ୍ଚଳରୁ ଜନସମର୍ଥନ ମିଳିବ ବୋଲି କହିଛନ୍ତି ସ୍ବାମୀ ଶ୍ରୀରାମ ପାଣ୍ଡେ । ତେବେ ଉଭୟ ପତିପତ୍ନୀଙ୍କ ଏହି ନାମାଙ୍କନ ଦାଖଲ କରିବା ସମଗ୍ର ସହରରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।