COUGH SYRUP SEIZED (Etv Bharat) ବଲାଙ୍ଗୀର: ନିର୍ବାଚକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାରେ ବେଆଇନ ନିଶା କାରବାରରେ ରୋକ ଲଗାଇବାକୁ ପୋଲିସ ଧରପଗଡ଼ ଜାରି ରଖିଛି । ଚେକିଂ ସମୟରେ ଜିଲ୍ଲାର ସୁଦପଡାରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ କଫ ସିରପର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ।
ଏହା ମଧ୍ୟ ପଢନ୍ତୁ-ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଚେକିଂ ନାଁରେ କରୁଥିଲେ ଲୁଟ୍ - Police Arrested Robbers Gang
ଏନେଇ ବଲାଙ୍ଗୀର ଏସଡ଼ିପିଓ କହିଛନ୍ତି ଯେ, ପୋଲିସ ବେଆଇନ ନିଶା କାରବାର ରୋକିବାକୁ ଓ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବରେ କରିବାକୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରୁଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି ରଖିଛି । ଏହି କ୍ରମରେ ବଲାଙ୍ଗୀରରୁ ବେଆଇନ କଫ ସିରପ ଚୋରାଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ବାଇପାସ ସୁଦପଡା ନିକଟରେ ପୋଲିସ ଚଢ଼ାଉ କରି ଏକ ଅଟୋରୁ ତିନି ପେଟି କଫ ସିରଫ ଜବତ କରିଥିଲା । ପେଟିରେ ପ୍ରାୟ 1850 ବୋତଲ ଥିବା ବେଳେ ତା'ର ମୂଲ୍ୟ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ।
ଏହା ମଧ୍ୟ ପଢନ୍ତୁ-ଚେକିଂ ବେଳେ କାରରୁ ପୁଳା ପୁଳା ଟଙ୍କା ଜବତ - Cash Seized
ଗିରଫ 4 ଜଣ ହେଉଛନ୍ତି ବଲୀଙ୍ଗୀର ଚନ୍ଦ୍ରଶେଖର ନଗରର ଇବ୍ରାନ, ଲକ୍ଷ୍ମୀ ନଗରର ପଞ୍ଚା ମେହେର, ବଲାଙ୍ଗୀର ଚୁଡାପାଲି ଗ୍ରାମର ସୁଦର୍ଶନ ନାୟକ ଓ ବେଲବାହାଲି ଗ୍ରାମର ଦୈତାରି ସାଏ । କଫ ସିରପ ସହ ଏକ ବୁଲେଟ, ଅଟୋ ଓ ଚାରୋଟି ମୋବାଇଲ ପୋଲିସ ଜବତ କରିଛି । ଭୁବନେଶ୍ବରରୁ ଏହି କଫ ସିରପ ବଲାଙ୍ଗୀରକୁ ଆସୁଥିଲା । ଏଥିରେ ସମ୍ପୃକ୍ତ ଥିବା ଆହୁରି 15 ଜଣଙ୍କୁ ପୋଲିସ ଖୁବଶୀଘ୍ର ଗିରଫ କରିବ ବୋଲି ଏସଡ଼ିପିଓ କହିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ବେଆଇନ କଫ ସିରପ ଚାଲାଣ ହେଉଥିଲା । ଯାହା ସହର ମଧ୍ୟରେ ବିଭିନ୍ନ ଏଜେଣ୍ଟଙ୍କୁ ବିକ୍ରି ହୋଇଥାନ୍ତା । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ସବୁଠି ନାକାବନ୍ଦୀ କରିବା ସହ ଚଢ଼ାଉ ଜାରି ରଖିଛି । ଆଗକୁ ମଧ୍ୟ ବେଆଇନ ନିଶା କାରବାର ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ବଲାଙ୍ଗୀର ଏସଡ଼ିପିଓ ।
ଇଟିଭି ଭାରତ, ବଲାଙ୍ଗୀର