କେନ୍ଦ୍ରାପଡ଼ା: ପହିଲି ଆଷାଢ଼ର ଆଗମନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଚାଷୀ ଭାଇ । ବସୁମାତା ରଜସ୍ବଳା ହୋଇଥିବା ବେଳେ ମିଥୁନ ସଂକ୍ରାନ୍ତିରେ ପହିଲି ବର୍ଷା ବସୁଧାଙ୍କୁ ଭିଜେଇ ଦେଇଥାଏ ନିଜ ସ୍ପର୍ଶରେ । ଆଉ ଶେଷ ରଜ ଦିନ ବସୁମାତାଙ୍କୁ ସ୍ନାନ କରାଇ ବିଭିନ୍ନ ଚାଷ ସାମଗ୍ରୀ ପୂଜା କରି ଚାଷୀ ତଥା ଓଡ଼ିଆ ଘରର ବୋହୁ ଚାଷୀ ହାତରେ ଦେଇଥାଏ ହଳ ଆଉ ଲଙ୍ଗଳ, ଯାହା ମହାପ୍ରଭୁ ବଳଦେବଜୀଉଙ୍କ ଅସ୍ତ୍ର ।
ଆଜି ହେଉଛି ମିଥୁନ ସଂକ୍ରାନ୍ତି । ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଆଜିଠାରୁ ଆରମ୍ଭ ହେଉଛି ଆଷାଢ଼ ମାସ । ଉପକୂଳ ଓଡ଼ିଶାରେ ରଜ ୫ ଦିନ ଧରି ପାଳନ ହେଉଥିବାବେଳେ ଆଜି ହେଉଛି ଏହାର ତୃତୀୟ ଦିନ ବା ରଜ ସଂକ୍ରାନ୍ତି । ପ୍ରଭୁ ବଳଦେବଜୀଉଙ୍କୁ ହଳ ଏବଂ ଲଙ୍ଗଳଧାରୀର ଆଖ୍ୟା ଦିଆ ଯାଇଥିବାରୁ ସେ ହେଉଛନ୍ତି ଚଷା ଏବଂ ଚାଷୀକୂଳର ଦେବତା । କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା କାରଣରୁ ଏଠାରେ ପ୍ରତ୍ୟେକ କୃଷିକାର୍ଯ୍ୟ ଆରମ୍ଭରୁ ମହାପ୍ରଭୁ ବଳଦେବଜୀଉଙ୍କ ଆରାଧନା କରାଯାଇଥାଏ । ଆସନ୍ତା ୧୭ ତାରିଖ ଦିନ ବସୁମାତାଙ୍କୁ ସ୍ନାନ କରାଇ ପରଦିନ ଚାଷୀ ଘରର ପୁଅ ଚଳିତବର୍ଷ ଚାଷ ପାଇଁ ଜମି ଅନୁକୂଳ କରାଇବ । ଏଥର ଭଲ ଫସଲ ପାଇଁ ମହାପ୍ରଭୁ ବଳଦେବଜୀଉଙ୍କ ନିକଟରେ ଆରାଧନା କରିଛନ୍ତି ଲକ୍ଷାଧିକ ସଂଖ୍ୟାରେ ଭକ୍ତ । ଆଜି ଦିନରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରକୁ ଆସି ଆଶିଷ ନେବା ସହ ଏବର୍ଷ ଭଲ ଧାନ ଫସଲ ପାଇଁ ଲଙ୍ଗଳଧାରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।