ପୁରୀ:ନୂଆବର୍ଷ ପୂର୍ବରୁ ଜନସମୁଦ୍ର ଶ୍ରୀକ୍ଷେତ୍ର ପୁରୀ । ଆଜି (ସୋମବାର) ଶ୍ରୀମନ୍ଦିରରେ ପ୍ରବଳ ଭିଡ ମଧ୍ୟରେ ୪ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ଅନ୍ୟପଟେ ବର୍ଷର ଶେଷ ଦିନ ଡିସେମ୍ବର 31 ଓ ନୂଆବର୍ଷରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି 31 ରାତିରେ ଜିରୋ-ନାଇଟ ସେଲିବ୍ରେସନ ପାଇଁ ମଧ୍ୟ ହୋଟେଲ କର୍ତ୍ତୃପକ୍ଷଙ୍କ ଦ୍ବାରା ବ୍ୟାପକ ବ୍ୟବସ୍ଥା କରାଯାଇଛି।
- ଦଳାଚକଟାରେ ୪ ଆହତ :
ଆଉ ମାତ୍ର କେଇ ଘଣ୍ଟା ପରେ ବିଦାୟ ନେବ ପୁରୁଣା ବର୍ଷ । ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ମନ୍ଦିରରେ ଠେଲାପେଲା ୪ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯିବା ପରେ ସେମାନଙ୍କୁ ଛଡା ଯାଇଛି । ଅନେକ ଭକ୍ତ ଭୟରେ ମହାପ୍ରଭୁଙ୍କ ଦର୍ଶନ ନକରି ଫେରିଯାଇଛନ୍ତି। ଏହାକୁ ନେଇ ଭକ୍ତଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଧାଡି ଦର୍ଶନ ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ଆସିଛି ।
- ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା:
ଅନ୍ୟପଟେ ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥା ଲାଗି ପ୍ରଶାସନ ଓ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ବ୍ୟାରିକେଡ଼ କରାଯାଇଛି । ଭକ୍ତମାନେ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । ଶ୍ରୀମନ୍ଦିର, ବଡଦାଣ୍ଡ, ସମୁଦ୍ରକୂଳ ସମେତ ପୁରୀ ସହରରେ 60 ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ମୁତୟନ କରାଯାଇଛି । ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି । ନିଜେ ପୁରୀ ଏସପି ବିନିତ ଅଗ୍ରୱାଲ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀମନ୍ଦିରରେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିବା ସହ ପରିଚାଳନା କରୁଛନ୍ତି । ଡିସେମ୍ବର 31 ଓ ଜାନୁଆରୀ 1 ତାରିଖରେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି ।
ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ କ’ଣ କହୁଛନ୍ତି ପୁରୀ ଏସପି:
ପୁରୀ ଏସପି ବିନିତ୍ ଅଗ୍ରୱାଲ କହିଛନ୍ତି," ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛୁ । ଭକ୍ତମାନେ କିଭଳି ଭଲରେ ଦର୍ଶନ କରିବେ ଓ ଭିଡକୁ କିଭଳି ସଠିକ୍ ଭାବରେ ପରିଚାଳନା କରିହେବ ତାହା ମୁଖ୍ୟ କାର୍ଯ୍ୟ । ମନ୍ଦିର ଭିତରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଭକ୍ତମାନେ ଭଲରେ କରୁଛନ୍ତି । ଶ୍ରୀମନ୍ଦିର ବାହାର କାଠ ନିକଟରେ 4 ଜଣ ସ୍କୁଲ ଛାତ୍ରୀ ଠେଲାପେଲାରେ ପଡ଼ି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ପ୍ରବଳ ଭିଡ଼ରେ କିଛି ବି ଘଟଣା ଘଟିଲେ ତାହାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଟିମକୁ ମୁତୟନ କରାଯାଇଛି । ଯେଉଁ ଭକ୍ତମାନେ ଦୀର୍ଘ ସମୟ ହେବ ଲାଇନରେ ଠିଆ ହୋଇ ରହୁଛନ୍ତି ସେମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ହୋଇଛି । ପ୍ରଶାସନ ପକ୍ଷରୁ ଯାହା କିଛି ପଦକ୍ଷେପ ନିଆଯାଇଛି ଭକ୍ତମାନେ ସେଥିରେ ସହଯୋଗ କରନ୍ତୁ । ଏହାଦ୍ବାରା ଭଲରେ ସବୁ ଭକ୍ତ ଦର୍ଶନ କରି ଏକ ଭଲ ଅନୁଭୂତି ନେଇ ଫେରିବେ । ତେବେ ଡିସେମ୍ବର 31 ଏବଂ ଜାନୁଆରୀ 1 ତାରିଖରେ ଭିଡକୁ ଦୃଷ୍ଟିରେ ରଖାଯାଇ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତଙ୍କୁ ପ୍ରବେଶ ଓ ଅନ୍ୟ ତିନି ଦ୍ଵାର ଦେଇ ଭକ୍ତ ପ୍ରସ୍ଥାନ କରିବାକୁ ବ୍ୟବସ୍ଥା କରାଯାଇଛି ।"
ଭକ୍ତଙ୍କୁ ଦିଆଯାଉଛି ପାନୀୟ ଜଳ:
ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, "ଭକ୍ତଙ୍କ ସୁବିଧା ପାଇଁ ବଡଦାଣ୍ଡର ଉଭୟ ପାର୍ଶ୍ଵରେ 120ଟି ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥା ରହିଛି । ବଡଦାଣ୍ଡରେ ଯେଉଁ ଭକ୍ତ ବିଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ଚାହିଁବେ ସେଠାରୁ ସେମାନେ ପିଇ ପାରିବେ । ତେବେ ଡିସେମ୍ବର 31 ଏବଂ ଜାନୁଆରୀ 1 ତାରିଖରେ ପ୍ରବଳ ଭକ୍ତଙ୍କ ଭିଡକୁ ନଜରରେ ରଖାଯାଇ ଉଭୟ ପୌରପାଳିକା ଏବଂ ୱାଟକୋ ପକ୍ଷରୁ ମଧ୍ୟ ପାନୀୟ ଜଳ ବ୍ୟବସ୍ଥା ହୋଇଛି ।"
ଜିରୋ-ନାଇଟ ସେଲିବ୍ରେସନ୍ ପାଇଁ ବ୍ୟାପକ ପ୍ରସ୍ତୁତି:
ସେପଟେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ହୋଟେଲ କର୍ତ୍ତୃପକ୍ଷଙ୍କ ଦ୍ବାରା ବ୍ୟାପକ ପ୍ରସ୍ତୁତି କରାଯାଇଛି । 31 ଡିସେମ୍ବର ସନ୍ଧ୍ୟାରୁ ଜିରୋ-ନାଇଟ ସେଲିବ୍ରେସନ ପାଇଁ ପୁରୀରେ ଥିବା ନାମୀଦାମୀ ହୋଟେଲଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା ହୋଇଛି । ବଲିଉଡ୍, ଓଲିଉଡ କଣ୍ଠଶିଳ୍ପୀଙ୍କ ସ୍ୱର ତାଳେ ତାଳେ ଝୁମିବେ ଓ ନାଚିବେ ପର୍ଯ୍ୟଟକ । ବିଭିନ୍ନ ରକମର ଖାଦ୍ୟ ପରସା ଯିବ । ଜିରୋ-ନାଇଟ ସେଲିବ୍ରେସନରେକୁ ରଙ୍ଗୀନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।
ଏହାମଧ୍ୟ ପଢନ୍ତୁ... |