ଭବାନୀପାଟଣା/ବୌଦ୍ଧ :ଆଜି ରଙ୍ଗର ପର୍ବ ହୋଲି । ଗାଁ ଠାରୁ ସହର ସବୁଆଡେ ଖୁସିର ମାହୋଲ । ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି ସମସ୍ତେ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ହୋଲିରେ ଜମୁଛି ଗୀତନାଚର ଆସର । ସେହିପରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ହୋଲି ଖେଳ ଜମୁଥିବା ଦେଖିବାକୁ ମିଳିଛି । କେଉଁଠି ନାଚଗୀତର ଆସର ତ ପୁଣି କେଉଁଠି ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ବାର୍ତ୍ତା ବଣ୍ଟା ଚାଲିଛି । ପୂର୍ବ ରାଗ ରୁଷା ମାନ ଅଭିମାନ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ବାର୍ତ୍ତା ବାଣ୍ଟୁଛନ୍ତି ଜିଲ୍ଲାବାସୀ ।
ହୋଲି ରଙ୍ଗରେ ରଙ୍ଗୀନ ହୋଇଛନ୍ତି ନେତାଠୁ ଜନତା । ପିଲାଠାରୁ ବୟସ୍କ ଯାଏ ସଭିଏଁ ହୋଲି ଖେଳର ମଜା ଉଠାଇଛନ୍ତି । ରଙ୍ଗର ଏହି ପର୍ବକୁ ସବୁ ମହଲରେ ପାଳନ କରାଯାଉଛି । ଗତକାଲି(ସୋମବାର) ଭବାନୀପାଟଣା ସହରର ବିଭିନ୍ନ ମନ୍ଦିରମାନଙ୍କ ପକ୍ଷରୁ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଅବିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ପିଲାଠୁ ବୁଢ଼ା ।
ସେହିପରି ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ହୋଲି ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଜିଲ୍ଲା ସଦର ମହକୁମା ବାପୁଜୀ ନଗରଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ସହିତ ନାଚଗୀତର ଆୟୋଜନ କରାଯାଇଥିଲା । ସେହିପରି ପୋଡାପୋଡା ଠାରେ ମହିଳାମାନେ ଏକତ୍ରିତ ହୋଇ ଘରକୁ ଘର ବୁଲି ହୋଲି ଉତ୍ସବ ପାଳନ କରିଥିଲେ । ହୋଲି ପାଇଁ ଆଜି ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଏସପିଙ୍କ ବାସଭବନରେ ସ୍ବତନ୍ତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।