ଭୁବନେଶ୍ବର: ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ଓଡିଶାରେ ମେ' ୧୩, ୨୦, ୨୫ ଓ ଜୁନ ୧ରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ । ଏହି ସମୟରେ ସାଧାରଣତଃ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥାଏ । ତେଣୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ କାଳବୈଶାଖୀ ମଧ୍ୟରେ ସଫଳ ନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରସ୍ଥ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଓଡ଼ିଶାରେ ବିନା କୌଣସି ଜନଜୀବନ ହାନୀରେ ଉଚ୍ଚ ମତଦାନ ହାରକୁ ବଜାୟ ରଖିବା ସହ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟାର ଆହ୍ୱାନ ବିଷୟରେ ଅବଗତ କରାଇଛନ୍ତି । ମତଦାନ ଦିନ ଓ ମତଗଣନା ଦିନ ଯେପରି ଭାବରେ ବିନା କୌଣସି ବାଧାବିଘ୍ନରେ ସମସ୍ତ କାର୍ଯ୍ୟ ସମାପନ ହେବ ସେଥିପାଇଁ ବିଭିନ୍ନ ବିଭାଗର ସମନ୍ୱୟ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜୋର ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମତଦାନ କେନ୍ଦ୍ରରେ ବିଶେଷ ବ୍ୟବସ୍ଥା କରାଯିବ । ପ୍ରତିଟି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଧାଡ଼ି ବାନ୍ଧିବା ପାଇଁ ଛାଇ, ଚୌକି ଓ ପ୍ରତୀକ୍ଷା କକ୍ଷର ବ୍ୟବସ୍ଥା ରହିବ । ଏହି ସବୁ ସ୍ଥାନରେ ଅବ୍ୟାହତ ବିଜୁଳି ଓ ପଙ୍ଖା ରହିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।
ସେହିପରି ସମସ୍ତ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହେବେ । ସେମାନଙ୍କ ପାଖରେ ଅଂଶୁଘାତ ମୁକାବିଲା ପାଇଁ ଅତ୍ୟାବଶ୍ୟକ ଔଷଧପତ୍ର ରହିବ । ପ୍ରତିଟି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ କର୍ମୀ ମଧ୍ୟ ରହିବେ । ଯଦି କେହି ଅଂଶୁଘାତର ଶିକାର ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଯିବ । ଏଥିପାଇଁ ମତଦାନ ଦିନଗୁଡ଼ିକରେ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ ମହଜୁଦ ରଖାଯିବ । ସୂଚନା-ଶିକ୍ଷା-ପ୍ରଚାର ମାଧ୍ୟମରେ ଅଂଶୁଘାତ ସତର୍କତା ବାର୍ତ୍ତା ଜନସାଧାରଣଙ୍କ ପାଖକୁ ପହଞ୍ଚାଯିବ । ଏହାସହ ପ୍ରତିଟି ବୁଥରେ ଜଳଛତ୍ର ଖୋଲାଯିବା ସହିତ ଓଆରଏସ ଉପଲବ୍ଧ କରାଯିବ । ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସମୟରେ ଡାକ୍ତରମାନଙ୍କ ଦ୍ୱାରା ସେମାନଙ୍କୁ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ପ୍ରଶିକ୍ଷଣ ଦିଆଯିବ । ଏହି ସମସ୍ତ ବ୍ୟବସ୍ଥା ମାଧ୍ୟମରେ ମତଦାତାମାନଙ୍କୁ ମତଦାନର ଏକ ସ୍ମରଣୀୟ ଅନୁଭବ ସୃଷ୍ଟି କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତ ଦେଇଛନ୍ତି ।