କଟକ:ଏସସିବି ମେଡିକାଲରେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ (Bone Marrow) ଘଟଣା । ସଫଳ ଅସ୍ତ୍ରୋପଚାର ପରେ ବି ପ୍ରାଣ ହରାଇଥିଲେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁ । ଏହି ସଫଳ ଅସ୍ତ୍ରୋପଚାର କରି ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗ ସୁନାମ ଆଣିଥିଲା । ତେବେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ଶୁଭ୍ରାଂଶୁଙ୍କ ପରିବାର ।
ପୁଅ ଶୁଭ୍ରାଂଶୁଙ୍କ ଚିକିତ୍ସାରେ ଗୁରୁତର ଅବହେଳା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ଏହାସହ ମୃତ୍ୟୁ ବାବଦରେ ମିଥ୍ୟା ସୂଚନା ଦେବା ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର । ଏନେଇ କଟକ ମଙ୍ଗଳାବାଗ ଥାନାରେ ଏସସିବି କର୍ତ୍ତୃପକ୍ଷଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭ୍ରାଂଶୁଙ୍କ ବାପା । ଅଭିଯୋଗ ଅନୁସାରେ, ଶୁଭ୍ରାଂଶୁ ସାହୁ ଗତ 18 ତାରିଖ ସକାଳ ସମୟରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁବରଣ କରିଥିଲେ ।
ଶୁଭ୍ରାଂଶୁଙ୍କ ବାପା ସନାତନ କହିଛନ୍ତି, "ହାପଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଗତ ୯ ତାରିଖରେ କରାଯାଇଥିଲା । ଶୁଭ୍ରାଂଶୁର ସାନ ଭାଇଙ୍କ ଷ୍ଟେମ୍ ଆଣି ପ୍ରତିରୋପଣ କରାଯାଇଥିଲା । ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଏବଂ ତାଙ୍କ ସାନ ଭାଇଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲା । ଆମେ ସେଠାରେ ଉପସ୍ଥିତ ଥିଲୁ । ସେ ବେଡ୍ ତଳକୁ ବି ଓହ୍ଲାଇନଥିଲା । ବାଥରୁମରେ ପଡି ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲୁ । ମୋ ପୁଅକୁ ବଳି ପକାଇଦେଲା ମେଡିକାଲ । ପରୀକ୍ଷାମୂଳକ ଭାବରେ ଅପରେସନ କରାଯାଇଥିବାରୁ ତା'ର ଜୀବନ ଯାଇଛି । ଏହି ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି । " ଅନ୍ୟପଟେ ଏହି ଘଟଣାକୁ ନେଇ ଏସସିବି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରୟା ମିଳିପାରିନାହିଁ।