ଭୁବନେଶ୍ବର:‘ଖରା ଆଉ ଛାଇ’ । ଯେପରି ଦୁହେଁ ଦୁହିଁଙ୍କ ପାଇଁ । ଧୁ ଧୁ ଖରାରେ ଯେବେ ଶରୀର କ୍ଲାନ୍ତ ପଡିଯାଏ । ମନ ଖୋଜେ କେଉଁଠି ଟିକେ ମିଳନ୍ତା କି ଗଛ ଛାଇ । ଟାଇଁ ଟାଇଁ ଖରାରେ ଯେତେବେଳେ ଶରୀର ଝିମ୍ ଝିମ୍ ହୋଇଯାଏ ଶରୀର ମନ ଉଭୟେ ଛାଇକୁ ଖୋଜି ବୁଲନ୍ତି । ରାଜଧାନୀରେ ସତେ ଯେପରି ମରିଚିକା ପାଲଟି ଯାଇଛି ଛାଇ । ବିକାଶ ନାଁ ଚାରିଆଡେ କଂକ୍ରିଟ ଜଙ୍ଗଲ । ରୂପାନ୍ତରିତ ସହରରେ ଯେପରି ହଜିଯାଇଛି ଜଙ୍ଗଲ । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।
ହଜିଯାଇଛି କି ଖରା ଛାଇର ଲୁଚକାଳୀ ଖେଳ ?
ରାଜଧାନୀରେ ଆଉ ଦେଖିବାକୁ ମିଳୁନି ଖରା ଛାଇର ଲୁଚକାଳୀ ଖେଳ । ସତେ ଯେମିତି ସ୍ମାର୍ଟ ସିଟିରୁ ଉଭାନ ହେଇଯାଇଛି ଛାଇ । ଆଉ ଗୋଟେ ସାଧାରଣ ପଥିକ ପାଇଁ ପାଲଟି ଯାଇଛି ସ୍ବପ୍ନ । ଖରା ଦିନ ଆରମ୍ଭରୁ ଅସହ୍ୟ ଗରମ ଓ ତାତି ଦେଖାଯାଉଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ଲୋକେ ।
ରାଜଧାନୀରେ ଖୋଜିଲେ ମିଳୁନି ବୁଢା ବରଗଛ !
ଚିର ବସନ୍ତର ସହରରେ ଏବେ ଦେଖିବାକୁ ମିଳୁନି ବୁଢା ବର ଗଛ କି ତାର ଶୀତଳ ଛାଇ । କେବଳ ଦେଖିବାକୁ ମିଳୁଛି ବଡ଼ ବଡ଼ କୋଠା, ଆଉ ଗାଡ଼ି ମୋଟର । ଆଧୁନିକତାର ଛାପରେ ସବୁଜ ବନାନୀ ଗଛ ପରିବର୍ତ୍ତେ କଂକ୍ରିଟ ଜଙ୍ଗଲରେ ରୂପାନ୍ତରିତ ହୋଇଛି ସହର । ଏପଟେ ବର୍ତ୍ତମାନ ସମୟରୁ ସରକାର ଜନସାଧାରଣ ନିଜେ ସଚେତନ ନହେଲେ ଆଗକୁ ଅସମ୍ଭାଳ ହେବ ବୋଲି କହିଛନ୍ତି ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ।
ଛାଇ ହଜିଯିବାର ଏପରି କିଛି କାରଣ ହୋଇପାରେ:
- ଜଳବାୟୁରେ ପରିବର୍ତ୍ତନ
- ବିକାଶ ନାଁରେ ଗଛ କଟା
- କଳାକାରଖାନା ବଢି ଚାଲିଛି
- ସହରରେ ଚାରିଆଡେ କଂକ୍ରିଟ
- ରାସ୍ତା ପ୍ରଶସ୍ତିକରଣ, ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟକରଣ ନାଁରେ ଗଛ କଟାଯାଉଛି
ମାଟି ଥିବା ସ୍ଥାନରେ ପକାଯାଉଛି ଫେଭର ବ୍ଲକ
ମାଘରେ ଜାଡ ଗାଏବ, ଏବେଠୁ ଅସମ୍ଭାଳ:
କଥାରେ ଅଛି ମାଘ ମାସରେ ହୁଏ ଜାଡ ମାଡ । ମାଘ ମାସରେ ଜାଡ ପରି ଶୀତ ହେଉଥିଲା । ହେଲେ ଏବେ ପାଣିପାଗରେ ପରିବର୍ତ୍ତନ ଫଳରେ ମାଘ ମାସରେ ଶୀତ ଗାଏବ ହୋଇଗଲାଣି । ଅସହ୍ୟ ଖରାରେ ଲୋକେ ଆଉଟୁପାଉଟୁ ହେଲେଣି । ଗାଁ ଠାରୁ ସହର, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାତି ଓ ଝାଞ୍ଜିରେ ମଣିଷଠୁ ଆରମ୍ଭ କରି ପଶୁ ପକ୍ଷୀ, ସମସ୍ତେ କଲବଲ ହେବାକୁ ଲାଗିବେ । ରାଜଧାନୀ ଭୁବନେଶ୍ୱରର କଥା ଆହୁରି ଚିନ୍ତାଜନକ ଅଟେ । ତାତି ବଢ଼ିବା ସହ ଧିରେ ଧିରେ କଂକ୍ରିଟ ସହରରେ ପରିଣତ ହେଉଛି ରାଜଧାନୀ । ବେଧଡକ ଭାବେ ଗଛ କଟାଯାଉଥିବାରୁ ରାଜଧାନୀରେ ଛାଇ ଟିକିଏ ପାଇବା କଷ୍ଟକର ହୋଇ ପଡୁଛି ।
କଂକ୍ରିଟ ଜଙ୍ଗଲରେ ରୂପାନ୍ତରିତ ହେଉଛି ସହର:
ହାତ ଗଣତି କେତେକ ସ୍ଥାନକୁ ଛାଡ଼ିଦେଲେ ରାଜଧାନୀର ବିଭିନ୍ନ ଛକ ବଜାରରେ ଗଛଟିଏ ମଧ୍ୟ ଦେଖିବାକୁ ମିଳୁନାହିଁ । ବିକାଶ ନାଁରେ ସ୍ମାର୍ଟ ସିଟି ଆଜି କଂକ୍ରିଟ ଜଙ୍ଗଲରେ ରୂପାନ୍ତରୀକରଣ ହୋଇଛି ରାସ୍ତା ପ୍ରଶସ୍ତିକରଣ, ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟକରଣ ନାଁରେ ଗଛ କଟାଯାଉଛି । କେବଳ ଏତିକି ନୁହଁ ମାଟି ଥିବା ସ୍ଥାନମାନଙ୍କରେ ଫେଭର ବ୍ଲକ୍ ପକାଇବା ଦ୍ଵାରା ଦୁବଘାସ ମଧ୍ୟ କଅଁଳୁ ନାହିଁ । ଯାହା ଭବିଷ୍ୟତ ପିଢ଼ି ପାଇଁ ଏବେ ଚିନ୍ତାର କାରଣ ହୋଇଛି ।
ଜଳବାୟୁ ପରିବର୍ତ୍ତନରେ କିପରି ଆସିପାରିବ ପରିବର୍ତ୍ତନ ?
- ସୌର ଶକ୍ତିର ବ୍ୟବହାର
- ପବନ ଶକ୍ତିର ବ୍ୟବହାର
- ଜଳ ଶକ୍ତିର ବ୍ୟବହାର
କେଉଁ ବିଷୟ ଉପରେ ଧ୍ୟାନ ଦେବା ?
- ଯାନବାହାନ ଚଳାଚଳ କମ୍ କରିବା
- ବ୍ୟାପକ ପରିମାଣରେ ଗଛ ଲଗାଇବା
ଏନେଇ ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, "ବିଗତ ଦିନରେ ରାଜଧାନୀ ଦେଶର ଉତ୍ତପ୍ତ ସହର ମଧ୍ୟରେ ରହିଥିଲା । ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ସମାନ ସ୍ଥିତି ରହିବ। ଯାହା ଜଳବାୟୁ ପରିବର୍ତ୍ତନ ସ୍ଥିତି ପାଇଁ ଏଭଳି ଉପୁଜିଛି । ସହରରେ ପ୍ରଦୂଷଣ ମାତ୍ରା ଅଧିକ ରହିବା ସହ କଂକ୍ରିଟ ସହର, ଅତ୍ୟଧିକ ଗାଡ଼ି ଚଳାଚଳ, ଗଛ ଲଗାଇବା ସଂଖ୍ୟା ହ୍ରାସ ଆଦି ପ୍ରମୁଖ କାରଣ ହେଉଛି । ଜାନୁଆରୀରେ ଏଭଳି ପରିସ୍ଥିତି ତେବେ ଆଗାମୀ ଦିନରେ ଏହା ଅତି ଗମ୍ଭୀର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।’