ଓଡିଶା

odisha

ଦୁରୁଆଙ୍କୁ ମିଳିଲା ଆଦିବାସୀ ମାନ୍ୟତା, ସରକାରଙ୍କୁ କୃତଜ୍ଞତା ଜଣାଇଲେ ଏହି ଜନଜାତି

By ETV Bharat Odisha Team

Published : Feb 22, 2024, 10:36 AM IST

Durua Tribe: ଦୀର୍ଘ 75 ବର୍ଷ ସଂଘର୍ଷ ପରେ ଦୁରୁଆ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ମିଳିଛି । ଏନେଇ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ,

Durua Tribe
Durua Tribe

Durua Tribe

କୋରାପୁଟ:ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ପରିଶେଷରେ ଦୁରୁଆ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ମିଳିଛି । ବର୍ଷ ବର୍ଷର ଦାବି ଶୁଣିଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ଵର ପଞ୍ଚାୟତରେ ଦୁରୁଆ ଜନଜାତି ବସବାସ କରିଆସୁଛନ୍ତି । ବଣ୍ଡା, କୋୟା, ପରଜା, ଗାଦବା ଭଳି ଦୁରୁଆ ଜନଜାତିଙ୍କର ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ରହିଛି। ଭାଷା , ପରମ୍ପରା ଏବଂ ଜୀବନଶୈଳୀରେ ସମ୍ପୂର୍ଣ୍ଣ ଭାବେ ଆଦିବାସୀ ଛାପ ରହିଥିଲେ ମଧ୍ୟ କୌଣସି କାରଣରୁ ଆଦିବାସୀ ମାନ୍ୟତାରୁ ବଞ୍ଚିତ ରହିଥିଲେ ଏହି ସମ୍ପ୍ରଦାୟ ।

ସେମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରି ପେଟ ପୋଷୁଥିଲେ । ନୃତ୍ୟ ଏବଂ ସଙ୍ଗୀତ ପ୍ରିୟ ଦୁରୁଆ ଜନ ଗୋଷ୍ଠୀ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଆସୁଛନ୍ତି। ହେଲେ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳୁନଥିବାରୁ ମନ ଭିତରେ ପ୍ରବଳ କ୍ଷୋଭ ଏବଂ ଅସନ୍ତୋଷ ଭରି ରହିଥିଲା। ଛତିଶଗଡ଼ରେ ବସବାସ କରୁଥିବା ଦୁରୁଆଙ୍କୁ ସେଠାକାର ରାଜ୍ୟ ସରକାର ବହୁ ବର୍ଷ ତଳେ ଆଦିବାସୀ ମାନ୍ୟତା ପ୍ରଦାନ କରିସାରିଥିଲେ ମଧ୍ୟ ଓଡ଼ିଶାର ଦୁରୁଆ ଜନ ଗୋଷ୍ଠୀ ମାନ୍ୟତା ପାଇପାରିନଥିଲେ।

75 ବର୍ଷ ଧରି ଥିବା ଦାବିକୁ ତୀବ୍ରତର କରିବା ସହ ଏନେଇ ଦାବିପତ୍ର ପ୍ରଦାନ କରିଆସିଥିଲେ । ଶେଷରେ ଦୁରୁଆ ଜନ ଗୋଷ୍ଠୀକୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇଛି । ଯାହାକୁ ନେଇ ସେମାନେ ଗୁପ୍ତେଶ୍ଵର ପଞ୍ଚାୟତର ସୋରିଷପଦରଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଦୁରୁଆ ଭଳି ଦୋରା , ପରଜା ଓ କନ୍ଧ ସମ୍ପ୍ରଦାୟର କିଛି ଉପସମ୍ପ୍ରଦାୟ ମଧ୍ୟ ଆଦିବାସୀ ସଭ୍ୟତା ଭିତରେ ଚଳି ଆସୁଥିଲେ ସୁଦ୍ଧା ମାନ୍ୟତା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ...ଜନଜାତିଙ୍କ ପାଇଁ ବଡ଼ ପଦକ୍ଷେପ: ଛୋଟ ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

"ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ପାଇଁ ବିଭିନ୍ନ ସମୟରେ ବିଧାନସଭାଠାରୁ ଆରମ୍ଭ କରି ସଂସଦରେ ଦାବି ହେଇ ଆସୁଥିଲା । ଏବେ ସରକାର ସେମାନଙ୍କ ଦାବିକୁ ପୂରଣ କରିଛନ୍ତି । ସେମାନେ ଆଦିବାସୀର ମାନ୍ୟତା ପାଇବା ସହିତ ଆଦିବାସୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଯାହା ସବୁ ବ୍ୟବସ୍ଥା ରହିଛି ସେସବୁର ସୁବିଧା ପାଇପାରିବେ" ବୋଲି ଆଦିବାସୀ ସମାଜର ସକ୍ରିୟ କର୍ମକର୍ତ୍ତା ମଦନ କିର୍ସାନୀ ପ୍ରକାଶ କରିଛନ୍ତି । ବିଶିଷ୍ଟ ଗବେଷକ ପରେଶ ରଥ କହିଛନ୍ତି, "ବହୁ ବିଳମ୍ବରେ ଏହି ଆଦିବାସୀଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ମିଳିନଥିବା ଯୋଗୁଁ ସେମାନଙ୍କୁ କ୍ଷତି ମଧ୍ୟ ସହିବାକୁ ପଡ଼ିଛି । ନିଜ ଜମି ସାଧାରଣ ବର୍ଗର ବ୍ୟକ୍ତିଙ୍କ ପାଖରେ ହରାଇ ବସିଥିବାବେଳେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧାରୁ ବଞ୍ଚିତ ହୋଇ ଦୀର୍ଘ ବର୍ଷ ଧରି କାଳାତିପାତ କରିଆସୁଥିଲେ । ଏହି ଜନଜାତିର ଉନ୍ନତି ପାଇଁ ସ୍ୱତନ୍ତ୍ର ଏଜେନ୍ସି ଗଠନ କରାଯିବାର ଆବଶ୍ୟକତା ରହିଛି ।"


ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details