ଓଡିଶା

odisha

ETV Bharat / state

'ଫୋର୍ବସ୍ ଇଣ୍ଡିଆ'ରେ ସ୍ଥାନିତ ମାତିଲଦାଙ୍କୁ ଭେଟିଲେ ରାଜ୍ୟପାଳ: ଘରେ ବସି ଚା' ପିଇଲେ, ସମସ୍ୟା ପଚାରିଲେ - ମାତିଲଦାଙ୍କୁ ଭେଟିଲେ ରାଜ୍ୟପାଳ

Governor Meets Matilda: 'ଫୋର୍ବସ୍ ଇଣ୍ଡିଆ' ତାଲିକାରେ ସ୍ଥାନ ପାଇଥିବା ମହିଳା ମାତିଲଦାଙ୍କୁ ଭେଟିଲେ ରାଜ୍ୟପାଳ । ଘରେ ବସିଲେ, ଚାହା ପିଇଲେ ଓ ସମସ୍ୟା ପଚାରିଲେ । ଅଧିକ ପଢନ୍ତୁ

ମାତିଲଦାଙ୍କୁ ଭେଟିଲେ ରାଜ୍ଯପାଳ
ମାତିଲଦାଙ୍କୁ ଭେଟିଲେ ରାଜ୍ଯପାଳ

By ETV Bharat Odisha Team

Published : Feb 12, 2024, 10:31 PM IST

ମାତିଲଦାଙ୍କୁ ଭେଟିଲେ ରାଜ୍ଯପାଳ

ରାଉରକେଲା: ସୁନ୍ଦରଗଡ଼ରେ ରାଜ୍ୟପାଳ ରଘୁବର ଦାସ । ଦେଶର ସମ୍ମାନଜନକ 'ଫୋର୍ବସ୍ ଇଣ୍ଡିଆ' ତାଲିକାରେ ସ୍ଥାନ ପାଇଥିବା ସୁନ୍ଦରଗଡ଼ର ଆଦିବାସୀ ମହିଳା ମାତିଲଦା କୁଲୁଙ୍କୁ ଭେଟିଛନ୍ତି ରାଜ୍ୟପାଳ । ଆଜି ଅଚାନକ ଅପରାହ୍ନ ୪ ଟା ୨୦ରେ ରାଜ୍ୟପାଳ ବଡ଼ଗାଁ ବ୍ଲକ୍ ଗରଗଡ଼ବାହାଲ ସ୍ଥିତ ମାତିଲତାଙ୍କ ଘରକୁ ଯାଇ ସେଠାରେ ୫ ମିନିଟ୍ ବିତାଇଥିଲେ । ସେଠାରେ ଚା' ପିଇବା ସହ ମାତିଲଦାଙ୍କ ସେବା ଓ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ମାତିଲଦା ଶୋଚନୀୟ ସ୍ଥିତିରେ ଥିବା କଥା କହିଥିଲେ । ଏହାସହ ଜରକା ଓ ଗରଗଡ଼ବାହାଲ ପଡ଼ା ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ମାତିଲଦା । ଆଗ ଧାଡିର କୋଭିଡ୍ ଯୋଦ୍ଧା ଭାବେ ମହାମାରୀ କୋରୋନାର ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରି ସୁନ୍ଦରଗଡ଼ର ମାତିଲଦା କୁଲୁ ପାଇଛନ୍ତି ଏହି ସମ୍ମାନ । ଗତ ୧୫ ବର୍ଷ ଧରି ଜିଲ୍ଲାର ବଡ଼ଗାଁ ତହସିଲ ଗରଗଡବାହାଲ ଗ୍ରାମର ଆଶା କର୍ମୀ ଭାବେ ସେ କାର୍ଯ୍ୟ କରିଆସୁଛନ୍ତି ।

ତେବେ ୪୫ ବର୍ଷୀୟା ଏହି ମହିଳା ସ୍ୱାସ୍ଥ୍ୟସେବା ପାଇଁ ହୋଇଥିବା ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିଛନ୍ତି । ଅଞ୍ଚଳରୁ ଅନ୍ଧବିଶ୍ବାସ ସହ ଜାତିବାଦ, ଅସ୍ପୃଶ୍ୟତା ପରି ଘୃଣ୍ୟ ପ୍ରଥାକୁ ଦୂର କରିବା ପାଇଁ ମଧ୍ୟ ସେ ଅକ୍ଲାନ୍ତ ଉଦ୍ୟମ ଜାରି ରଖିଛନ୍ତି । କୋଭିଡ ଯୋଦ୍ଧା ଭାବେ ଏହି ତାଲିକାରେ ସ୍ଥାନ ପାଇଥିବା ମାତିଲଦା ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ମାତିଲଦାଙ୍କ ସକାଳୁ ନିତ୍ୟକର୍ମ ସାରି ପ୍ରଥମେ ଘର କାମ ଶେଷ କରନ୍ତି । ପରିବାରର ୪ ଜଣ ସଦସ୍ୟଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ସହ ଗୋରୁମାନଙ୍କୁ ଖାଇବାକୁ ଦିଅନ୍ତି। ଏହା ପରେ ତାଙ୍କ ଅସଲ ଜୀବନଯାତ୍ରା ଆରମ୍ଭ ହୋଇଥାଏ । ସାଇକଲରେ ଗାଁ ଭିତରକୁ ଯାଆନ୍ତି । ପ୍ରତିଟି ଦୁଆରକୁ ଯାଇ ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ନିରୀକ୍ଷଣ କରିବା ସହ ଗ୍ରାମବାସୀଙ୍କୁ ଗୁଣିଗାରେଡ଼ି ଉପରେ ନିର୍ଭର ନକରି ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ଆପଣେଇବା ଦିଗରେ ସଚେତନ କରାନ୍ତି। ଏହିକ୍ରମରେ ସେ ଗାଁର ପ୍ରାୟ ୯୬୪ ଲୋକଙ୍କ ଯତ୍ନ ନେଉଥିବା ସୂଚନା ମିଳିଛି।

ଏହା ମଧ୍ୟ ପଢନ୍ତୁ...ବେସାହାରାଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ଯୁବକ, ଆରମ୍ଭ କଲେ ମାଗଣା ଆମ୍ବୁଲାନ୍ସ ସେବା

ଏହା ବ୍ୟତୀତ, ଔଷଧ ଯୋଗାଇବା, ପ୍ରସବ ସମୟରେ ମହିଳାଙ୍କୁ ଡାକ୍ତରଖାନା ନେବା, ଉଭୟ ମା ଓ ନବଜାତ ଶିଶୁଙ୍କ ନିୟମିତ ଯତ୍ନ ନେବା ଆଦି କାର୍ଯ୍ୟ କରିଥାନ୍ତି । କୁଲୁଙ୍କର ଅନ୍ୟାନ୍ୟ ନିୟମିତ କାର୍ଯ୍ୟଗୁଡ଼ିକ ହେଉଛି ଆଣ୍ଟେନେଟାଲ୍ / ପୋଷ୍ଟନାଟାଲ୍ ଚେକ୍ ଅପ୍, ପ୍ରତିରୋପଣ, ସାନିଟାଇଜେସନ୍, ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା, ପୋଲିଓ, ଅନ୍ୟାନ୍ୟ ଟିକାକରଣ ଓ ବିଭିନ୍ନ ସର୍ଭେ। ଯେଉଁ ସବୁକୁ ସେ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। କେବଳ ସେତିକି ନୁହେଁ, ଜାତିପ୍ରଥାର ବିଲୋପ କରାଇବା ଦିଗରେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ପରିଚୟ ଦେଇଛି । ମାସିକ ମାତ୍ର ୪୫୦୦ ଟଙ୍କା ପାରିଶ୍ରମିକ ପାଉଥିବା ଏହି ମହିଳା ନିରନ୍ତର ସେବା ଯୋଗାଇ ଆସୁଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details