ଓଡିଶା

odisha

ETV Bharat / state

ଚାଲିଛି ପ୍ରସ୍ତୁତି, ଖୁବଶୀଘ୍ର ଲାଗୁ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା - NEW EDUCATION SCHEME

ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଚୂଡାନ୍ତ ପ୍ରସ୍ତୁତି କରୁଛନ୍ତି ମୋହନ ମାଝୀ ସରକାର ।

Godabarish Mishra model primary school
Godabarish Mishra model primary school (ETV Bharat Odisha)

By ETV Bharat Odisha Team

Published : Nov 6, 2024, 9:44 PM IST

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏନେଇ ଚୂଡାନ୍ତ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି(ବୁଧବାର) ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ବେଳେ ଏନେଇ ସୂଚନା ମିଳିଛି । ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଖୁବଶୀଘ୍ର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଶୁଭାରମ୍ଭ:

Godabarish Mishra model primary school (ETV Bharat Odisha)

ରାଜ୍ୟରେ ଖୁବଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ । ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ । ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ ।


ଏସବୁ ଦିଗ ଉପରେ ଗୁରୁତ୍ବ:

Godabarish Mishra model primary school (ETV Bharat Odisha)

ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ । ଏହି ଯୋଜନାରେ ନୂଆ କ୍ଲାସ ରୁମ, ବାଳକ ଓ ବାଳିକାଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ ଲ୍ୟାବ, ଖେଳପଡିଆ, ଡାଇନିଙ୍ଗ ହଲ, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ । ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ:

ମୋହନ ମାଝୀ ସରକାରଙ୍କ ବଡ଼ ପ୍ରୋତ୍ସାହନ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୫ ହଜାର, କମିବ ଡ୍ରପଆଉଟ୍

'ଭୁବନେଶ୍ୱର NSDରେ ଓଡ଼ିଆଙ୍କୁ ମିଳୁ ୫୦ ପ୍ରତିଶତ ସିଟ୍': ଥିଏଟର କଳାକାର

ବଦଳିଲା ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ, ସବୁଜ ବଦଳରେ ହେଲା ଖଇରିଆ-ବାଦାମୀ ରଙ୍ଗ - SCHOOL UNIFORMS CHANGES

100 ବର୍ଷରୁ ଊର୍ଦ୍ଧ୍ବ ପୁରାତନ ସ୍କୁଲର ହେବ ବିକାଶ:

ବୈଠକରେ ଐତିହ୍ୟ ବିଦ୍ୟାଳୟ ଗୁଡିକର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟ କିମ୍ବା ସ୍ୱାଧୀନତା ପୂର୍ବ ସମୟର ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯିବ । ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ । ଏହି ଯୋଜନାରେ ସମୁଦାୟ ୪୫ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ । ବିଦ୍ୟାଳୟରେ ଶିକ୍ଷକତା କରିଥିବା ବା ଶିକ୍ଷା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଅବଦାନକୁ ମଧ୍ୟ ସ୍ମରଣୀୟ କରାଯିବ । ବୈଠକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ଉନ୍ନତିକରଣ ଉପରେ ମଧ୍ୟ ଆଲୋଚନା କରାଯାଇଛି ।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଲିନୀ ପଣ୍ଡିତ, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details