ବ୍ରହ୍ମପୁର:ଶକ୍ତି ପ୍ରଦର୍ଶନ କଲା ବିଜେପି । ଗଞ୍ଜାମରର ନବନିର୍ବାଚିତ ୧୧ ବିଜେପି ବିଧାୟକ ଏବଂ ୨ ସାଂସଦ ଏକାଠି ଦେଖାଇଲେ ଦମ୍ । ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଜିଲ୍ଲାର ନବନିର୍ବାଚିତ ଜନ ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାର ବିକାଶ ତଥା ସ୍ୱାର୍ଥ ପାଇଁ ସମସ୍ତେ ମିଳିତ ଉଦ୍ୟମ ଜାରି ରହିବ ବୋଲି କହିଲେ ବ୍ରହ୍ମପୁର ସଂସାଦ ପ୍ରଦୀପ ପାଣିଗ୍ରାହୀ ।
ଏହି ଅବସରରେ ସଂସାଦ ପ୍ରଦୀପ ପାଣିଗ୍ରାହୀ ଏବଂ ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାବାସୀ ଯେଭଳି ପରିବର୍ତ୍ତନ ଆଣିବା ସହିତ ଅନେକ ଲକ୍ଷ୍ୟ ରଖିଛନ୍ତି । ତାହାକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଏବଂ ଜିଲ୍ଲାକୁ ଏକ ନମ୍ବର ରଖିବା ସହ ସମୃଦ୍ଧ କରିବା କ୍ଷେତ୍ରରେ ସାଧାରଣ ଜନତା ରଖିଥିବା ଆଶାକୁ ସମସ୍ତଙ୍କ ଉଦ୍ୟମରେ ନିଶ୍ଚିତ ପୂର୍ଣ୍ଣ କରାଯିବ ।
ମୁଖ୍ୟତଃ ଚଳିତବର୍ଷ ସାଧାରଣ ଜନତା ବିଜେଡ଼ିର ଗଡ଼ ଭାବରେ ପରିଚିତ ଗଞ୍ଜାମରେ ମୋଟ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୧ଟି ବିଜେପି ବିଜୟୀ ହେବା ସହିତ ରାଜ୍ୟରେ ନୂତନ ସରକାର ଗଠନ କରିବାରେ ସଫଳ ହୋଇଛି । ନିର୍ବାଚିତ ଦୁଇ ସାଂସଦ ସମେତ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଦୁଇ ମନ୍ତ୍ରୀ ଏବଂ ସମସ୍ତ ବିଧାୟକଙ୍କୁ ବ୍ରହ୍ମପୁରରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପୂର୍ବରୁ ନବନିର୍ବାଚିତ ସାଂସଦ ଓ ବିଧାୟକ ମାନେ ସହରର ଆମ୍ବପୁଆ ଠାରୁ ସଂସ୍କୃତି ଭବନ ଯାଏଁ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ଯେଉଁଥିରେ ଗଞ୍ଜାମ ଜିଲ୍ଲାର ଶହ ଶହ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ ।