ଢେଙ୍କାନାଳ:ଆସନ୍ତାକାଲି ମହାଶିବରାତ୍ରୀ । ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରା ପାଇଁ ଢେଙ୍କାନାଳ ଜିଲ୍ଲା କପିଳାଶରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଏଠାରେ ଭୋର ୩ଟା ୫୫ ମିନିଟରେ ଉଠିବ ମହାଦୀପ । ଜାଗର ଯାତ୍ରା କିଭଳି ସୁରୁଖୁରୁରେ ସମାପନ ହେବ, ସେନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଶୃଙ୍ଖଳିତ ଦର୍ଶନ ତଥା ଯାତ୍ରା ପରିଚାଳନା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।
ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଗାଁଠୁ ସହର । ଦେବଦେବ ମହାଦେବଙ୍କର ପାଳନ ହେବ ଜାଗର ଯାତ୍ରା । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶରେ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ପ୍ରଭୁ ଚନ୍ଦ୍ରଶେଖରଙ୍କ ବିଜେସ୍ଥଳୀ କପିଳାଶରେ ଚଳିତ ବର୍ଷ ମହାଦୀପ ଭୋର ୩ଟା ୫୫ ମିନିଟରେ ମନ୍ଦିର ଚୂଡାକୁ ଉଠିବାର ନୀତି ନିର୍ଘଣ୍ଟ କରାଯାଇଛି । ଏଥିପାଇଁ କପିଳାଶର ସେବାୟତମାନେ ବେଶ ତତ୍ପର ହୋଇ ପଡ଼ିଛନ୍ତି ।
ପରମ୍ପରା ମୁତାବକ ଆସନ୍ତାକାଲି (ଶୁକ୍ରବାର) ଦିନ ପ୍ରାତଃ ସମୟରୁ ନାନା ନୀତିକାନ୍ତିରେ ଶୋଡ଼ଷ ଉପଚାରରେ ପ୍ରତ୍ୟେକ ପ୍ରହର ପୂଜା କରାଯିବ । ଆଉ ସନ୍ଧ୍ୟା ପରେ ପ୍ରଭୁଙ୍କର ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହେବ । ସେହପରି ପରମ୍ପରା ମୁତାବକ ପ୍ରଭୁଙ୍କ ନାଗା ଭରଣ ବେଶ, ମାତା ପାର୍ବତୀଙ୍କ ରାଜରାଜେଶ୍ୱରୀ ବେଶ ଓ ହରିହର ଭେଟକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ବିଶେଷ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ ଶୀର୍ଷ ଦେଶରେ ବିରାଜମାନ ପ୍ରଭୁ ଚନ୍ଦ୍ରଶେଖରଙ୍କ ଅପାର ମହିମା ରାଜ୍ୟ ତଥା ରାଜ୍ୟବାହାରୁ ଏହି ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କୁ ଟାଣି ଆଣିଥାଏ ।