ଭୁବନେଶ୍ବର:ଦେଶର ବେସାମରିକ ବିମାନ ସେବା କ୍ଷେତ୍ରକୁ ବାରମ୍ବାର ମିଳିବାରେ ଲାଗିଛି ଧମକ । ପ୍ରଭାବିତ ହେଉଛି ଯାତ୍ରୀସେବା । ବିମାନ ଚଳାଚଳରେ ସୃଷ୍ଟି ହେଉଛି ସାମୟିକ ଅଚଳାବସ୍ଥା । ନିକଟ ଅତୀତରେ ଏହି ସମ୍ପର୍କିତ ମାମଲା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଏହି ଉଦବେଗରୁ ଭୁବନେଶ୍ବରର ସ୍ଥିତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ଦୂରରେ ନାହିଁ । ଏପରି କିଛି ସ୍ଥିତି କାରଣରୁଗତଗୁରୁବାର ଦିନ ଭୁବନେଶ୍ବର ବିମାନ ବନ୍ଦର ପାଇଁ ଥିଲା ବେଶ୍ ଚ୍ୟାଲେଞ୍ଜର ଦିନ ।
- ବାତ୍ୟା ସଟଡାଉନ ପୂର୍ବରୁ ଆସିଲା ଧମକ:-
ବାତ୍ୟା ପାଇଁ ବିମାନ ସେବା ବନ୍ଦକୁ ଅଳ୍ପ ସମୟ ଥିବା ବେଳେ ଆସିଥିଲା ବୋମା ଆତଙ୍କ ମେସେଜ । ହେଲେ ନିଜ କଣ୍ଟିଜେନସି ପ୍ଲାନକୁ କାର୍ଯ୍ୟକାରୀ କରି ବମ୍ ଥ୍ରେଟ୍ ଆସେସମେଣ୍ଟ କମିଟି ଜରିଆରେ ଏହାର ଯାଞ୍ଚ କରାଯାଇଥିଲା । ପରେ ହୁଏତ ଏହା ମିଛ ମେସେଜ ଭାବେ ଜଣାପଡ଼ିଲା । ଯାହା ବର୍ତ୍ତମାନ ସମୟରେ ମୁଣ୍ଡବ୍ୟଥା ପାଲଟିଛି ଫୋନ୍ କଲ୍ ବଦଳରେ ଏକ୍ସ ଓ ଅନ୍ୟ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ । ଯାହାର ସୋର୍ସ ଟ୍ରାକ୍ କରିବା କାଠିକର ପାଠ ପାଲଟୁଛି ।
- ହୋକ୍ସ କଲବା ମେସେଜ କଣ :-
ହୋକ୍ସ କଲବା ମେସେଜ ଅର୍ଥ ‘ଫେକ କଲ’ । ଯାହା ଏକ କିଛି ଘଟଣା ଘଟାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହି କଲ ସିଧାସଳଖ ମୋବାଇଲ ମାଧ୍ୟମରେ ନଆସି ବିଶେଷ ଭାବରେ ଇ-ମେଲ କଲ ଏବଂ ସୋସିଆଲ ମିଡ଼ିଆରେ ମାଧ୍ୟମରେ ଆସିଥାଏ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ।
- ସୋସିଆଲ ମିଡିଆକୁ ଅପଣାଉଛନ୍ତି ଦୁର୍ବୃତ୍ତ :-
ଦାନା ବାତ୍ୟା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାର ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଥିବା ବେଳେ ବିମାନ ବନ୍ଦର ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ଆସିଥିଲା । ଅପରାହ୍ନ ୩ଟି ପାଖାପାଖି ହଠାତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଆସିଲା ବୋମା ଆତଙ୍କ ମେସେଜ । ଗୋଟାଏ ପଟେ ବାତ୍ୟା ରହିଥିବା ବେଳେ ଅନ୍ୟପଟେ ଥ୍ରେଟ୍ ମେସେଜ । ଯେଉଁ ଫ୍ଲାଇଟକୁ ଏହି ଧମକ ଆସିଥିଲା, ତାହା ବାତ୍ୟା ପାଇଁ ବିମାନ ସେବା ବନ୍ଦ ପୂର୍ବର ଶେଷ ବିମାନ ଥିଲା । ଯାହା ଅପରାହ୍ନ ୪.୩୦ରେ ଭୁବନେଶ୍ବରରୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଭରିବାର ଥିଲା ।
ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି," ବାତ୍ୟା ପୂର୍ବରୁ ଏହି ବିମାନ ନଉଡ଼ିଲେ, ଯାତ୍ରୀଙ୍କ ସମେତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଅସୁବିଧାରେ ପଡ଼ିଥାନ୍ତା । ହେଲେ ଏହାକୁ ଚ୍ୟାଲେଞ୍ଜ ପରି ନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଥିବା ବମ୍ ଥ୍ରେଟ୍ ଆସେସମେଣ୍ଟ କମିଟି ଯାଞ୍ଚ ଆରମ୍ଭ କରିଥିଲା । ଏଥିପାଇଁ ବିମାନ ବନ୍ଦରର ସମସ୍ତ ଅଂଶୀଦାରଙ୍କୁ ନେଇ ଯୁଦ୍ଧକାଳୀନ କାମ ଚାଲିଥିଲା । କାଳେ ମେସେଜରେ ସତ୍ୟତା ଥିବ, ସେଥିପାଇଁ ତତକ୍ଷଣାତ୍ ପହଞ୍ଚିଥିଲେ ସୁରକ୍ଷା ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ । ସେଫଟି ପ୍ରୋଟୋକଲ ଅନୁସାରେ ବିମାନ ଓ ବିମାନ ବନ୍ଦରରେ ଥିବା ବ୍ୟାଗ ପରି ଆସବାବପତ୍ରକୁ ପୁଣି ସ୍କାନିଂ କରାଗଲା । ବିମାନ ବନ୍ଦରରେ ପ୍ରତିବନ୍ଧକ ଯୋଗୁ ଯେପରି ଯାତ୍ରୀ ହଇରାଣ ନହୁଅନ୍ତୁ, ତାକୁ ଦୃଷ୍ଟିରେ ରଖି ଠିକ୍ ସମୟରେ କାମ ସରିଲା ଓ ନିର୍ଦ୍ଧାରିତ ସମୟରେ ବିମାନ ଉଡ଼ିଥିଲା ।’’
- ସେହିଦିନ ଝାରସୁଗୁଡ଼ା ବିମାନ ବନ୍ଦରକୁ ମଧ୍ୟ ଆସିଥିଲା ମେସେଜ:-
ତେବେ ଦେଶରେ ବିଭିନ୍ନ ସ୍ଥାନକୁ କଲ ଏଵଂ ମେସେଜ ଆସିଥିଲେ ମଧ୍ୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରକୁ ପ୍ରଥମ ଥର ପାଇଁ କଲ ଏବଂ ମେସେଜ ଆସିଥିଲା । ତେବେ କଥା ଏତିକିରେ ଅଟକି ନଥିଲା । ଭୁବନେଶ୍ବର ପରି ସେହି ସମୟରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ମଧ୍ୟ ଆସିଥିଲା ଏପରି ହୋକ୍ସ କଲ୍ ଏବଂ ମେସେଜ । ହେଲେ ସେଠାରେ ବି ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ବୋଲି କହିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ।
- ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ପ୍ରଥମ ଧମକପୂର୍ଣ୍ଣ କଲ:-
ଉଭୟ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଏହା ଥିଲା ପ୍ରଥମ ହୋକ୍ସ କଲ୍ ଏବଂ ମେସେଜ। ହେଲେ ଗତ ଏକ ସପ୍ତାହ ମଧ୍ୟରେ ସାରା ଦେଶରେ ବିମାନ ବନ୍ଦରକୁ ଏପରି ୭୦ରୁ ଅଧିକ ଧମକପୂର୍ଣ୍ଣ ଫୋନକଲ ଓ ମେସେଜ ଆସିଛି । ଏହି ହୋକ୍ସ କଲ୍ ଯୋଗୁଁ ବିମାନ ସେବା ସହ ଯାତ୍ରୀମାନେ ମଧ୍ୟ ବହୁ କ୍ଷତି ସହିଛନ୍ତି ।
- ସୋସିଆଲ ମିଡିଆରେ ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ମାର୍ଗଦର୍ଶିକା ଜାରି:-
ଭାରତରେ କାର୍ଯ୍ୟରତ ବିଭିନ୍ନ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ମିଳୁଥିବା ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ‘ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ’ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ପ୍ଲାଟଫର୍ମ ସମେତ ବିଭିନ୍ନ ସଂସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି । ଠିକ୍ ସମୟରେ ମିଥ୍ୟା ଧମକକୁ ଅପସାରଣ କରିବା, ଧମକ ସମ୍ପର୍କରେ ରିପୋର୍ଟ କରିବା । କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଏଥିରେ ଦିଆଯାଇଛି ନିର୍ଦେଶ । ‘ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ-୨୦୦୦’ ଏବଂ ‘ଆଇଟି ଆକ୍ଟ-୨୦୨୧’ ଅଧୀନରେ ପ୍ରୋଟୋକଲ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଉପଯୁକ୍ତ ଅନୁଧ୍ୟାନ ଆବଶ୍ୟକତାକୁ ଅନୁପାଳନ ନକଲେ ଧାରା-୭୯ ଅଧୀନରେ ସୁରକ୍ଷା ପ୍ରତ୍ୟାହାର କରାଯିବ। କୌଣସି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ‘ଆଇଟି ନିୟମ-୨୦୨୧’ ଅନୁଯାୟୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ଅନୁସନ୍ଧାନ ଏବଂ ସାଇବର ସୁରକ୍ଷାରେ ଅଧିକାରପ୍ରାପ୍ତ ସରକାରୀ ଏଜେନ୍ସିଗୁଡ଼ିକୁ ୭୨ଘଣ୍ଟା ପରେ ନୁହେଁ ବରଂ ଠିକ ସମୟରେ ସହାୟତା କରିବାକୁ ବାଧ୍ୟ ।