ପାରଳାଖେମୁଣ୍ଡି: ଆୟୁଷ୍ମାନ ଭାରତ ଯୋଜନା ନାଁରେ ଠକେଇ ଅଭିଯୋଗ । ଏହି ଯୋଜନାର ନିୟମାବଳୀ କିମ୍ବା କେଉଁମାନେ ଏଥିପାଇଁ ଯୋଗ୍ୟ ସେନେଇ ରାଜ୍ୟ ସରକାର କୌଣସି ବିଜ୍ଞପ୍ତି ଜାରି କରିନାହାନ୍ତି । ହେଲେ ଗଜପତି ଜିଲ୍ଲାରେ ଏପରି ଏକ ଅଭିଯୋଗ ଆସିଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆୟୁଷ୍ମାନ ଭାରତ ନାଁରେ ଠକେଇ:
ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସ୍ବାସ୍ଥ୍ୟ ବୀମା କାର୍ଡ ମଧ୍ୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି । ସାରା ଦେଶରେ ଲାଗୁ ହୋଇଥିବା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା ଅତିଶୀଘ୍ର ଲାଗୁ ହେବ ବୋଲି ନିକଟରେ ଘୋଷଣା କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାର କିଛି ଦିନ ଭିତରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ।
କାର୍ଡ ପିଛା ଟଙ୍କା ଆଦାୟ ଅଭିଯୋଗ:
ଗଜପତି ଜିଲ୍ଲାରେ ଏକ ଟ୍ରଷ୍ଟ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମାର କାର୍ଡ ନାଁରେ ଠକୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କିତ କାର୍ଡ ଦେବାର ପ୍ରତିଶ୍ରୁତି ଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରୁ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଲାଙ୍କୁ ନିଯୁକ୍ତ ମଧ୍ୟ କରିଛି ସଂସ୍ଥା ।
ଠକାମୀର ଶିକାର ହୋଇଥିବା ମହିଳା ସୁଷମା ପାତ୍ରକହିଛନ୍ତି, "ଜଣେ ଆସି ଆମକୁ କହିଥିଲା ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟଙ୍କା ଦିଆଯାଉଛି । ଏଥିପାଇଁ କାର୍ଡ କରିବାକୁ ହେବ, ଡାଟା ଦିଅନ୍ତୁ । 4 ଲକ୍ଷ 50 ହଜାର ମେଡିକାଲରେ ଖର୍ଚ୍ଚ ହେବ । ସରକାର ଏହାକୁ ବହନ କରିବେ । ଆମକୁ ସେ କାର୍ଡ ପିଛା 150 ଟଙ୍କା ମାଗିଲା । ଆମେ 12ଟି କାର୍ଡ କଲୁ ।"
ସେହିପରି ଜଣେବୁଦ୍ଧିଜୀବୀବାଳକୃଷ୍ଣ ପାତ୍ରକହିଛନ୍ତି, "ଚିକିତ୍ସା ପାଇଁ ସରକାର ଖୁବ ସୁନ୍ଦର ପଦକ୍ଷେପ ନେଇଛନ୍ତି । ସାରା ଭାରତବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି । ହେଲେ ଏହି ଆଭା କାର୍ଡ ନାଁରେ ଏବେ ଦୁର୍ନୀତି କରିଲେଣି ଲୋକେ । ସେହି କାର୍ଡ ପାଇଁ କାହା ପାଖରୁ 150 ଆଉ କାହା ପାଖରୁ 250 ଟଙ୍କା ନେଉଛନ୍ତି ।"
ଏହା ବି ପଢନ୍ତୁ...‘ଆୟୁଷ୍ମାନ ଭାରତ’ ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ MOU ସ୍ବାକ୍ଷରିତ