ବରଗଡ: ବରଗଡ଼ରେ କ୍ରୀଡାର ବିକାଶ ପାଇଁ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ ହୋଇଛି । ଜୁମ୍ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ର ଆମ୍ବଶଢା ଗ୍ରାମ ଠାରେ ସନ୍ଧ୍ୟା 5 ଟା 30 ମିନିଟ ସମୟରେ ଏହି ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଆଜିର ଯୁବପିଢ଼ି ଯେପରି ଆଗେଇ ଆସି ରାଜ୍ୟ ତଥା ଦେଶର ନାଁ ରଖିବେ ସେହି ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଛି । ବରଗଡ଼ ଜିଲ୍ଲାର ଆମ୍ବଶଢା ଠାରେ 73 କୋଟି 23 ହଜାର ଟଙ୍କା ବିନିମୟରେ ବିରାଟ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ...ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ତେବେ ଏହି ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ 1100 ବର୍ଗମିଟର ବିଶିଷ୍ଟ ଫୁଟବଲ ପଡ଼ିଆରେ 1000 ଲୋକ କ୍ଷମତା ବିଶିଷ୍ଟ ଗ୍ୟାଲେରୀ, 1100 ବର୍ଗମିଟର ବିଶିଷ୍ଟ କ୍ରିକେଟ ପଡ଼ିଆ, ଇଣ୍ଡୋର୍ ସ୍ବିମିଂ ପୁଲ , ବାଉଣ୍ଡ୍ରି ୱାଲ, କ୍ରିକେଟ ପ୍ରାକ୍ଟିସ୍ ପଡ଼ିଆ, ବାସ୍କେଟ ବଲ କୋଟ, ଭଲିବଲ କୋଟ, ଟେନିସ କୋଟ ଏବଂ 400 ମିଟର ବିଶିଷ୍ଟ ଏଥେଲେଟିକ ଟ୍ରାକ ଆଦିର ନିର୍ମାଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ତେବେ 25 ଏକର ବିଶିଷ୍ଟ ପଡ଼ିଆରେ କ୍ରୀଡ଼ା କ୍ଷେତ୍ରର ସମସ୍ତ ପ୍ରକାର ସୁବିଧା ବରଗଡ଼ର ଯୁବ ପିଢ଼ି ତଥା କ୍ରୀଡ଼ାବିତମାନେ ପାଇ ପାରିବେ ଏବଂ ଯୁବପିଢି ମାନେ ନିଜ ନିଜ ପ୍ରତିଭାକୁ ରାଜ୍ୟ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଜାଗର କରିପାରିବେ ।