ଭୁବନେଶ୍ବର:କଂଗ୍ରେସ ଛାଡିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଆଜି ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ମେଲ୍ ମାଧ୍ୟମରେ ସେ ନିଜର ଇସ୍ତଫା ପତ୍ର ସର୍ବଭାରତୀୟ କଂଗ୍ରେସ କମିଟି AICC କୁ ପଠାଇଛନ୍ତି । ଦଳରେ ଅଣଦେଖା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରି ଇସ୍ତଫା ଦେଇଛନ୍ତି ବିଜୟ । ଏନେଇ ପ୍ରତିକ୍ରିୟାରେ ବିଜୟ ପଟ୍ଟନାୟକ କହିଛନ୍ତି, ''ଦଳରେ ମୋର କୌଣସି ପ୍ରକାର ଆବଶ୍ୟକତା ନଥିବା ମୁଁ ଅନୁଭବ କଲି । ମୁଁ କୌଣସି ପଦପଦବୀ ଆଶାରେ କଂଗ୍ରେସରେ ଯୋଗ ଦେଇନଥିଲି । ଓଡିଶାବାସୀଙ୍କ ସେବା କରିବାକୁ ଆସିଥିଲି । ହେଲେ ଦଳ ମୋତେ ଯେତେବେଳେ ଗ୍ରହଣ କରୁନି, ତାହେଲେ କାହିଁକି ଏଥିରେ ରହିବି ବୋଲି ମନେ କଲି । ତେଣୁ ବହୁତ ଭାବିଚିନ୍ତି ଇସ୍ତଫା ଦେଇଛି ।''
କୌଣସି ଦଳରେ ଯୋଗ ଦେବିନି:
ତେବେ ଆଗାମୀ ଦିନରେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି । କେବଳ ଲୋକଙ୍କ ପାଖକୁ ଯିବି ଓ ଲୋକଙ୍କର ସେବା କରିବି ବୋଲି କହିଛନ୍ତି । କହିରଖୁଛୁ କି, କଂଗ୍ରେସରେ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା । ପରେ ଏହି ପଦରୁ ତାଙ୍କୁ ବାହାର କରିଦିଆଯାଇଥିଲା । ଏଥିରେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । କିଛି ଦିନ ହେଲା କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲା ।