କଟକ: ପୂର୍ବତନ ସାଂସଦ ତଥା ପୋଲିସ ଅଧିକାରୀ ଅନାଦି ଚରଣ ସାହୁଙ୍କ ପରଲୋକ । କଟକ ସିଡିଏ ସ୍ଥିତ ବାସଭବନରେ ଆଜି(ଶନିବାର) ତାଙ୍କର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ପୂର୍ବତନ ସାଂସଦ । ତେବେ ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆର୍ଯ୍ୟ ସମାଜ ପରମ୍ପରା ଅନୁସାରେ ଆଜି ସତୀ ଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ । ତାଙ୍କର ଅନ୍ତିମ ଦର୍ଶନ ପାଇଁ କଟକର ରାଜନେତା, ପୂର୍ବତନ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ବିଜେପି ଉପସଭାପତି ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସିଡିଏ ବାସଭବନରେ ପହଞ୍ଚିଛନ୍ତି ।
କର୍ମ ଜୀବନରେ ଅନାଦି ସାହୁ ଜଣେ ଦକ୍ଷ ଆଇପିଏସ ଅଫିସର ଥିଲେ । ପୋଲିସ ଅଧିକାରୀ ଭାବେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି । ରାଷ୍ଟ୍ରପତି ପୁରସ୍କାର ଠାରୁ ଆରମ୍ଭ କରି ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥାଇ ସେ ଆଇଜି ଭାବରେ ଅବସର ନେଇଥିଲେ । ଅନାଦି ସାହୁ ବିଜେପି ସାଂସଦ ଥିଲେ । ସେ ବ୍ରହ୍ମପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ କେବଳ ରାଜନୀତି ନୁହେଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି । ସେ ଅନେକ ପୁସ୍ତକ ରଚନା କରିଛନ୍ତି ।