କଟକ:ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସମୀର ଦେ । ଆଜି କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ତଳେ ହସ୍ପିଟାଲରେ ସମୀରଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ରହିଛନ୍ତି ସମୀର । 2004ରୁ 2009 ପର୍ଯ୍ୟନ୍ତ ଉଚ୍ଚଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସମୀର ଦେ । ମୃତ୍ୟୁ ବେଳକୁ ତାଙ୍କୁ 67ବର୍ଷ ବୟସ ହୋଇଥିଲା । କିଛି ବର୍ଷ ପୂର୍ବେ ତାଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା।
ସମୀରଙ୍କ ଅନ୍ତିମ ଯାତ୍ରା:
SAMIR DEY PASSES AWAY (ETV Bharat Odisha) ବିଧାନସଭା ପରିସରକୁ ନିଆଯିବ ସମୀରଙ୍କ ପାର୍ଥିବ ଶରୀର । ଏହାପରେ ଭୁବନେଶ୍ବର ସ୍ଥିତ ବିଜେପି କାର୍ଯ୍ୟାଳୟରୁ କଟକ ଫେରିବ । ମଧୁପାଟଣା ଛକ, ଦୋଳମୁଣ୍ଡାଇ, ବକ୍ସି ବଜାର ଦେଇ ଷ୍ଟାଡିୟମ, ତେଲେଙ୍ଗା ବଜାର ଦେଇ ଖାନନଗର ଅଣାଯିବ । ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ।
ସମୀରଙ୍କ ରାଜନୈତିକ କ୍ୟାରିୟର:
SAMIR DEY PASSES AWAY (ETV Bharat Odisha) କଟକ ଆସନରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମୀର। 1995, 2000 ଓ 2004ରେ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । 2004-2009 ମଧ୍ୟରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଉଚ୍ଚଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଗୁରୁଦାୟିତ୍ବ ତୁଲାଇଛନ୍ତି ସମୀର ଦେ ।
- ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସମୀର ଦେ
- ମେଣ୍ଟ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ
- ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଉନ୍ନୟନ ମନ୍ତ୍ରୀ ହୋଇଥିଲେ
ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ:
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସମୀରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି । ସମୀର ଦେଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ ସମ୍ପନ୍ନ:
SAMIR DEY PASSES AWAY (ETV Bharat Odisha) ମୁଖ୍ୟମନ୍ତ୍ରୀ କହିଛନ୍ତି, "ସମୀର ଦେ ଜଣେ ଲୋକପ୍ରିୟ ଜନନେତା ଓ ଦୃଢ଼ ସଂଗଠକ । ଉଚ୍ଚଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ତାଙ୍କର ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । ନିଜର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ । କଟକ ସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା । ସମୀରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନୁଷ୍ଠିତ ହେବ ।"
ଏହା ବି ପଢନ୍ତୁ...ଭେଟେରାନ ନେତା ଧନେଶ୍ଵର ମାଝୀଙ୍କ ପରଲୋକ, ବିଧାୟକ ଓ ସାଂସଦ ଭାବେ ତୁଲାଇଛନ୍ତି ଦାୟିତ୍ବ
ଏହା ବି ପଢନ୍ତୁ...CPIM ମହାସଚିବ ସୀତାରାମ ୟେଚୁରୀଙ୍କ ପରଲୋକ, ଶ୍ରେଷ୍ଠ ସାଂସଦ ଭାବେ ହୋଇଥିଲେ ପୁରସ୍କୃତ - Sitaram Yechury Passes Away
କିଛି ଦିନ ତଳେ ହସ୍ପିଟାଲରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ:
SAMIR DEY PASSES AWAY (ETV Bharat Odisha)
ଏହାସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଯେତେବେଳେ କଟକ ଗସ୍ତରେ ଯାଆନ୍ତି, ସେତେବେଳେ ସେ ଅସୁସ୍ଥ ସମୀର ଦେଙ୍କୁ ଭେଟନ୍ତି ବୋଲି କହିଛନ୍ତି । ବାଲିଯାତ୍ରା ଉଦଘାଟନ ପାଇଁ କଟକ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ସମୀର ଦେଙ୍କୁ ଘରୋଇ ହସ୍ପିଟାଲରେ ଭେଟିଥିଲେ । ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସମୀର ଦେଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।
ସମୀରଙ୍କ ଦେହାନ୍ତଙ୍କ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ:
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ସମୀରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଲେଖିଛନ୍ତି, ‘ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ'ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।’
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ଲେଖିଛନ୍ତି, ‘ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦୀର୍ଘ ସମୟ ଧରି ଲୋକଙ୍କ ସେବା ଓ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଓଁ ଶାନ୍ତି’
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ୍ସରେ ଲେଖିଛନ୍ତି, ‘ସମୀର ଦେ, ଆମ ପ୍ରିୟ ଦାଦା ଇହ ଧାମରେ ନାହାନ୍ତି ଶୁଣି ବିଶ୍ୱାସ ହଉନି। ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚାଇ ଆମ ଦଳ ପାଇଁ ଏକ ମଡେଲ ଭାବରେ ପ୍ରସ୍ତୁତ କରିଥିଲେ। 1995 ମସିହାରେ ବିଧାନସଭାରେ ପ୍ରବେଶ କରି ଓଡ଼ିଆଙ୍କ ଜନ ଆକାଂକ୍ଷାକୁ ବଡ଼ ରୂପ ଦେଇ ଦଳ ବିକାଶର ଭିତ୍ତି ପ୍ରସ୍ତର ପକାଇ ଥିଲେ। 2000 ଓ 2004 ରେ ମନ୍ତ୍ରୀ ଭାବରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିଥିଲେ। ତାଙ୍କର ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି । ଏହି ଦୁଃଖକୁ ଶଯ୍ୟ କରିବାପାଇଁ ତାଙ୍କ ପରିବାରକୁ ମହାପ୍ରଭୁ ଅସୀମ ଶକ୍ତି ଦିଅନ୍ତୁ। ଏହା ହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା l ଓଁ ଶାନ୍ତି ।’
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଲେଖିଛନ୍ତି, ‘ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କୁ ସବୁବେଳେ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ । ବିଜେପିର ପ୍ରାରମ୍ଭିକ ପ୍ରଗତି ସମୟରେ ଉପକୂଳ ଓଡ଼ିଶାରେ ଅଭ୍ୟୁଦୋୟର କେନ୍ଦ୍ରବିନ୍ଦୁ ଭାବେ କଟକ ସହରରୁ ଆମ ଦଳର ରାଷ୍ଟ୍ରବାଦୀ ବିଚାରକୁ ଜନପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଦାଦାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା । ଜନପ୍ରତିନିଧି ଭାବେ ସେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ’
ଇଟିଭି ଭାରତ, କଟକ